ମମତାଙ୍କ ବାସଭବନରେ ପଶିଲେ ଯୁବକ
ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଳୟ ଭେଦ
କୋଲକାତା (ଏଜେନ୍ସି): ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି । ମୁଖ୍ୟମନ୍ତ୍ରୀ ଭାବେ ମମତାଙ୍କୁ ଜେଡ୍ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମିଳୁଥିବା ବେଳେ ଏପ୍ରକାର ତ୍ରୁଟିକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରାପ୍ତ ସୂଚନାନୁସାରେ କୋଲକାତାର କାଲିଘାଟରେ ଥିବା ମମତା ବାନାର୍ଜୀଙ୍କ ବାସଭବନରେ ଜଣେ ଅଜ୍ଞାତ ଯୁବକ ଲୁଚାଛପାରେ ପ୍ରବେଶ କରିଥିବା ଜାଣିବାକୁ ମିଳିଛି । ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି । ଘରର ପାଚେରୀ ଚଢ଼ି ଏହି ଅଜ୍ଞାତ ଯୁବକଜଣକ ମୁଖ୍ୟମନ୍ତ୍ରୀ ମମତାଙ୍କ ବାସଭବନକୁ ପ୍ରବେଶ କରିଥିଲା । ତେବେ ସେ କେବଳ ପ୍ରବେଶ କରିନଥିଲା ବରଂ ରାତିସାରା ଘର ଭିତରେ ହିଁ ରହିଥିଲା । ସକାଳେ ସୁରକ୍ଷା ପାଇଁ ମୁତୟନ ଥିବା ପୁଲିସକର୍ମୀ ତାଙ୍କୁ ଦେଖିଥିଲେ ।
ଯୁବକଜଣକକୁ ଗିରଫ କରାଯିବା ସହ ଘରେ ପ୍ରବେଶ କରିବାର କାରଣ ସମ୍ପର୍କରେ ତାକୁ ଜେରା ଆରମ୍ଭ ହୋଇଛି । ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଏପ୍ରକାର ତ୍ରୁଟି ଘଟଣା ସାମ୍ନାକୁ ଆସିବା ପରେ କମିଶନର ବିନୀତ ଗୋୟଲ ଏବଂ ଅନ୍ୟ ବରିଷ୍ଠ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚô ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରାଥମିକ ଅନୁସନ୍ଧାନରୁ ପୁଲିସ ଏହା ସନେ୍ଦହ କରୁଛି ଯେ, ଘରେ ପ୍ରବେଶ କରିଥିବା ବ୍ୟକ୍ତି ଚୋର କିମ୍ବା ମାନସିକ ବିକାର ଗ୍ରସ୍ତ ହୋଇଥାଇପାରେ । ତେବେ ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ ଗତ ମାସରେ ମଧ୍ୟ ମମତାଙ୍କ ବାସଭବନ ନିକଟରେ ଏକ ଡବଲ ମର୍ଡର ହୋଇଥିଲା । ଏହା ପରେ ଏଠାରେ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା ।