ଆଜିଠୁ ଆଡ଼ପ ଅବଢ଼ା

ଜନ୍ମବେଦୀରେ ଚତୁର୍ଦ୍ଧାବିଗ୍ରହ
ପୁରୀ (ବୁ୍ୟରୋ): ରତ୍ନବେଦୀ ଛାଡ଼ି ଘୋଷଯାତ୍ରାରେ ବାହାରିଥିବା ଚତୁର୍ଦ୍ଧାବିଗ୍ରହ ଏବେ ଜନ୍ମବେଦୀରେ । ଶୁକ୍ରବାର ସଞ୍ଜ ନଇଁବା ପୂର୍ବରୁ ଶରଧାବାଲିରେ ପହଞ୍ଚିଥିଲା ତିନି ରଥ । ଗତକାଲି ସଞ୍ଜ ଠାରୁ ଆରମ୍ଭ କରି ରାତି ସାରା ଓ ଶନିବାର ଅପରାହ୍ଣ ପର୍ଯ୍ୟନ୍ତ ଅଗଣିତ ଭକ୍ତଙ୍କୁ ରଥାରୂଢ଼ ଅବସ୍ଥାରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ସେଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶରଧାବାଲି ଓ ଗୁଣ୍ଡିଚାମନ୍ଦିର । ଶନିବାର ଦିନତମାମ ମହାପ୍ରଭୁଙ୍କ ନୀତିକାନ୍ତି ରଥ ଉପରେ ସମ୍ପନ୍ନ କରାଯାଇଥିଲା । ପରେ ଅପରାହ୍ନରେ ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ।
ରବିବାର ଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁମାନେ ଠାକୁରଙ୍କ ଦର୍ଶନ କରିବେ । ଏହା ସହିତ ମିଳିବ ଆଡ଼ପ ଅବଢ଼ା । ଶନିବାର ପହଣ୍ଡିକୁ ସଅଳ କରିବା ପାଇଁ ସକାଳୁ ଆରମ୍ଭ ହୋଇଥିଲା ପ୍ରସ୍ତୁତି । ମଙ୍ଗଳଆଳତି ଠାରୁ ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ଅପରାହ୍ନ ସୁଦ୍ଧା ଶେଷ ହୋଇଥିଲା । ଏହାପରେ ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ରଥରୁ ଘୋଡ଼ା ଫିଟାଯାଇ ଚାରମାଳ ବନ୍ଧା ଯାଇଥିଲା । ସନ୍ଧ୍ୟାରେ ପୁଷ୍ପାଞ୍ଜଳି ୫ଟା୧୦ରେ ବିଜେ କାହାଳି ବାଜିଥିଲା । ପ୍ରଥମେ ୫ଟା୪୦ରେ ରାମକୃଷ୍ଣ ଏବଂ ମଦନମୋହନ, ୬ଟାରେ ସୁଦର୍ଶନ ମହାରାଜା ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ ହୋଇଥିଲେ । ଘଣ୍ଟ, ସଙ୍କୀର୍ତ୍ତନ, ହରିବୋଲ, ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି । ୬ଟା୧୦ରେ ଗୋଟିପହଣ୍ଡିରେ ବଡ଼ଠାକୁର ବଳଭଦ୍ର, ୭ଟା୨୦ରେ ହଳଦିମୁଖି ଦେବୀ ସୁଭଦ୍ରା ଓ ଶେଷରେ ରାତି ୭ଟା ୫୫ରେ ହଟିଆ ଠାକୁର ଶ୍ରୀଜଗନ୍ନାଥ ଆଡ଼ପ ବିଜେ ହୋଇଥିଲେ । ଠାକୁର ଟହଲି ଟହଲି ଜନ୍ମବେଦୀକୁ ବିଜେ କରିଥିଲେ । ପହଣ୍ଡି ସମୟରେ ପ୍ରତି ଠାକୁର ରଥ ସିଂହାସନ ଛାଡ଼ି ହଂସପଟା ନିକଟକୁ ଆସିବା ପରେ ଟାହିଆ ଲାଗି ହୋଇଥିଲା । ପତି ମହାପାତ୍ର ସେବକ ଘଷା ଏବଂ ବିଡ଼ିଆ ମଣୋହୀ କରିବା ସହିତ କର୍ପୁର ଆଳତି କରିଥିଲେ । ପରେ ଗୋଟି ପହଣ୍ଡିରେ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହ ରବିବାର ସକାଳୁ ଭକ୍ତମାନଙ୍କୁ ଦର୍ଶନ ଦେବେ । ଅନ୍ୟପକ୍ଷରେ କେତେବେଳେ ମହାପ୍ରଭୁ ଜନ୍ମବେଦୀ ବା ଆଡ଼ପ ମଣ୍ଡପରେ ଦର୍ଶନ ଦେବେ ତାହାକୁ ମଧ୍ୟ ଅପେକ୍ଷା କରିଛନ୍ତି ।
ବିଶ୍ୱାସ ରହିଛି ଯେ, ଶ୍ରୀମନ୍ଦିରରେ ବର୍ଷତମାମ ମହାପ୍ରଭୁଙ୍କୁ ଦର୍ଶନ କଲେ ଯେତିକି ପୁଣ୍ୟ ମିଳିଥାଏ ମାତ୍ର ଗୋଟିଏ ଥର ଆଡ଼ପ ମଣ୍ଡପରେ ଦର୍ଶନ କଲେ ସେତିକି ପୁଣ୍ୟ ମିଳିଥାଏ । ତତ୍ସହିତ ଶୁକ୍ରବାର ଠାରୁ ଭକ୍ତମାନେ ଅବଢ଼ା ନ ପାଇ ବ୍ୟସ୍ତ ହୋଇ ରହିଛନ୍ତି । ଆସନ୍ତାକାଲି (ରବିବାର) ଶ୍ରୀଗୁଣ୍ଡିଚା ମନ୍ଦିରେ ଆଡ଼ପ ଅବଢ଼ା ପାଇଁ ଚାହିଁ ବସିଛନ୍ତି ଶ୍ରଦ୍ଧାଳୁ । ଶ୍ରୀମନ୍ଦିରରେ ୧୨ ବର୍ଷ ମହାପ୍ରସାଦ ସେବନ କଲେ ଯେତିକି ପୁଣ୍ୟ ମିଳିଥାଏ ଗୁଣ୍ଡିଚା ମନ୍ଦିରର ଆଡ଼ପ ଅବଢ଼ା ଗୋଟିଏ ଦିନ ସେବନ କଲେ ସେତିକି ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *