ବର୍ଷା ପ୍ରଭାବିତ ଦିନରେ ବୁମ୍ରା ଚମକ

ବର୍ମିଂହାମ୍, ୨ା୭ (ଏଜେନ୍ସି): ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପଞ୍ଚମ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ବର୍ଷା ଯୋଗୁଁ ବାରମ୍ବାର ବାଧାପ୍ରାପ୍ତ ହୋଇଛି । ଶୁକ୍ରବାର ବର୍ଷାର ପ୍ରଭାବ ମଧ୍ୟରେ ଭାରତୀୟ ଅଧିନାୟକ ଯଶପ୍ରୀତ ବୁମ୍ରାଙ୍କ ଚମକ ଦେଖିବାକୁ ମିଳିଛି । ବ୍ୟାଟିଂରେ ସେ ୩୧ ରନ୍ର ଧୂଆଁଦାର ଇନିଂସ୍ ଖେଳିବା ସହ ବିଶ୍ୱ ରେକର୍ଡ କରିଥିବା ବେଳେ ବୋଲିଂରେ ପ୍ରଥମ ତିନି ବ୍ୟାଟର୍ଙ୍କୁ ପାଭିଲିଅନ୍ ପଠାଇଥିଲେ । ରିପୋର୍ଟ ଲେଖା ଶେଷ ହେବା ବେଳକୁ ଇଂଲଣ୍ଡ ପ୍ରଥମ ଇନିଂସ୍ରେ ୧୭ ଓଭର୍ ଖେଳି ୩ ୱିକେଟ୍ ହରାଇ ୭୧ ରନ୍ ସଂଗ୍ରହ କରିଥିଲା । ଜୋ ରୁଟ୍ ୨୭ ଓ ଜନି ବେଆରଷ୍ଟୋ ୮ ରନ୍ କରି ଅପରାଜିତ ଥିଲେ ।
ବୁମ୍ରା ଇଂଲଣ୍ଡ ଇନିଂସ୍ର ତୃତୀୟ ଓଭର୍ର ଶେଷ ବଲ୍ରେ ଆଲେକ୍ସ ଲିସ୍ (୬)ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ । ଏହାପରେ ଜ୍ୟାକ୍ କ୍ରାଉଲ୍ (୯) ବୁମ୍ରାଙ୍କ ବାହାରକୁ ଯାଉଥିବା ବଲ୍କୁ ବୁଝି ନ ପାରି ଶୁଭମନ ଗିଲ୍ଙ୍କୁ ସହଜ କ୍ୟାଚ୍ ଦେଇଥିଲେ । ବୁମ୍ରା ଦୁଇ ଓପନର୍ଙ୍କ ଛଡ଼ା ଓଲୀ ପୋପ୍ଙ୍କୁ ବି ପାଭିଲିଅନ୍ ପଠାଇଥିଲେ । ପୋପ୍ ୧୦ ରନ୍ କରିଥିଲେ । ବୁମ୍ରାଙ୍କ ଅଫ୍ଷ୍ଟମ୍ପ୍ରୁ ବାହାରକୁ ଯାଉଥିବା ବଲ୍କୁ ପୋପ୍ ଛାଡ଼ିବାକୁ ଚାହୁଁଥିଲେ ଏବଂ ଏହି ପ୍ରୟାସ ବେଳେ ସ୍ଲିପ୍ରେ ଥିବା ଶ୍ରେୟାସ ଆୟର ହାତରେ ଧରା ପଡ଼ିଥିଲେ । ୪୪ ରନ୍ରେ ଟିମ୍ର ତିନି ୱିକେଟ୍ ପଡ଼ିଥିଲା ।
ବର୍ଷା ଯୋଗୁଁ ତୃତୀୟ ଥର ଖେଳ ବାଧାପ୍ରାପ୍ତ ହେବା ବେଳକୁ ଇଂଲଣ୍ଡ ପ୍ରଥମ ଇନିଂସ୍ରେ ୧୫.୧ ଓଭର୍ରେ ୩ ୱିକେଟ୍ ହରାଇ ୬୦ ରନ୍ ସଂଗ୍ରହ କରିଥିଲା । ଜୋ ରୁଟ୍ ୧୯ ଓ ଜନି ବେଆରଷ୍ଟୋ ୬ ରନ୍ କରି ଅପରାଜିତ ଥିଲେ । ଏହାପରେ ଟି-ବ୍ରେକ୍ ନିଆଯାଇଥିଲା । ପରେ ବର୍ଷା ଛାଡ଼ିବାରୁ ଖେଳ ପୁଣି ଆରମ୍ଭ ହୋଇଥିଲା ।
ଏଥି ପୂର୍ବରୁ ଭାରତୀୟ ଟିମ୍ ୩୩୮/୭ ସ୍କୋର୍ରୁ ଅସମାପ୍ତ ପ୍ରଥମ ଇନିଂସ୍ ବ୍ୟାଟିଂ ଆରମ୍ଭ କରିଥିଲା । ପୂର୍ବଦିନ କ୍ରିଜ୍ରେ ଥିବା ରବୀନ୍ଦ୍ର ଜାଡ଼େଜା ଓ ମହମ୍ମଦ ଶାମୀ ଇନିଂସ୍କୁ ଆଗେଇ ନେଇଥିଲେ । ଇତ୍ୟବସରେ ଜାଡ଼େଜା ୧୮୩ ବଲ୍ରୁ ଶତକ ପୂରଣ କରିଥିଲେ । ଏହା ତାଙ୍କ ଟେଷ୍ଟ କ୍ୟାରିଅରର ତୃତୀୟ ଶତକ ଥିଲା । ତେବେ ବିଦେଶ ମାଟିରେ ପ୍ରଥମ ଶତକ ।
ଶାମୀ ୧୬ ରନ୍ କରି ଷ୍ଟୁଆର୍ଟ ବ୍ରଡ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଅଷ୍ଟମ ୱିକେଟ୍ ପାଇଁ ୪୮ ରନ୍ର ଭାଗୀଦାରୀ ହୋଇଥିଲା । ଜାଡ଼େଜାଙ୍କ ଇନିଂସ୍ ବି ଆଉ ବେଶୀ ବାଟ ଯାଇ ନ ଥିଲା ଏବଂ ସେ ବ୍ୟକ୍ତିଗତ ୧୦୪ ରନ୍ରେ ଜେମ୍ସ ଆଣ୍ଡରସନ୍ଙ୍କ ଚତୁର୍ଥ ଶିକାର ହୋଇଥିଲେ । ସେ ୧୯୪ ବଲ୍ ଖେଳି ୧୩ ଚୌକା ମାରିଥିଲେ ।
୩୭୫ ରନ୍ରେ ନବମ ୱିକେଟ୍ ପଡ଼ିଥିଲା । ଏହାପରେ ବୁମ୍ରାଙ୍କ ପ୍ରୟାସରେ ଇନିଂସ୍ ୪୦୦ ଅତିକ୍ରମ କରିଥିଲା । ମହମ୍ମଦ ସିରାଜ ୨ ରନ୍ କରି ଶେଷ ବ୍ୟାଟର୍ ଭାବେ ଆଣ୍ଡରସନ୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଭାରତୀୟ ଟିମ୍ ୮୪.୫ ଓଭର୍ ଖେଳି ୪୧୬ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ବୁମ୍ରା ୧୬ ବଲ୍ରୁ ୩୧ ରନ୍ କରି ଅପରାଜିତ ଥିଲେ ।
ବୁମ୍ରା ଇତ୍ୟବସରେ ଏକ ବିଶ୍ୱ ରେକର୍ଡ କରିଥିଲେ । ସେ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍ର ପୂର୍ବତନ ଅଧିନାୟକ ବ୍ରାଏନ୍ ଲାରା ଓ ଅଷ୍ଟ୍ରେଲିଆର ଜର୍ଜ ବେଲୀଙ୍କ ଗୋଟିଏ ଓଭର୍ରେ ସର୍ବାଧିକ ରନ୍ ରେକର୍ଡକୁ ଭାଙ୍ଗିଥିଲେ । ପୂର୍ବରୁ ଏହି ରେକର୍ଡ ୨୮ ରନ୍ ଥିଲା, ହେଲେ ବ୍ରଡ୍ଙ୍କ ଗୋଟିଏ ଓଭର୍ରେ ବୁମ୍ରା ୨୯ ରନ୍ କରିଥିଲେ ।
ବ୍ରଡ୍ ଟେଷ୍ଟ କ୍ରିକେଟ୍ ଇତିହାସର ସବୁଠାରୁ ମହଙ୍ଗା ଓଭର୍ ପକାଇଥିଲେ । ଭାରତୀୟ ଇନିଂସ୍ର ୮୪ତମ ଓଭର୍ ବୋଲିଂ କରି ବ୍ରଡ୍ ୩୫ ରନ୍ ଦେଇଥିଲେ । ସେଥି ମଧ୍ୟରୁ ବୁମ୍ରା ୨୯ ରନ୍ କରିଥିବା ବେଳେ ୬ ଅତିରିକ୍ତ ରନ୍ ହୋଇଥିଲା । ବ୍ରଡ୍ଙ୍କ ପ୍ରଥମ ବଲ୍ରେ ବୁମ୍ରା ଚୌକା ମାରିଥିଲେ । ଦ୍ୱିତୀୟ ବଲ୍ ୱାଇଡ୍ ଓ ନୋ ହେବା ଯୋଗୁଁ ତିନି ଥର ପକାଯାଇଥିଲା । ୱାଇଡ୍ ସହିତ ବଲ୍ ବାଉଣ୍ଡାରୀରେ ପହଞ୍ଚିଥିଲା ଏବଂ ଟିମ୍ ଇଣ୍ଡିଆକୁ ୫ ରନ୍ ମିଳିଥିଲା । ଏହାପରେ ବ୍ରଡ୍ ନୋ ବଲ୍ ପକାଇଥିଲେ । ଏଥିରେ ବୁମ୍ରା ଛକା ଲଗାଇଥିଲେ ଓ ଏହାପରେ ଚୌକା ମାରିଥିଲେ । ତୃତୀୟ ବଲ୍ରେ ଅଧିନାୟକ ଫାଇନ୍ ଲେଗ୍ରେ ଏକ ଚିତ୍ତାକର୍ଷକ ଚୌକା ଲଗାଇଥିଲେ । ଚତୁର୍ଥ ବଲ୍ରେ ବୁମ୍ରା ଆଉ ଏକ ଚୌକା ମାରିଥିଲେ । ଇଂଲଣ୍ଡ ପେସର୍ଙ୍କ ପଞ୍ଚମ ବଲ୍ରେ ଏହି ଭାରତୀୟ ବ୍ୟାଟର୍ ଏକ ଛକା ମାରିଥିବା ବେଳେ ଷଷ୍ଠ ବଲ୍ରେ ୧ ରନ୍ ନେଇ ଷ୍ଟ୍ରାଇକ୍ ନିଜ ପାଖରେ ରଖିଥିଲେ ।
ଇଂଲଣ୍ଡ ପକ୍ଷରୁ ଆଣ୍ଡରସନ୍ ୬୦ ରନ୍ ଦେଇ ୫ ୱିକେଟ୍ ଅକ୍ତିଆର କରିଥିବା ବେଳେ ମାଥୁ୍ୟ ପଟ୍ସ ୨ଟି ଏବଂ ବ୍ରଡ୍, ବେନ୍ ଷ୍ଟୋକ୍ସ ଓ ଜୋ’ ରୁଟ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *