ଆଡ଼ପ ମଣ୍ଡପରେ ମହାପ୍ରଭୁ
ପୁରୀ (ବୁ୍ୟରୋ): ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅବସ୍ଥାନ କରିଛନ୍ତି ମହାପ୍ରଭୁ । ରବିବାର ହଜାର ହଜାର ଶ୍ରଦ୍ଧାଳୁ ଚତୁର୍ଦ୍ଧାବିଗ୍ରହଙ୍କ ଆଡ଼ପ ଦର୍ଶନ କରିଛନ୍ତି । ଦୁଇଦିନ ଧରି ଅବଢ଼ା ପାଇ ନ ଥିବା ଶ୍ରଦ୍ଧାଳୁ ପାଇଛନ୍ତି ଆଡ଼ପ ଅବଢ଼ା । ଏଥିସହିତ ମହାପ୍ରଭୁଙ୍କୁ ଅନ୍ନପ୍ରସାଦ ଲାଗି ହୋଇଛି । ଲଗାତାର ଦୁଇ ଦିନ ଧରି ମହାପ୍ରଭୁ ରଥାରୂଢ଼ ଅବସ୍ଥାରେ ଅଗଣିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲା ପରେ ଶନିବାର ସନ୍ଧ୍ୟାରେ ବିଜେ ହୋଇଥିଲେ ଆଡ଼ପ ମଣ୍ଡପକୁ । ରବିବାର ଭୋର ୬ଟା ୪୦ ସମୟରେ ଦ୍ୱାର ଫିଟାଯାଇ ୭ଟା ୩୦ରେ ମଙ୍ଗଳ ଆଳତି କରାଯାଇଥିଲା । ଏହାପରେ ଅନ୍ୟାନ୍ୟ ନୀତି ବଢ଼ି ସକାଳ ସାଢ଼େ ୯ରୁ ସାଢ଼େ ୧୦ଟା ସାହାଣ ମେଲା ଦର୍ଶନ ହୋଇଥିଲା ।
ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ୱାରଦେଇ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରି ନାକଚଣା ଦ୍ୱାରଦେଇ ବାହାରକୁ ବାହାରିଥିଲେ । ସାହାଣମେଲା ଦର୍ଶନ ଶେଷ ହେଲା ପରେ ଶ୍ରଦ୍ଧାଳୁ ବାହାର କାଠ ନିକଟରେ ଶ୍ରୀଜିଉଙ୍କୁ ଦିନ ତମାମ ଦର୍ଶନ କରିବାର ସୁଯୋଗ ଲାଭ କରିଥିଲେ । ପ୍ରଥମେ ଦିନରେ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ବିଭୋର ହୋଇଥିଲେ ଭକ୍ତ । ଗୁଣ୍ଡିଚା ମନ୍ଦିର ଓ ଶରଧାବାଲି ପାଲଟି ଯାଇଛି ଏକ ଆଧ୍ୟାତ୍ମିକ ପରିବେଶ । ବର୍ଷ ସାରା ଖାଲି ପଡ଼ିଥିବା ଶ୍ରୀଗୁଣ୍ଡିଚା ମନ୍ଦିର ଏବେ ଚଳଚଞ୍ଚଳ ହୋଇପଡ଼ିଛି ।
ରବିବାର ଦିନ ତମାମ ଗୁଳୁଗୁଳି ଲାଗି ରହିଥିଲେ ମଧ୍ୟ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ହାତଛଡ଼ା କରି ନ ଥିଲେ । ଅପରାହ୍ଣ ସାଢ଼େ ୨ଟାରେ ପ୍ରଥମ ଆଡ଼ପ ଅବଢ଼ା ବାହାରିଥିଲା । ଆଡ଼ପ ଅବଢ଼ା ପାଇଁ ଭକ୍ତଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା ।
ବର୍ଷସାରା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଆନନ୍ଦବଜାରରେ ମହାପ୍ରସାଦ ସେବନ କଲେ ଯେତିକି ପୁଣ୍ୟ ମିଳିଥାଏ, ଗୁଣ୍ଡିଚା ମନ୍ଦିରରେ ଥରେ ମହାପ୍ରଭୁଙ୍କୁ ଆଡ଼ପ ଦର୍ଶନ କରି ଅବଢ଼ା ପାଇଲେ ସେତିକି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।