ବୁମ୍ରାଙ୍କ ରେକର୍ଡ

ବର୍ମିଂହାମ୍, ୨ା୭ (ଏଜେନ୍ସି): ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପଞ୍ଚମ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନ ଶନିବାର ଟିମ୍ ଇଣ୍ଡିଆର ଅଧିନାୟକ ଯଶପ୍ରୀତ ବୁମ୍ରା ଧୂଆଁଦାର ବ୍ୟାଟିଂ କରି ୧୬ ବଲ୍ରୁ ଅପରାଜିତ ୩୧ ରନ୍ କରିଥିଲେ । ଏହି ଇନିଂସ୍ ସମୟରେ ସେ ଇଂଲଣ୍ଡ ପେସର୍ ଷ୍ଟୁଆର୍ଟ ବ୍ରଡ୍ଙ୍କ ଗୋଟିଏ ଓଭର୍ରେ ନିସ୍ତୁକ ପ୍ରହାର କରିଥିଲେ ।
ବ୍ରଡ୍ ଏହି ଓଭର୍ରେ ୩୫ ରନ୍ ଦେଇଥିଲେ । ଏହା ଟେଷ୍ଟ କ୍ରିକେଟ୍ର ୧୪୫ ବର୍ଷର ଇତିହାସରେ ସବୁଠାରୁ ମହଙ୍ଗା ଓଭର୍ ସାବ୍ୟସ୍ତ ହୋଇଛି । ଏହା ସହିତ ଟେଷ୍ଟରେ ବୁମ୍ରା ୱେଷ୍ଟଇଣ୍ଡିଜ୍ର ପୂର୍ବତନ ଅଧିନାୟକ ବ୍ରାଏନ୍ ଲାରା ଓ ଅଷ୍ଟ୍ରେଲିଆର ଜର୍ଜ ବେଲୀଙ୍କ ଗୋଟିଏ ଓଭର୍ରେ ସର୍ବାଧିକ ରନ୍ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି । ଲାରା ୨୦୦୩-୦୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟେଷ୍ଟରେ ରବିନ୍ ପିଟରସନ୍ଙ୍କ ଗୋଟିଏ ଓଭର୍ରେ ୨୮ ରନ୍ ସଂଗ୍ରହ କରିଥିଲେ । ସେହିପରି ଅଷ୍ଟ୍ରେଲିଆର ଜର୍ଜ ବେଲୀ ୨୦୧୩-୧୪ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଜେମ୍ସ ଆଣ୍ଡରସନ୍ଙ୍କ ଗୋଟିଏ ଓଭର୍ରେ ୨୮ ରନ୍ କରିଥିଲେ ।
ଭାରତୀୟ ଇନିଂସ୍ର ୮୪ତମ ଓଭର୍ ବୋଲିଂ କରି ବ୍ରଡ୍ ଦେଇଥିବା ୩୫ ରନ୍ ମଧ୍ୟରୁ ବୁମ୍ରା ୨୯ ରନ୍ କରିଥିବା ବେଳେ ୬ ଅତିରିକ୍ତ ରନ୍ ହୋଇଥିଲା । ବ୍ରଡ୍ଙ୍କ ପ୍ରଥମ ବଲ୍ରେ ବୁମ୍ରା ଚୌକା ମାରିଥିଲେ । ଦ୍ୱିତୀୟ ବଲ୍ ୱାଇଡ୍ ଓ ନୋ ହେବା ଯୋଗୁଁ ତିନି ଥର ପକାଯାଇଥିଲା । ୱାଇଡ୍ ସହିତ ବଲ୍ ବାଉଣ୍ଡାରୀରେ ପହଞ୍ଚିଥିଲା ଏବଂ ଟିମ୍ ଇଣ୍ଡିଆକୁ ୫ ରନ୍ ମିଳିଥିଲା । ଏହାପରେ ବ୍ରଡ୍ ନୋ ବଲ୍ ପକାଇଥିଲେ । ଏଥିରେ ବୁମ୍ରା ଛକା ଲଗାଇଥିଲେ ଓ ଏହାପରେ ଚୌକା ମାରିଥିଲେ । ତୃତୀୟ ବଲ୍ରେ ଅଧିନାୟକ ଫାଇନ୍ ଲେଗ୍ରେ ଏକ ଚିତ୍ତାକର୍ଷକ ଚୌକା ଲଗାଇଥିଲେ । ଚତୁର୍ଥ ବଲ୍ରେ ବୁମ୍ରା ଆଉ ଏକ ଚୌକା ମାରିଥିଲେ । ଇଂଲଣ୍ଡ ପେସର୍ଙ୍କ ପଞ୍ଚମ ବଲ୍ରେ ଏହି ଭାରତୀୟ ବ୍ୟାଟର୍ ଏକ ଛକା ମାରିଥିବା ବେଳେ ଷଷ୍ଠ ବଲ୍ରେ ୧ ରନ୍ ନେଇ ଷ୍ଟ୍ରାଇକ୍ ନିଜ ପାଖରେ ରଖିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟି-୨୦ ଆନ୍ତର୍ଜାତିକରେ ବ୍ରଡ୍ଙ୍କ ଗୋଟିଏ ଓଭର୍ରେହିଁ ଭାରତର ବାମହାତି ବ୍ୟାଟର୍ ଯୁବରାଜ ସିଂହ ୬ ଛକା ମାରି ଇତିହାସ ରଚିଥିଲେ । ୨୦୦୭ ଟି-୨୦ ବିଶ୍ୱକପ୍ ସମୟରେ ଯୁବି ଏହି କମାଲ୍ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *