ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଗଡ଼ିଲା ରଥ
ବାରିପଦା (ଆପ୍ର): ଦୁଇବର୍ଷ ପରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଗଡ଼ିଲା ରଥ । ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରାର ଦିନକ ପରେ ଏଠାରେ ରଥଯାତ୍ରା ଦୁଇଦିନ ଧରି ଅନୁଷ୍ଠିତ ହୋଇଥାଏ । ତଦନୁଯାୟୀ ଶନିବାର ଅପରାହ୍ଣ ନିର୍ଦ୍ଧାରିତ ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ବଳଭଦ୍ରଙ୍କ ତାଳଧ୍ୱଜ ମାଉସୀମା’ଙ୍କ ମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ସୁଭଦ୍ରାଙ୍କ ଦର୍ପଦଳନ ଅଧାବାଟ (ଟାଉନ ଥାନା) ନିକଟରେ ଅଟକିଛି । ରବିବାର ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷଙ୍କ ରଥ ଟଣା ଆରମ୍ଭ ହୋଇ ଶେଷ ହେବ ।
ଶୁକ୍ରବାର ରଥାଋଢ଼ ଶ୍ରୀଶ୍ରୀ ହରିବଳଦେବ ମହାପ୍ରଭୁ ବିଜେ ବାରିପଦାର ଚତୁର୍ଦ୍ଧାମୂର୍ତ୍ତି ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥରେ ବିରାଜମାନ ହୋଇଥିଲେ । ଶନିବାର ଅପରାହ୍ଣ ୨ଟା ୩୦ରେ ଗୁଣ୍ଡିଚା ଯାତ୍ରା ଆରମ୍ଭ ହୋଇଥିଲା । ଜିଲ୍ଲା ଓ ରାଜ୍ୟ ବାହରୁ ହଜାର ହଜାର ଜନସାଧାରଣଙ୍କର ବଡ଼ଦାଣ୍ଡକୁ ସୁଅ ଛୁଟିଥିଲା । ବାରିପଦା ସହର ତଥା ସହର ଉପକଣ୍ଠର ଦେକାନ ବଜାରଠାରୁ ଆରମ୍ଭ କରି ସରକାରୀ ବେସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ ଆଦି ପ୍ରାୟତଃ ବନ୍ଦ ହୋଇଥିଲା । ସମସ୍ତେ ବଡ଼ଦାଣ୍ଡ ଅଭିମୁଖେ ଚାଲିଥିଲେ । ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ପ୍ରଥମେ ଭକ୍ତମାନେ ଘଣ୍ଟ, ହୁଳହୁଳି ଓ ସଂକୀର୍ତ୍ତନ ଧ୍ୱନିେ ରଥ ଦଉଡ଼ିକୁ ଟାଣି ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚାଇଥିଲେ । ତେବେ ମହିଳା ଭକ୍ତମାନେ ବଳଭଦ୍ରଙ୍କ ରଥ ସହିତ ନ ଯାଇ ଦେବୀ ସୁଭଦ୍ରାଙ୍କ ରଥ ଟାଣିବା ପାଇଁ ଅପେକ୍ଷା କରିଥିଲେ । ପ୍ରାୟ ୪ଟା ପରେ ଆରମ୍ଭ ହୋଇଥିଲା ସୁଭଦ୍ରାଙ୍କ ରଥଟଣା । ମହିଳା ପୁଲିସ, ମହିଳା ସ୍କାଉଟ୍ ଆଣ୍ଡ ଗାଇଡ୍ ଓ ମହିଳା ଏନ୍ଏସ୍ଏସ୍ର ସଦସ୍ୟାଙ୍କ କର୍ଡନ ବା ସୁରକ୍ଷା ବଳୟରେ ମହିଳାମାନେ ରଥ ଟାଣି ଥିଲେ ।
ସୁଭଦ୍ରାଙ୍କ ରଥ ଟାଉନ୍ ଥାନା ପାଖରେ ପରମ୍ପରା ଅନୁଯାୟୀ ଅଟକି ଥିଲା । ରବିବାର ମଙ୍ଗଳବାର ଅପରାହ୍ଣରେ ପ୍ରଥମେ ମହିଳାମାନେ ଏହି ରଥକୁ ଟାଣି ମାଉସୀମା’ଙ୍କ ମନ୍ଦିରରେ ପହଞ୍ଚାଇବା ପରେ ଜଗନ୍ନାଥଙ୍କ ରଥ ଟଣା ଆରମ୍ଭ ହେବ । ସୁରକ୍ଷା ତଥା ପାଇଁ ପୁଲିସବାହିନୀ ଦ୍ୱାରା ରଥ ଚାରିପଟେ କର୍ଡନ କରାଯାଇଥିଲା । କର୍ଡନ ଭିତରେ ପୁଲିସ କର୍ମଚାରୀ ଓ ଅଧିକାରୀ ରଥ ଦଉଡ଼ି ଟାଣିଥିବା ବେଳେ କର୍ଡନ ବାହାରେ ଭକ୍ତମାନେ ଟାଣିଥିଲେ । ବଡ଼ଦାଣ୍ଡ ଠାରୁ ଆରମ୍ଭ କରି ସହରର ବିଭିନ୍ନ ଛକସ୍ଥାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ଜିଲ୍ଲାପାଳ, ଏସ୍ପି, ଅତିରିକ୍ତି ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସମେତ ସମସ୍ତ ପଦାଧିକାରୀ ବଡ଼ଦାଣ୍ଡରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।