କଟକକୁ ଫେରିଲା କଟକଣା

କୋଭିଡ୍ ଗାଇଡ୍ଲାଇନ୍ ବିଜ୍ଞପ୍ତି ଜାରି
କଟକ (ବୁ୍ୟରୋ): ଗତକିଛି ଦିନ ବ୍ୟବଧାନ ପରେ ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ଏଥିରୁ କଟକ ମଧ୍ୟ ବାଦ୍ ପଡ଼ିନାହିଁ । କଟକ ସହରରେ ପୂର୍ବରୁ ଦୈନିକ ସଂକ୍ରମଣ ୨ରୁ ୩ ରହୁଥିବା ବେଳେ ଅଚାନକ ଏହାର ବୃଦ୍ଧି ଘଟି ୨୩କୁ ପହଞ୍ଚିଛି । ଯାହାକୁ ନେଇ ଚିନ୍ତାରେ ପ୍ରଶାସନ । ତେବେ ସହରରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିଏମ୍ସି ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି । ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ସିଏମ୍ସି ଜାରି କରିଥିବା ଗାଇଡ୍ଲାଇନ ଅନୁସାରେ କଟକରେ ରହୁଥିବା ଲୋକ ଓ କଟକକୁ ଆସୁଥିବା ଲୋକ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏପରିକି ବାହାରକୁ କିମ୍ବା ସର୍ବସାଧାରଣ ସ୍ଥାନକୁ ଯାଉଥିବା ଲୋକେ ମାସ୍କ ପିନ୍ଧିବା ଜରୁରୀ କରାଯାଇଛି ।
ସର୍ବସାଧାରଣ ସ୍ଥାନରେ ପ୍ରତ୍ୟେକ ବ୍ୟକ୍ତି ଅନ୍ୟମାନଙ୍କ ଠାରୁ ୨ମିଟର ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ସେହିପରି ଦୋକାନ, ସପିଂମଲ୍ରେ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ଏହାଉପରେ ଦୋକାନ ଏବଂ ମଲ୍ ମାଲିକ ନଜର ରଖିବେ ବୋଲି ଜାରି କରାଯାଇଥିବା ଗାଇଡ଼ଲାଇନରେ ଦର୍ଶାଯାଇଛି । କଟକଣା ପାଳନ ହେଉ ନଥିବା ଧରାପଡ଼ିଲେ ସମ୍ପୃକ୍ତ ପ୍ରତିଷ୍ଠାନର କର୍ତ୍ତୃପକ୍ଷ ବା ମାଲିକ ଦାୟୀ ରହିବେ ବୋଲି କୁହାଯାଇଛି । ଏଥିସହିତ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ବାରଣ କରାଯାଇଛି । ସରକାରୀ ଓ ବେସରକାରୀ ପ୍ରତିଷ୍ଠାନଗୁଡ଼ିକରେ କର୍ମଚାରୀମାନେ ଯେପରି କଟକଣା ପାଳନ କରିବେ ସେଥିନିମନ୍ତେ ସମ୍ପୃକ୍ତ କର୍ତ୍ତୃପକ୍ଷ ଉପଯୁକ୍ତ ପଦକ୍ଷେପ ନେବାକୁ କୁହାଯାଇଛି । ଛିଙ୍କିବା ଓ କାଶିବା ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । କେହି ଏହାର ଉଲ୍ଲଘଂନ କଲେ କରୋନା ସଂକ୍ରମଣ ନିୟନ୍ତ୍ରଣ ନିୟମ ୨୦୨୦ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମ୍ସି ପକ୍ଷରୁ ଚେତାବନୀ ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *