ବ୍ୟକ୍ତିଗତ ଆକ୍ଷେପର ପରିଣତି ଭୟାବହ
ଜଷ୍ଟିସ୍ ପାରଦିୱାଲାଙ୍କ ଚେତାବନୀ
ନୂଆଦିଲ୍ଲୀ,୩ା୭: ପୟଗମ୍ବର ମୋହମ୍ମଦଙ୍କ ଉପରେ ଟିପ୍ପଣୀକୁ ନେଇ ବିଜେପିର ପୂର୍ବତନ ପ୍ରବକ୍ତା ନୂପୁର ଶର୍ମାଙ୍କ ଏକ ପିଟିସନର ଶୁଣାଣି ମଧ୍ୟରେ ତାଙ୍କୁ (ନୂପୁରଙ୍କୁ) ଖୁବ୍ ଭର୍ତ୍ସନା କରିଥିବା ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଜେ ବି ପାରଦିୱାଲାଙ୍କୁ ସୋସାଲ ମିଡିଆରେ କ୍ରମାଗତ ସମାଲୋଚନା କରାଯାଉଛି । ଏହି ପରିପ୍ରେକ୍ଷୀରେ ଜଷ୍ଟିସ୍ ପାରଦିୱାଲା ରବିବାର ଏକ କାର୍ଯ୍ୟକ୍ରମରେ କହିଛନ୍ତି, କୌଣସି ମାମଲାରେ ଜଜ୍୍ଙ୍କୁ ବ୍ୟକ୍ତିଗତ ଭାବେ ସମାଲୋଚନା କରାଗଲେ ପରିଣତିରେ ଭୟାବହ ଦୃଶ୍ୟପଟ ଉପୁଜିଥାଏ । ନ୍ୟାୟପାଳିକର ଗରିମା କ୍ଷୁଣ୍ଣ ହୋଇଥାଏ । ଏହି କାରଣରୁ ଜଜ୍ମାନଙ୍କୁ ନ୍ୟାୟ କଥା ଚିନ୍ତା ନ କରି ଗଣମାଧ୍ୟମ କ’ଣ ଚିନ୍ତା କରିବ ସେ କଥା ଭାବିବାକୁ ପଡ଼ିଥାଏ ।
ଭର୍ଚୁଆଲ୍ ସମ୍ବୋଧନରେ ଜଷ୍ଟିସ ପାରଦିୱାଲା କହିଲେ, ଭାରତରେ ଅପାର ଶକ୍ତିସମ୍ପନ୍ନ ସୋସାଲ ମିଡିଆ ନ୍ୟାୟିକ ଓ ସାମ୍ବିଧାନିକ ପ୍ରସଙ୍ଗଗୁଡ଼ିକର ରାଜନୀତିକରଣ କରିଆସୁଛି । ଭାରତୀୟ ଗଣତନ୍ତ୍ରରେ ଆଇନର ଶାସନ ବିଶେଷ ସ୍ଥାନ ପାଇଛି । ଲୋକଙ୍କ ରାୟ ଆଇନ ଶାସନର ଅଧିନ । ଆମେ ଲୋକଙ୍କ ଅଧିକାରର ଅଭିଭାବକ । ଲୋକେ ପସନ୍ଦ କରୁ ନ ଥିବା କଥା ଆମକୁ କହିବାକୁ ପଡ଼ିଥାଏ । ଅଦାଲତୀ ଫଇସଲା ସାଧାରଣ ଜନତାଙ୍କ ମତ ଦ୍ୱାରା ପ୍ରଭାବିତ ହୋଇପାରିବ ନାହିଁ ।
ଆଧୁନିକ କାଳରେ ଡିଜିଟାଲ ମିଡିଆ ନ୍ୟାୟ ପ୍ରକ୍ରିୟା ଉପରେ ଅବାଞ୍ଝିତ ହସ୍ତକ୍ଷେପ କରୁଛି ବୋଲି ଦର୍ଶାଇ ଜଷ୍ଟିସ୍ ପାରଦିୱାଲା ସୋସାଲ ମିଡିଆ ପାଇଁ କଠୋର ଆଇନ ପ୍ରଣୟନ ଲାଗି ଆହ୍ୱାନ କରିଛନ୍ତି । ତାଙ୍କ ମତରେ ଆଧା ସତ ଓ ଅଧା ତଥ୍ୟ ପାଇଥିବା ତଥା ଆଇନର ଶାସନ, ପ୍ରମାଣ, ନ୍ୟାୟିକ ପ୍ରକ୍ରିୟା ଓ ସମ୍ବିଧାନ ପ୍ରଦତ୍ତ ସୀମା ସବୁକୁ ବୁଝି ନ ଥିବା ବ୍ୟକ୍ତିମାନଙ୍କ ଦ୍ୱାରା ସୋସାଲ ମିଡିଆ ପ୍ରଭାବିତ ହେଉଛି । ସୋସାଲ ମିଡିଆ ଲକ୍ଷ୍ମଣରେଖା ଅତିକ୍ରମ କରୁଛି । ନ୍ୟାୟଧୀଶମାନଙ୍କୁ ବ୍ୟକ୍ତିଗତ ଭାବେ ଆକ୍ଷେପ ଓ ସମାଲୋଚନାକୁ ବରଦାସ୍ତ କରାଯିବ ନାହିଁ ।