ଡ୍ର’ରୁ ଭାରତର ଅଭିଯାନ

ମହିଳା ହକି ବିଶ୍ୱକପ୍
ଆମଷ୍ଟେଲଭୀନ, ୩ା୭ (ଏଜେନ୍ସି): ଭାରତୀୟ ମହିଳା ହକି ଟିମ୍ ଏଫ୍ଆଇଏଚ୍ ବିଶ୍ୱକପ୍ରେ ଡ୍ର’ରୁ ଅଭିଯାନ ଆରମ୍ଭ କରିଛି । ରବିବାର ଇଂଲଣ୍ଡ ବିପକ୍ଷ ନିଜ ପ୍ରଥମ ମ୍ୟାଚ୍କୁ ଭାରତ ୧-୧ରେ ଅମୀମାଂସିତ ରଖିଛି ।
ପୁଲ୍-ବି’ର ଏହି ମ୍ୟାଚ୍ର ନବମ ମିନିଟ୍ରେ ଇସାବେଲ୍ଲା ପିଟର୍ଙ୍କ ଗୋଲ୍ ବଳରେ ଇଂଲଣ୍ଡ ଅଗ୍ରଣୀ ହାସଲ କରିଥିଲା । ୨୮ତମ ମିନିଟ୍ରେ ଭାରତ ପକ୍ଷରୁ ବନ୍ଦନା କାଟାରିୟା ବରାବର ଗୋଲ୍ ଦେଇଥିଲେ ।
ପ୍ରଥମ ଦୁଇ କ୍ୱାର୍ଟରରେ ପ୍ରଦର୍ଶନ ଦୃଷ୍ଟିରୁ କେହି କାହାରିଠୁ କମ୍ ନ ଥିଲେ । ପ୍ରଥମ ମିନିଟ୍ରେ ପେନାଲ୍ଟି କର୍ଣ୍ଣର ଜରିଆରେ ଭାରତୀୟ ଟିମ୍ ପାଖରେ ଅଗ୍ରଣୀ ହାସଲର ସୁଯୋଗ ଥିଲା । କିନ୍ତୁ ଏହି ସୁଯୋଗ ହାତଛଡ଼ା ହୋଇଥିଲା । ଏହାର କିଛି ସମୟ ପରେ ଅଧିନାୟିକା ସବିତା ଇଂଲଣ୍ଡର ଏକ ସୁବର୍ଣ୍ଣ ସୁଯୋଗକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ମୁକାବିଲାର ତୀବ୍ରତା ମଧ୍ୟରେ ଇଂଲଣ୍ଡ ଡେଡ୍ଲକ୍ ଭାଙ୍ଗିଥିଲା । ‘ଡି’ ବାହାରୁ ପିଟର ସ୍କୋର୍ କରିଥିଲେ । ଏହାପରେ ଭାରତ ପାଲଟା ଆକ୍ରମଣ କରି କ୍ରମାଗତ ଦୁଇଟି ପିସି ପାଇଥିଲା । କିନ୍ତୁ ଦୁଇଟିଯାକ ନିଷ୍ଫଳ ହୋଇଥିଲା ।
୧୭ତମ ମିନିଟ୍ରେ ଇଂଲଣ୍ଡର ତୃତୀୟ ପିସିକୁ ଗୁରଜିତ କୌର ବିଫଳ କରିଦେଇଥିଲେ । ଏହାର ତିନି ମିନିଟ୍ ପରେ ସବିତା ଆଉ ଥରେ ଟିମ୍ରୁ ଗୋଲ୍ରୁ ବଞ୍ଚାଇଥିଲେ । ୨୮ତମ ମିନିଟ୍ରେ ଭାରତ ଚତୁର୍ଥ ପିସି ପାଇଥିଲା, ଯେଉଁଥିରେ ବନ୍ଦନା ରିବାଉଣ୍ଡରୁ ଗୋଲ୍ କରିଥିଲେ । ମଧ୍ୟାନ୍ତର ପୂର୍ବରୁ ଭାରତ ଆଉ ଏକ ପିସି ପାଇଥିଲେହେଁ ବିପକ୍ଷ ଗୋଲ୍କିପର୍ ହିଞ୍ଚ୍ ଏହାକୁ ବିଫଳ କରିଦେଇଥିଲେ ।
ଏହାପରେ ଶେଷ ଯାଏଁ ଦୁଇ ଟିମ୍ ପକ୍ଷରୁ ଅଗ୍ରଣୀ ପାଇଁ ଯେତେ ପ୍ରୟାସ କରାଯାଇଥିଲେହେଁ କେହି କାହାରି ବିପକ୍ଷରେ ଗୋଲ୍ କରିପାରି ନ ଥିଲେ ଏବଂ ମ୍ୟାଚ୍ ଡ୍ର’ରେ ଶେଷ ହୋଇଥିଲା । ଭାରତ ନିଜ ଦ୍ୱିତୀୟ ମ୍ୟାଚ୍ରେ ମଙ୍ଗଳବାର ଚୀନ୍କୁ ଭେଟିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *