ଶିନେ୍ଦଙ୍କୁ ଦଳରୁ ବହିଷ୍କାର କଲେ ଉଦ୍ଧବ

ମୁଁ ଦଳର ନେତା ସେ ନୁହଁନ୍ତି, ବହିଷ୍କାର ଅଧିକାର ତାଙ୍କର ନାହିଁ: ଏକନାଥ
ମୁମ୍ବାଇ (ଏଜେନ୍ସି): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ପ୍ରମୁଖ ଉଦ୍ଧବ ଠାକ୍ରେ ଶନିବାର ବିଦ୍ରୋହୀ ନେତା ଏକନାଥ ଶିନେ୍ଦଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ବହିଷ୍କାର କରିଛନ୍ତି । ଏନେଇ ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ଚିଠି ମଧ୍ୟ ଜାରି କରାଯାଇଛି । ଏଥିରେ ପୂର୍ବରୁ ସମସ୍ତ ବିଦ୍ରୋହୀ ମନ୍ତ୍ରୀଙ୍କ ଠାରୁ ମନ୍ତ୍ରୀପଦ ପ୍ରତ୍ୟାହାର କରିନିଆଯାଇସାରିଥିବା ବେଳେ ଏବେ ପ୍ରଥମ କରି ଏକନାଥ ଶିନେ୍ଦଙ୍କ ଦଳୀୟ ସଦସ୍ୟତା ତଥା ଦଳୀୟ ନେତା ପଦକୁ ବରଖାସ୍ତ କରାଯାଉଥିବା ସ୍ପଷ୍ଟ କରାଯାଇଛି । ଶିବସେନା ମୁଖ୍ୟ ଭାବେ ନିଜ କ୍ଷମତାର ଉପଯୋଗ ପୂର୍ବକ ଉଦ୍ଧବ ଠାକ୍ରେଙ୍କ ନିଷ୍ପତ୍ତି କ୍ରମେ ଦଳ ଏପରି ନିଷ୍ପତ୍ତି ନେଇଥିବା ଏଥିରେ ଉଲ୍ଲେଖ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ପ୍ରମୁଖଙ୍କ ବିରୋଧରେ ଷଡଯନ୍ତ୍ର କରିବା ପ୍ରମାଣ ଆଧାରରେ ଶିନେ୍ଦଙ୍କ ବିରୋଧରେ ଦଳ ଏହି କାର୍ଯ୍ୟାନୁୂଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇଥିବା ମଧ୍ୟ ଚିଠିରେ ଦର୍ଶାଯାଇଛି । ଅପରପକ୍ଷେ ଉଦ୍ଧବଙ୍କ ଏପ୍ରକାର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଶିନେ୍ଦ କହିଛନ୍ତି ଯେ, ସେ ହିଁ ଦଳର ନେତା, ଉଦ୍ଧବ ନୁହଁନ୍ତି । ସୁତରାଂ ତାଙ୍କୁ ଦଳରୁ ବହିଷ୍କାର କରିବାର ଅଧିକାର ଉଦ୍ଧବଙ୍କର ନାହିଁ ।
ପ୍ରକାଶ, ଶିବସେନାର ଅନ୍ୟତମ ତୁଙ୍ଗ ନେତା ଭାବେ ପରିଚିତ ଏକନାଥ ଶିନେ୍ଦ, ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ବିଜେପି ସହ ମିଶି ସରକାର ଗଠନ କରିବା ସହ ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଛନ୍ତି । ବିଦ୍ରୋହ କରିବା ପର ଠାରୁ ଶିନେ୍ଦ, ନିରନ୍ତର ନିଜକୁ ଏବଂ ଅନ୍ୟ ବିଦ୍ରୋହୀ ନେତାମାନଙ୍କୁ ଦିବଂଗତ ନେତା ବାଲାସାହେବ ଠାକ୍ରେଙ୍କ ବାସ୍ତବ ରାଜନୈତିକ ଉତ୍ତରାଧିକାରୀ ଭାବେ ଦାବି କରିଆସୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *