ଶ୍ରୀଦେବୀଙ୍କ ପାଖରେ କଳମ ଶାଗ, ନଡ଼ିଆ

ରଥଯାତ୍ରାର ନିଆରା ପରମ୍ପରା
ପୁରୀ (ବୁ୍ୟରୋ): ଚତୁର୍ଦ୍ଧାବିଗ୍ରହ ଏବେ ଆଡ଼ପମଣ୍ଡପରେ । ଏପେଟ କିନ୍ତୁ ଖାଁଖାଁ ଶ୍ରୀମନ୍ଦିର । ରନ୍ଧା ହେଉନି ଷାଠିଏ ପଉଠି କି ଦେଖିବାକୁ ମିଳୁନି ଗହଳିଚହଳି । ଭାଇଭଉଣୀ ଓ ସୁଦର୍ଶନଙ୍କୁ ସାଥୀରେ ଧରି କାଳିଆ ଠାକୁର ଏବେ ଜନ୍ମବେଦୀରେ । ଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ମହକୁଛି ଓ ଷାଠିଏ ପଉଠି ଭୋଗ ଖାଉଛନ୍ତି ମହାପ୍ରଭୁ । ଜଗତର କଲ୍ୟାଣ କଥା ଚିନ୍ତା କରିଥିବା କୋଟି ପ୍ରାଣର ଦେବତା କିନ୍ତୁ ତାଙ୍କ ଦାୟିତ୍ୱ ଭୁଲି ନାହାନ୍ତି । ସବୁବେଳେ ଘର ଚଳାଉ ଥିବା କାଳିଆ ଠାକୁର ଘର ଛାଡ଼ିବା ବେଳେ ପନôୀଙ୍କ ଚଳିବା ପାଇଁ ଚାଙ୍ଗଡ଼ାରେ ଦେଇ ଆସିଛନ୍ତି ଦୁଇ ବିଡ଼ା କଳମ ଶାଗ, ନଡ଼ିଆ, କିଛି ଚାଉଳ ଓ ପନିପରିବା । ଏହାକୁ ନେଇ ୯ ଦିନ ଧରି ଚଳିବେ ମହାଲକ୍ଷ୍ମୀ ଠାକୁରାଣୀ । ରଥଯାତ୍ରାକୁ ନେଇ ଯୋଡ଼ି ରହିଛି ଏଭଳି ଏକ ନିଆରା ପରମ୍ପରା । ଠାକୁର ରଥଯାତ୍ରାରେ ଯିବାପରେ ଶ୍ରୀମନ୍ଦିର ଜଗମୋହନରେ ଶ୍ରୀଦେବୀ (ଲକ୍ଷ୍ମୀ), ଭୁଦେବୀ, ମାଧବ ପୂଜା ପାଉଛନ୍ତି ।
ଶ୍ରୀମନ୍ଦିରରେ ଏବେ ଶ୍ରୀଦେବୀ, ଭୁଦେବୀ ଓ ମାଧବକୁ ଦର୍ଶନ ଦେବା ସହ ମହାପ୍ରଭୁ ଦେଇ ଯାଇଥିବା କଳମ ଶାଗ, ନଡ଼ିଆ ଓ ଚାଉଳ ଦେଖିବାକୁ ମିଳୁଛି । ଏନେଇ ଲୋକ ମତରେ କଥିତ ରହିଛି ମହାପ୍ରଭୁ ଘୋଷଯାତ୍ରାରେ ବାହାରିବା ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କ ଖାଇବା ଓ ପିଇବା ବ୍ୟବସ୍ଥା କରିଯାଇଥାନ୍ତି । ସେ ତାଙ୍କ ପାଇଁ କଳମ ଶାଗ, ନଡ଼ିଆ ଓ ଚାଉଳ ଦେଇଯାଇଥା’ନ୍ତି । ଠାକୁର ୭ ଦିନ ପାଇଁ କହି ୯ଦିନ ଫେରନ୍ତି ବୋଲି କୁହାଯାଏ । କିନ୍ତୁ ବାସ୍ତବରେ ମହାପ୍ରଭୁଙ୍କୁ ପାଖରେ ନ ପାଇ ବିରହ ବେଦନାରେ ରହିଛନ୍ତି ମା’ ଲକ୍ଷ୍ମୀ । ସବୁବେଳେ ଖାଉଥିବା ସ୍ୱାଦିଷ୍ଟ ବ୍ୟଞ୍ଜନ ପରିତ୍ୟାଗ କରି କଳମ ଶାଗ, ନଡ଼ିଆ ଓ ଚାଉଳରେ ଚଳାଇ ଦେଉଛନ୍ତି । ଏହା କେବଳ ଲୋକ ମୁଖରେ ରହି ଆସିଛି । କିନ୍ତୁ କୌଣସି ଶାସ୍ତ୍ରରେ ଏହା ଉଲ୍ଲେଖ ନାହିଁ ବୋଲି ଗବେଷକମାନେ ମତ ଦେଇଥାନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *