ଭାରତ ଇନିଂସ୍ ଅଗ୍ରଣୀ

ପଞ୍ଚମ ଟେଷ୍ଟ, ତୃତୀୟ ଦିବସ
ବର୍ମିଂହାମ୍, ୩ା୭ (ଏଜେନ୍ସି): ମହମ୍ମଦ ସିରାଜଙ୍କ ପ୍ରଭାବଶାଳୀ ବୋଲିଂ ବଳରେ ଟିମ୍ ଇଣ୍ଡିଆ ପଞ୍ଚମ ଟେଷ୍ଟର ତୃତୀୟ ଦିନ ଇନିଂସ୍ ଅଗ୍ରଣୀ ହାସଲ କରିବା ସହିତ ମଜଭୁତÿ ସ୍ଥିତିରେ ପହଞ୍ଚିଛି । ରିପୋର୍ଟ ଲେଖା ଶେଷ ହେବା ବେଳକୁ ଭାରତୀୟ ଟିମ୍ ଦ୍ୱିତୀୟ ଇନିଂସ୍ରେ ୩୬ ଓଭର୍ ଖେଳି ୩ ୱିକେଟ୍ ହରାଇ ୧୦୨ ରନ୍ ସଂଗ୍ରହ କରିଥିଲା । ଅଦ୍ୟାବଧି ଟିମ୍ ୨୩୪ ରନ୍ରେ ଆଗରେ ରହିଛି । ଚେତେଶ୍ୱର ପୂଜାରା ୪୩ ଓ ରିଷଭ ପନ୍ତ ୧୫ ରନ୍ କରି ଅପରାଜିତ ଥିଲେ ।
ପ୍ରଥମ ଇନିଂସ୍ ଭିତ୍ତିରେ ୧୩୨ ରନ୍ରେ ଆଗୁଆ ରହିଥିବା ଭାରତୀୟ ଟିମ୍ର ଦ୍ୱିତୀୟ ଇନିଂସ୍ରେ ଓପନିଂ ଯୋଡ଼ି ପ୍ରଥମ ଓଭର୍ରେ ଭାଙ୍ଗିଥିଲା । ଜେମ୍ସ ଆଣ୍ଡରସନ୍ଙ୍କ ବଲ୍ରେ ଶୁଭମନ ଗିଲ୍ ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ଚେତେଶ୍ୱର ପୂଜାରା ନୂଆ ବ୍ୟାଟର୍ ହନୁମା ବିହାରୀଙ୍କ ସହ ମିଶି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ ।
ଚା’ପାନ ବିରତି ସୁଦ୍ଧା ସ୍କୋର୍ ହୋଇଥିଲା ୩୭/୧ । ଏହାପରେ ଏହି ଯୋଡ଼ି ଆଉ ବେଶୀ ବାଟ ଯାଇପାରି ନ ଥିଲା । ବିହାରୀ ୧୧ ରନ୍ କରି ଷ୍ଟୁଆର୍ଟ ବ୍ରଡ୍ଙ୍କ ବଲ୍ରେ ଜନି ବେଆର୍ଷ୍ଟୋଙ୍କୁ କ୍ୟାଚ୍ ଦେଇଥିଲେ । ଦ୍ୱିତୀୟ ୱିକେଟ୍ ପାଇଁ ୩୯ ରନ୍ର ଭାଗୀଦାରୀ ହୋଇଥିଲା ।
ଏହାପରେ ପୂଜାରା ନୂଆ ବ୍ୟାଟର୍ ବିରାଟ କୋହଲିଙ୍କ ସହ ମିଶି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ ବି ଏହି ଯୋଡ଼ି ବଡ଼ ଭାଗୀଦାରୀ କରିପାରି ନ ଥିଲା । ଉଭୟ ତୃତୀୟ ୱିକେଟ୍ ପାଇଁ ୩୨ ରନ୍ ଯୋଗ କରିଥିଲେ । କୋହଲି ୨୦ ରନ୍ କରି ଷ୍ଟୋକ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ କ୍ରିଜ୍ରେ ଯୋଗ ଦେଇଥିବା ରିଷଭ ପନ୍ତଙ୍କ ସହ ମିଶି ଇନିଂସ୍କୁ ଆଗେଇ ନେଇଥିଲେ ପୂଜାରା । ୩୬ତମ ଓଭର୍ରେ ସ୍କୋର୍ ୧୦୦ ଅତିକ୍ରମ କରିଥିଲା ।
ଏଥି ପୂର୍ବରୁ ପ୍ରଥମ ଇନିଂସ୍ରେ ଭାରତର ୪୧୬ ରନ୍ ଜବାବରେ ଇଂଲଣ୍ଡ ଟିମ୍ ବେଆର୍ଷ୍ଟୋଙ୍କ ଶତକ ସତ୍ତ୍ୱେ ୨୮୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ତୃତୀୟ ଦିନ ସିରାଜ (୬୬/୪)ଙ୍କୁ ତିନି ୱିକେଟ୍ ମିଳିଥିବା ବେଳେ ଶାର୍ଦ୍ଦୂଳ ଠାକୁର (୪୮/୧) ଓ ମହମ୍ମଦ ଶାମୀ (୭୮/୨) ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଦ୍ୱିିତୀୟ ଦିନ ଯଶପ୍ରୀତ ବୁମ୍ରା (୬୮/୩)ଙ୍କୁ ୩ ୱିକେଟ୍ ମିଳିଥିଲା ।
ରବିବାର ଆୟୋଜକ ଟିମ୍ ୮୪/୫ ସ୍କୋର୍ରୁ ଅସମାପ୍ତ ଇନିଂସ୍ ଆରମ୍ଭ କରିଥିଲା । ପୂର୍ବ ଦିନ କ୍ରିଜ୍ରେ ଥିବା ବେଆରଷ୍ଟୋ ଓ ଅଧିନାୟକ ବେନ୍ ଷ୍ଟୋକ୍ସ ଷଷ୍ଠ ୱିକେଟ୍ ପାଇଁ ୬୬ ରନ୍ର ଭାଗୀଦାରୀ କରିଥିଲେ । ଷ୍ଟୋକ୍ସ (୨୫)ଙ୍କୁ ଆଉଟ୍ କରି ଠାକୁର ଏହି ଯୋଡ଼ି ଭାଙ୍ଗିଥିଲେ । ଷ୍ଟୋକ୍ସ ବଲ୍କୁ ମିଡ୍-ଅଫ୍ ବାଉଣ୍ଡାରୀ ବାହାରକୁ ପଠାଇବାକୁ ଚାହୁଁଥିଲେ, ହେଲେ ବୁମ୍ରା ଏକ ସୁନ୍ଦର କ୍ୟାଚ୍ ଧରିଥିଲେ । ଏହା ପୂର୍ବରୁ ଶାମୀ ତାଙ୍କର ଏକ କ୍ୟାଚ୍ ଛାଡ଼ି ଦେଇଥିଲେ ।
ଦୃଢ଼ତାର ସହ ଖେଳୁଥିବା ବେଆର୍ଷ୍ଟୋ ନୂଆ ବ୍ୟାଟର୍ ସାମ୍ ବିଲିଙ୍ଗ୍ସଙ୍କ ସହ ମିଶି ଇନିଂସ୍କୁ ଆଗେଇ ନେଇଥିଲେ । ସ୍କୋର୍ ୨୦୦/୬ ହୋଇଥିବା ବେଳେ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଥିଲା । ସେତେବେଳେ ବେଆରଷ୍ଟୋ ଶତକ ଠାରୁ ୯ ରନ୍ ଦୂରରେ ଥିଲେ । ଏହାପରେ ଭୋଜନକାଳ ବିରତି ନିଆଯାଇଥିଲା । ବିରତି ପରେ ବି ବର୍ଷା ଯୋଗୁଁ କିଛି ଓଭର୍ ଖେଳ ନଷ୍ଟ ହୋଇଥିଲା ।
ଏହାପରେ ପାଗ ଅନୁକୂଳ ହେବାରୁ ପୁଣି ଖେଳ ଆରମ୍ଭ ହୋଇଥିଲା । ବେଆରଷ୍ଟୋ ୧୧୯ ବଲ୍ରୁ ଶତକ ପୂରଣ କରିଥିଲେ । ଏହା ତାଙ୍କର ୧୧ତମ ଟେଷ୍ଟ ଶତକ ଥିଲା ଏବଂ କ୍ରମାଗତ ତୃତୀୟ ମଧ୍ୟ । ତେବେ ସେ ଆଉ ବେଶୀ ବାଟ ଅଗ୍ରସର ହୋଇପାରି ନ ଥିଲେ । ଶାମୀ ତାଙ୍କ ଇନିଂସ୍ର ଅନ୍ତ ଘଟାଇଥିଲେ । ବେଆରଷ୍ଟୋ ୧୪୦ ବଲ୍ରୁ ୧୪ ଚୌକା ଓ ୨ ଛକା ସହାୟତାରେ ୧୦୬ ରନ୍ର ଇନିଂସ୍ ଖେଳି କୋହଲିଙ୍କୁ କ୍ୟାଚ୍ ଦେଇଥିଲେ ।
ସପ୍ତମ ୱିକେଟ୍ ପାଇଁ ୯୨ ରନ୍ ଯୋଗ ହୋଇଥିଲା । ପରବର୍ତ୍ତୀ ବ୍ୟାଟର୍ ବ୍ରଡ୍ ମାତ୍ର ୧ ରନ୍ କରି ସିରାଜଙ୍କ ଶିକାର ହୋଇଥିଲେ । ବିଲିଙ୍ଗ୍ସ (୩୬) ଓ ମାଥୁ୍ୟ ପଟ୍ସ (୧୯) ଉଭୟଙ୍କ ୱିକେଟ୍ ମଧ୍ୟ ସିରାଜଙ୍କ ଖାତାକୁ ଯାଇଥିଲା । ଆଣ୍ଡରସନ୍ ୬ ରନ୍ କରି ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *