ଲୁହାଗୁଣ୍ଡ ଟ୍ରାନ୍ସପୋର୍ଟରେ ନଦୀପାଣି ବ୍ୟବହାରକୁ ବିରୋଧ
ବୈତରଣୀ ବଞ୍ଚାଅ ଆନେ୍ଦାଳନ, ୩୧ରେ ବେସିନ୍ସ୍ତରୀୟ ସମ୍ମିଳନୀ
କେନ୍ଦୁଝର (ଆପ୍ର): ବୈତରଣୀ ଓ କେନ୍ଦୁଝର ଜିଲ୍ଲାର ଅନ୍ୟ ନଦୀ ଗୁଡିକର ସୁରକ୍ଷା ପାଇଁ ଆଜି ସ୍ଥାନୀୟ ରୋଟାରୀ ଭବନରେ ବୈତରଣୀ ବଞ୍ଚାଅ ଆନେ୍ଦାଳନର ଆହ୍ୱାନ କ୍ରମେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏଥିଷର ନଦୀ ସୁରକ୍ଷା ପାଇଁ ଆନେ୍ଦାଳନକୁ ତୀବ୍ର କରିବା ପାଇଁ ବିଭିନ୍ନ ନିଷ୍ପତ୍ତି ହୋଇଛି । ବୈତରଣୀ ଅବବାହିକାରେ ଥିବା କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାର ନଦୀ ପ୍ରେମୀମାନଙ୍କୁ ନେଇ ଆସନ୍ତା ଜୁଲାଇ ୩୧ରେ ଟାଉନ୍ହଲରେ ଏକ ବିଶାଳ ସମ୍ମିଳନୀ ଆୟୋଜିତ ହେବ । ନଦୀ ପାଣିକୁ ସ୍ଲରି ପାଇପ୍ ଲାଇନ୍ ଯୋଗେ ଲୁହାପଥର ଗୁଣ୍ଡ ଚାଲାଣ ପାଇଁ କୌଣସି ମତେ ଦିଆଯିବ ନାହିଁ ଏବଂ ଏଥିପାଇଁ ଜୋରଦାର ପ୍ରତିବାଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ୧୦୦୦୦ ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଅଗଷ୍ଟରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ । ନଦୀ ସହିତ ଲୋକଙ୍କୁ ନିବିଡ ଭାବରେ ଯୋଡିବା ଓ ନଦୀର ସୁରକ୍ଷା ପାଇଁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ବୈତରଣୀ ନଦୀ ପାଠଶାଳା ଆରମ୍ଭ ହେବ । ବିଶିଷ୍ଟ ଗବେଷକ ଓ ପୂର୍ବତନ ଅଧ୍ୟକ୍ଷ ଡ ବିମ୍ବାଧର ବେହେରା ଏହାର ଆବାହକ ରହିବେ । ବୈତରଣୀ ବଞ୍ଚାଁ ଆନେ୍ଦାଳନରେ ଆବାହକ ଭାବରେ ବିଶିଷ୍ଟ ସମାଜସେବୀ ତଥା ସାମ୍ବାଦିକ ମଳୟ ମହାପାତ୍ର ଆବାହକ ଓ ଦିଲ୍ଲୀପ କୁମାର ସାହୁ ଓ ଅଶୋକ କୁମାର ଠକର ଯୁଗ୍ମ ଆବାହକ ଭାବେ କାର୍ଯ୍ୟ କରିବେ ।
ଯାଜପୁର, କେନ୍ଦ୍ରାପଡା,ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ଯୁଗ୍ମ ଆବାହକ ରହିବେ । ବୈତରଣୀ ଅବବାହିକାରେ ବିଭିନ୍ନ ସ୍ଥାନରେ ହୋର୍ଡିଂ, ବ୍ୟାନର ଆଦି ଲଗାଯିବ । ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ, ବୁଦ୍ଧିଜୀବୀଙ୍କୁ ନେଇ ଏହି ପ୍ରୟାସରେ ସାମିଲ ହେବାକୁ ଆଜିର ବୈଠକରେ ନିବେଦନ କରାଯାଇଛି । ବିପ୍ଳବ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆବାହକ ସୁଦର୍ଶନ ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସାଳନ୍ଦୀ ବିକାଶ ମଞ୍ଚର ଆବାହକ ପ୍ରତାପ ପାଢୀ, ସୁନା-କାରୋ ବଞ୍ଚାଅ ଆନେ୍ଦାଳନର ଆବାହକ ଅଶୋକ ଥକର, ସତ୍ୟ ସାମନ୍ତରାୟ, ରାମ ନାରାୟଣ ଦ୍ୱିବେଦୀ, ଦେବାଶିଷ ଚକ୍ରବର୍ତ୍ତି, ବିମ୍ବାଧର ବେହେରା, ପିନାକୀ ମିଶ୍ର, ଜ୍ଞାନରଞ୍ଜନ ମିଶ୍ରଙ୍କ ସମେତ ଅନ୍ୟମାନେ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।