ବିଧାନସଭା ଆରମ୍ଭରୁ ନୂପୁର ଝଡ଼
ଭୁବନେଶ୍ୱର,୨ା୭(ବୁ୍ୟରୋ): ଦେଶରେ ନୁପୂର ଶର୍ମା ଝଡ଼ ଥମିନଥିବା ବେଳେ ବିଧାନସଭାରେ ଏହାର ପ୍ରଭାବ ଦେଖାଦେଇଛି । ଗୃହରେ ନୁପୂର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ସଦସ୍ୟ ମୁହାଁମୁହିଁ ହୋଇଛନ୍ତି । ପରିସ୍ଥିତି ଏମତି ହେଲା ଯେ ବାଚସ୍ପତିଙ୍କ ପୋଡିୟମ ତଳେ ଉଭୟ ଦଳର ସଦସ୍ୟମାନେ ଆସି ହୋହାଲ୍ଲା କରିଥିଲେ । ଗୃହ ସ୍ୱାଭାବିକ ନହେବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ରଖିଥିଲେ । ତେବେ ଦ୍ୱିତୀୟାର୍ଦ୍ଧରେ ଗୃହ ସ୍ୱାଭାବିକ ହେବା ସହ ୨ଠ୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବଜେଟ୍ ଆଗତ ହୋଇଥିଲା ।
ମଙ୍ଗଳବାରଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଶୋକପ୍ରସ୍ତାବ ପରେ ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଥିଲା । ହେଲେ ଶୂନ୍ୟକାଳରେ ଦେଖାଦେଇଥିଲା ନୁପୂର ଝଡ଼ । କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଥିଲେ, ନୁପୂର ଶର୍ମା ବିଜେପି ଦଳର ମୁଖପାତ୍ର ଅର୍ଥାତ୍ ପାର୍ଟିର ଏଜେଣ୍ଟ । ସୁପ୍ରିମକୋର୍ଟ ନୁପୂରଙ୍କୁ ଭର୍ତ୍ସନା କରିଥିବାରୁ ପରୋକ୍ଷରେ ବିଜେପିକୁ ମଧ୍ୟ ଭର୍ତ୍ସନା କରିଛନ୍ତି । ତେଣୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିଜ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ । ଶ୍ରୀ ମିଶ୍ର ପୁଣି ଥରେ ଏ ପ୍ରସଙ୍ଗ ଉଠାଇବା ବେଳେ ଆରମ୍ଭ ହୋଇଥିଲା ହଟ୍ଟଗୋଳ । ବିରୋଧୀ ଦଳର ଉପନେତା ବିଷ୍ଣୁ ଚରଣ ସେଠୀ ଏହାର ଜବାବ୍ ରଖିଥିଲେ । ଉଦୟପୁରରେ ଯେଉଁ ଘଟଣା ଘଟିଲା ସେଠି କଂଗ୍ରେସ ସରକାର ଅଛି । କଂଗ୍ରେସ ସରକାର ସେଠି ଇସ୍ତଫା ଦେଲେ କି ସେ ପ୍ରଶ୍ନ କରିଥିଲେ । ଏହି ଘଟଣାକୁ ନେଇ ତମ୍ବିତୋଫାନ ହେବା ପରେ ବିଜେପି ନୁପୂରୁଙ୍କୁ ନିଲମ୍ବନ କରି ସାରିଛି । ସେ ମଧ୍ୟ ପରୋକ୍ଷରେ କ୍ଷମା ପ୍ରାର୍ଥନା କରିଛନ୍ତି ।
ନୁପୂର ଶର୍ମା ଗୃହର ସଦସ୍ୟ ନୁହେଁ, ତେଣୁ କାହିଁକି ସେ ବିଷୟରେ ଆଲୋଚନା ହେବ ବୋଲି ସେ ପ୍ରଶ୍ନ କରିଥିଲେ । ଏହାବାଦ୍ କାଶ୍ମୀର ପଣ୍ଡିତଙ୍କ କଥା ଉଠାଇ କଂଗ୍ରେସକୁ ମଧ୍ୟ କଡା ସମାଲୋଚନା କରିଥିଲେ ଶ୍ରୀ ସେଠୀ ।
ଗୃହରେ କଂଗ୍ରେସ ଓ ବିଜେପି ବିଧାୟକଙ୍କ ମଧ୍ୟରେ କଥା କଟାକଟି ଲାଗି ରହିବାରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଏହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଥିଲେ, ଯାହାଙ୍କ ବିଷୟରେ ଆଲୋଚନା ହେଉଛି ସେ ଏହି ଗୃହର ସଦସ୍ୟ ନୁହନ୍ତି । ତେଣୁ ଏ ବିଷୟରେ ଅଧିକ ଆଲୋଚନା ହେବା କଥା ନୁହେଁ । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ହଟ୍ଟଗୋଳ ଜାରି ରହିଥିଲା । ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ପ୍ରଥମେ ଗୃହରେ ନିଜ ନିଜର ଆସନରେ ଛିଡ଼ା ହୋଇ ନାରାବାଜି କରିଥିଲେ । ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ପ୍ରଥମେ ୧୦ ମିନିଟ୍ ପାଇଁ ମୁଲତବୀ ରଖିଥିଲେ ବାଚସ୍ପତି । ପରେ ଗୃହ ମଧ୍ୟଭାଗକୁ ଉଭୟ ଦଳର ସଦସ୍ୟ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ । ମାତ୍ର ୧୦ ମିନିଟ୍ ପରେ ପରିସ୍ଥିତିରେ କୌଣସି ସୁଧାର ଆସି ନଥିଲା । ଶେଷରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।