ନ୍ୟାୟପାଳିକା କେବଳ ସମ୍ବିଧାନ ପ୍ରତି ଉତ୍ତରଦାୟୀ
ନୂଆଦିଲ୍ଲୀ, ୨ା୭: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏମ୍ଭି ରମଣ ଦେଶର ରାଜନୈତିକ ଦଳମାନଙ୍କ ସ୍ଥିତି ଚର୍ଚ୍ଚା କରିବାକୁ ଯାଇ କହିଛନ୍ତି ପ୍ରତ୍ୟେକ କ୍ଷମତାସୀନ ଦଳ ଚାହାଁନ୍ତି ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟ ନ୍ୟାୟିକ ମଞ୍ଜୁରି ପାଇବାକୁ ହକଦାର । ସେହିପରି ବିରୋଧୀ ଦଳମାନେ ଆଶା କରନ୍ତି ନ୍ୟାୟପାଳିକା ସେମାନଙ୍କ ରାଜନୈତିକ ଲକ୍ଷ୍ୟ ସବୁକୁ ଆଗେଇ ନେବାରେ ସହାୟକ ହେବେ । କିନ୍ତୁ ନ୍ୟାୟପାଳିକା କେବଳ ସମ୍ବିଧାନ ପ୍ରତି ଉତ୍ତରଦାୟୀ ।
ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ଆସୋସିଏସନ୍ ଅଫ୍ ଇଣ୍ଡୋ-ଆମେରିକାନ୍ସ ଇନ୍ ସାନ୍ ଫ୍ରାନ୍ସିସ୍କୋ ପକ୍ଷରୁ ଆୟୋଜିତ ଏକ ଅଭିନନ୍ଦନ ସମାରୋହରେ ସିଜେଆଇ କ୍ଷୋଭ ପ୍ରକାଶ ପୂର୍ବକ କହିଛନ୍ତି ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପରେ ଏବଂ ଆମ ଗଣତନ୍ତ୍ରକୁ ୭୨ ବର୍ଷ ପୂରିବା ସତ୍ତ୍ୱେ ଲୋକେ ସମ୍ବିଧାନ ଦ୍ୱାରା ପ୍ରତ୍ୟେକ ସଂସ୍ଥାନକୁ ଦିଆଯାଇଥିବା ଭୂମିକା ଓ ଦାୟିତ୍ୱ ବୁଝି ପାରୁନାହାନ୍ତି । ଏହି କାରଣରୁ ରାଜନୈତିକ ଦଳମାନେ ନ୍ୟାୟପାଳିକାଠାରୁ ଅନୁଚିତ ପ୍ରତ୍ୟାଶା ରଖୁଛନ୍ତି । ସେମାନେ ଏକମାତ୍ର ସ୍ୱାଧୀନ ସଂସ୍ଥା ନ୍ୟାୟପାଳିକାର ସମାଲୋଚନା କରୁଛନ୍ତି । ସମ୍ବିଧାନରେ ପ୍ରଦତ୍ତ ‘ନିୟନ୍ତ୍ରଣ ଓ ସନ୍ତୁଳନ’ ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ଆମକୁ ଭାରତରେ ସାମ୍ବିଧାନିକ ସଂସ୍କୃତିକୁ ଆଗେଇ ନେବାକୁ ହେବ । ବ୍ୟକ୍ତି ଓ ସଂସ୍ଥାମାନଙ୍କ ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଜରୁରି । ଗଣତନ୍ତ୍ର ଭାଗିଦାରିର ବିଷୟ । ପ୍ରସଙ୍ଗକ୍ରମେ ସିଜେଆଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନଙ୍କ ଏକ ଉକ୍ତି ଉଦ୍ଧାର କରିବା ସହ କହିଲେ ଯେ, ଭାରତୀୟ ସମ୍ବିଧାନ ପ୍ରତି ୫ ବର୍ଷରେ ଶାସକମାନଙ୍କ ସମ୍ପର୍କରେ ନ୍ୟାୟ ଦେବାର ଗୁରୁ ଦାୟିତ୍ୱ ଜନତାଙ୍କୁ ଦେଇଛି ।
ସିଜେଆଇଙ୍କ ମତରେ ଭାରତୀୟମାନଙ୍କ ସାମୂହିକ ବିବେକ ପ୍ରତି ସନେ୍ଦହ ବ୍ୟକ୍ତ କରିବାର କୌଣସି କାରଣ ରହିବା ଅନୁଚିତ୍ । ସହରୀ, ଶିକ୍ଷିତ ଓ ବିତ୍ତଶାଳୀ ମତଦାତାଙ୍କ ତୁଳନାରେ ଗ୍ରାମାଞ୍ଚଳର ମତଦାତା ସମ୍ବିଧାନ ପ୍ରଦତ୍ତ ଦାୟିତ୍ୱ ତୁଲାଇବାରେ ଅଧିକ ସକ୍ରିୟ ।
ଚିଫ୍ ଜଷ୍ଟିସ୍ ରମଣ କହିଲେ, ଏକବିଂଶ ଶତାବ୍ଦୀରେ ଆମେ ତୁଚ୍ଛ, ସଂକୀର୍ଣ୍ଣ ଓ ବିଭାଜନକାରୀ ପ୍ରସଙ୍ଗଗୁଡ଼ିକୁ ଆଦୌ ଗୁରୁତ୍ୱ ନ ଦେଇ ମାନବ ବିକାଶ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ଆବଶ୍ୟକ । ଏଥିପାଇଁ ସମସ୍ତ ବିଭାଜନକାରୀ ପ୍ରସଙ୍ଗରୁ ଊଦ୍ଧ୍ୱର୍କୁ ଉଠିବାକୁ ହେବ ।
ସମାରୋହରେ ଉପସ୍ଥିତ ବ୍ୟକ୍ତିମାନଙ୍କ ଉଦେ୍ଦଶ୍ୟରେ ସେ କହିଲେ, ନିଜ ଚତୁଃପାଶ୍ୱର୍ରେ ଯଦି ଶାନ୍ତି ନ ରହିଲା, ଆପଣମାନେ କୋଟିପତି ହେବା ସତ୍ତ୍ୱେ ହେଁ ଧନ ସୁଖ ଭୋଗି ପାରିବେ ନାହିଁ । ଆପଣମାନଙ୍କ ମାତା, ପିତାଙ୍କ ପାଇଁ ମଧ୍ୟ ସ୍ୱଦେଶରେ ଶାନ୍ତିପୂର୍ଣ୍ଣ ତଥା ଘୃଣା ଓ ଦ୍ୱେଷ ମୁକ୍ତ ସମାଜ ରହିବା ଆବଶ୍ୟକ । ସ୍ୱଦେଶରେ ଯଦି ନିଜ ପରିବାର ଓ ସମାଜର ହିତ ପ୍ରତି ଧ୍ୟାନ ନ ଦେବେ ଏଠି ଆପଣମାନଙ୍କ ଧନ-ଦୌଲତ ଓ ଷ୍ଟାଟସ୍ର ମୂଲ୍ୟ ରହିବ? ଏହା ଆପଣମାନଙ୍କ ଅସଲ ପରୀକ୍ଷା ।