୫୩ ବର୍ଷ ପରେ ଧୀରପାଟଣାରେ ଗଡ଼ିଲା ରଥ
ଢେଙ୍କାନାଳ (ଆପ୍ର): ସଦର ବ୍ଲକ୍ ଅନ୍ତର୍ଗତ ଧୀରପାଟଣା ଗ୍ରାମରେ ୧୯୬୯ ମସିହାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ହୋଇ ଚତୁର୍ଦ୍ଧା ବିଗ୍ରହ ପୂଜାପାଇ ଆସୁଥିଲେ । ଏହି ଗ୍ରାମରେ ୧୨୫ ବର୍ଷର ପ୍ରାଚୀନ ସତ୍ୟବ୍ରତ ମଠ ରହିଛି ଯେଉଁଠାରେ ସ୍ଥାପିତ ବ୍ରହ୍ମଧୂନୀ ଆଜି ବି ଅନିର୍ବାଣ ଭାବେ ରହିଛି । କିନ୍ତୁ ମହାପ୍ରଭୁଙ୍କର ରଥଯାତ୍ରା ଏହି ଗ୍ରାମରେ ଗତ ୫୦ବର୍ଷ ଧରି ହୋଇପାରିନଥିଲା । ୨୦୨୦ ଓ ୨୦୨୧ରେ କୋଭିଡ୍ କଟକଣା ହେତୁ ରଥଯାତ୍ରା ସ୍ଥଗିତ ରହିଥିଲା । ଚଳିତ ବର୍ଷ ପ୍ରଥମକରି ଅତ୍ୟନ୍ତ ଆନନ୍ଦ ଉତ୍ସାହ ଓ ସହସ୍ରାଧିକ ଜନସମାବେଶରେ ଏହି ରଥଯାତ୍ରା ସଂପନ୍ନ ହୋଇଥିଲା । ଢେଙ୍କାନାଳ ରାଜବଂଶର ଦାୟଦ ଯୁବରାଜ ଅମରଜ୍ୟୋତି ସିଂହଦେଓ ରାଜପୁରୋଧା ଶଶିକାନ୍ତ ମିଶ୍ରଙ୍କ ସହ ଅପରାହ୍ନ ୪ଟାରେ ଧୀରପାଟଣା ରଥଯାତ୍ରାରେ ଯୋଗଦେଇ ମହାପ୍ରଭୁଙ୍କୁ ରଥାରୂଢ କରାଇବା ସହ ରଥରେ ଛେରାପହଁରା କରିଥିଲେ । ପ୍ରବଳ ବର୍ଷା ମଧ୍ୟରେ ଢେଙ୍କାନାଳ ଗଡର ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡିରେ ବିଜେ କରାଇ ଓ ରଥର ଛେରା ପହଁରା ଆଦି ସମସ୍ତ ନୀତି ଉପରାନ୍ତ ସେହିଭଳି ଭାବେ ଓଦା ବସ୍ତ୍ରରେ ଢେଙ୍କାନାଳ ସହର ଠାରୁ ୨୦କି.ମି. ଦୂର ଧୀରପାଟଣାରେ ପହଁଚି ପ୍ରଭୁଙ୍କ ନୀତି ସଂପାଦନ କରିଥିଲେ । ରଥରେ ତାଙ୍କୁ ଦେଖିବା ପାଇଁ ଆଖପାଖ ଗ୍ରାମରୁ ଶହସ୍ରାଧିକ ଜନସମାଗମ ହୋଇଥିଲା । ରଥ ମାର୍ଗରୁ ସମସ୍ତ ବିଦୁ୍ୟତ୍ ତାର ଅପସାରଣ କରାଯାଇ ଗ୍ରାମ ମୁଣ୍ଡରେ ଥିବା ନବନିର୍ମିତ ଗୁଣ୍ଡିଚାପଦାକୁ ଶ୍ରୀ ଜଗନ୍ନାଥ ବିଜେ କରିଥିଲେ ।
ତେନ୍ତୁଳିପାଟଣାର ଲଉଡିବାଡି ସାଙ୍ଗକୁ କୃଷ୍ଣପ୍ରସାଦ ଶବରସାହିର ଆଦିବାସୀ ଘୁମୁରା ନୃତ୍ୟ ଦଳ ରଥର ପୁରୋଭାଗରେ ରହି ଆକର୍ଷଣୀୟ ନୃତ୍ୟ ଓ ବାଦ୍ୟ ପରିବେଷଣ କରିଥିଲେ । ଚାରିଚକ ବିଶିଷ୍ଟ ଏହି ରଥର ପରିପାଟୀ ବେଶ୍ ଆକର୍ଷଣୀୟ ହୋଇଥିଲା । ସତ୍ୟବ୍ରତ ମଠ ସଂଲଗ୍ନ ଚତୁଃପାଶ୍ୱର୍ରେ ନୂତନ ପ୍ରାଚୀର ପରିବେଷ୍ଟିତ ଏକ ପ୍ରଶସ୍ତ ସ୍ଥାନରେ ରଥାରୂଢ ବିଗ୍ରହଙ୍କ ପାଇଁ ନୂତନ ଭାବେ ଏକ ପକ୍କା ମଣ୍ଡପ ନିର୍ମାଣ କରାଯାଇଛି । ବାହୁଡା ଦଶମୀ ଯାଏଁ ଏହି ମଣ୍ଡପରେ ମହାପ୍ରଭୁ ବିଜେ କରିବେ ଏବଂ ପ୍ରଭୁଙ୍କର ସମସ୍ତ ରୀତିନୀତି ଏହିଠାରେ ହିଁ ସଂପନ୍ନ ହେବ । ଅବସରପ୍ରାପ୍ତ ଶିକ୍ଷକ ରବିନାରାୟଣ ସାହୁ, ବ୍ୟବସାୟୀ ସୁନିଲ୍ କୁମାର ସାହୁ, ତ୍ରିଲୋଚନ ସାହୁ, ପ୍ରଶାନ୍ତ ସାହୁ ଓ ଅରୁଣ ସାହୁ ପ୍ରମୁଖ ରଥଯାତ୍ରାକୁ ପରିଚାଳନା କରିଥିଲେ । ଡାହୁକ, ସାରଥୀ ଓ ଘଣ୍ଟୁଆଙ୍କ ଗହଣରେ ମହାପ୍ରଭୁଙ୍କ ରଥ ଗ୍ରାମ ଦାଣ୍ଡରେ ଆଗକୁ ଗଡିଚାଲିଥିଲା । ଗ୍ରାମର ଏହି ପ୍ରଥମ ରଥଯାତ୍ରାରେ ସହଯୋଗ କରିଥିବା ଜିଲ୍ଲା ଜଗନ୍ନାଥ ଚେତନା ସମିତିର ସଭାପତି ପ୍ରଦୁ୍ୟମ୍ନ ରଥ, ଉପଦେଷ୍ଟା ଭାବଗ୍ରାହୀ ପଣ୍ଡା ଓ ବରିଷ୍ଠ ସଭ୍ୟ ଗୁପ୍ତେଶ୍ୱର ମିଶ୍ର ପ୍ରମୁଖ ନିମନ୍ତ୍ରୀତ ଅତିଥି ଭାବେ ଗ୍ରାମର ଏହି ପ୍ରଥମ ରଥଯାତ୍ରାରେ ସାମିଲ୍ ହୋଇଥିଲେ । ସହସ୍ରାଧିକ ଗ୍ରାମବାସୀଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।