୨୧,୧୬୬ କୋଟି ବ୍ୟୟବରାଦ
କୃଷି କ୍ଷେତ୍ରକୁ ଗୁରୁତ୍ୱ
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟ ସରକାର ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ୍ରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଏଥିପାଇଁ ବଜେଟ୍ରେ ବ୍ୟୟ ଅଟକଳ ଯଥେଷ୍ଟ ବୃଦ୍ଧି ପାଇ ୨୧ହଜାର ୧୬୬ କୋଟି ଟଙ୍କା ଆକଳନ କରାଯାଇଛି । ସମୃଦ୍ଧି-କୃଷି ନୀତି ୨୦୨୦ ଦ୍ୱାରା ବିଭିନ୍ନ ହସ୍ତକ୍ଷେପ ମାଧ୍ୟମରେ କୃଷି କ୍ଷେତ୍ରର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ।
୨୦୧୮-୧୯ ଆର୍ଥିକ ବର୍ଷରୁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାରେ ପ୍ରାୟ ୩୮ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୮ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ସହାୟତା ମିଳିସାରିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ସହାୟତା ଜାରି ରଖିବା ନିମନ୍ତେ କାଳିଆ ଯୋଜନାରେ ୧୮୭୪ କୋଟି ଟଙ୍କାର ବ୍ୟୟବରାଦ ରହିଛି । ସେହିପରି ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)କୁ ଉକ୍ରର୍ଷ କେନ୍ଦ୍ରରେ ପରିଣତ କରିବା ଏବଂ କୃଷି ଗବେଷଣା, ଶିକ୍ଷା ଓ ଭିତ୍ତିଭୂମି ବିକାଶ ପାଇଁ ୧୬୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଯାହା ୨୦୧୯-୨୦ବର୍ଷ ବ୍ୟୟବରାଦର ପ୍ରାୟ ୫ଗୁଣ ।
ଏଥିସହ ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମ ଅଧିନରେ ୩୧୨ କୋଟି ଟଙ୍କା ଅଟକଳ କରାଯାଇଛି । ଜାତୀୟ ଉଦ୍ୟାନ କୃଷି ମିଶନ ମାଧ୍ୟମରେ ଉଦ୍ୟାନ କୃଷିର ଉତ୍ପାଦନ ବୃଦ୍ଧି, ପୋଷଣ ନିରାପତ୍ତାରେ ଉନ୍ନତି ଏବଂ କୃଷକ ପରିବାରକୁ ଆୟ ସହାୟତା ଯୋଗାଇବା ପାଇଁ ୧୨୨କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧୀନରେ ୩୦୦ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି । ସେହିପରି ବ୍ୟବସାୟିକ କୃଷି ଉଦ୍ୟୋଗ ପ୍ରତିଷ୍ଠାନରେ ପୁଞ୍ଜି ବିନିଯୋଗ ଏବଂ କୃଷି ଯନ୍ତ୍ରପାତି ଓ ଡିଜେଲ୍ ପମ୍ପସେଟ୍ର ଚାହିଦା ବଢାଇବା ପାଇଁ ୪୩୨ କୋଟି ଟଙ୍କା ରିହାତି ପ୍ରସ୍ତାବ ରହିଛି । କୃଷକ ଉତ୍ପାଦକ ସଙ୍ଗଠନ (ଏଫ୍ପିଓ)ଗୁଡିକୁ ୨୫ କୋଟି ଟଙ୍କା ପ୍ରଦାନ କରାଯିବ ।
ଚଳିତ ଆର୍ଥିକ ବର୍ଷରେ ଅତିରିକ୍ତ ୨ଲକ୍ଷ ୮୦ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଫସଲ ଉତ୍ପାଦନ ଏବଂ ଉତ୍ପାଦକତାରେ ଉନ୍ନତି ପାଇଁ ଲକ୍ଷ୍ୟ ରଖାଯାଇଛି । ୨୦୨୨-୨୩ରେ ୧ହଜାର ୪୪ କୋଟି ଟଙ୍କା ବ୍ୟୟବରାଦରେ ୧୬ଟି ନୂତନ ଇନ୍ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର୍ କରାଯିବା ପାଇଁ ଯୋଜନା ରହିଛି । ସେହିପରି କୋରାପୁଟ ଜିଲ୍ଲାରେ ଝଞ୍ଜାବତୀ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଲକ୍ଷ୍ୟ ରହିଛି । ପିଏମ୍କେଏସ୍ୱାଇ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଏଆଇବିପି ପ୍ରକଳ୍ପଗୁଡିକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ୨ହଜାର ୪୯୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ କାର୍ଯ୍ୟ ନିମନ୍ତେ ୯୬୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ପାର୍ବତୀଗିରି ବୃହତ୍ ଉଠାଜଳସେଚନ ପ୍ରକଳ୍ପରେ ଅତିରିକ୍ତ ୨ଲକ୍ଷ ୬୩ ହଜାର ହେକ୍ଟର ଜମିକୁ ଜଳସେଚନ ଯୋଗାଇବା ଲକ୍ଷ୍ୟରେ ଆସନ୍ତା ୫ବର୍ଷରେ ୧୦ହଜାର ୭୫୯ କୋଟି ଟଙ୍କା ବ୍ୟୟ ଲକ୍ଷ୍ୟ ରଖିଛନ୍ତି । ଏହି ଯୋଜନା ଅଧିନରେ ୨୦ଟି ନିର୍ମାଣଧୀନ ପ୍ରକଳ୍ପଗୁଡିକୁ ସମ୍ପୂର୍ଣ୍ଣ କରିବା ପାଇଁ ଚଳିତ ଆର୍ଥିକ ବର୍ଷରେ ୪୮୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଜଳନିଧି ଯୋଜନା ପାଇଁ ଆର୍ଆଇଡିଏଫ୍ ସହାୟତାରେ ୨୩୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୧୨ହଜାର ୫୦୦ ଗଭୀର ନଳକୂପ ଖନନ ନିମନ୍ତେ ୪୦୦କୋଟି ଟଙ୍କା ବରାଦ କରାଯାଇଛି । ବିଜୁ କୃଷକ ବିକାଶ ଯୋଜନା ଅଧୀନରେ ୧୫୦୦ ଗୋଷ୍ଠୀ ଉଠାଜଳସେଚନ ପଏଣ୍ଟ ସ୍ଥାପନ ପାଇଁ ୪୨୨ କୋଟି ଟଙ୍କା ବରାଦ ହୋଇଛି । ସେଚାଞ୍ଚଳ ଉନ୍ନୟନ ଓ ଜଳପ୍ରବନ୍ଧନ ଯୋଜନାରେ ୨୦୦କୋଟି, ସିଏଲ୍ଏସ୍ଆର୍ପି ଅଧୀନରେ ୪୪୦କୋଟି, ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାରେ ୫୦କୋଟି ବ୍ୟୟବରାଦ କରାଯାଇଛି ।
ଓଆଇଆଇପିସିଆର୍ଏ ଯୋଜନା ଅଧୀନରେ ୫୩୮ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ନବୀକରଣ ଓ ପୁନଃଋଦ୍ଧାର ପାଇଁ ୩୦୦କୋଟି, ୧ହଜାର ଅଚଳ ଉଠାଜଳସେଚନ ପ୍ରକଳ୍ପର ପୁନଃଋଦ୍ଧାର ପାଇଁ ୧୯୫ କୋଟି ବ୍ୟୟବରାଦ ହୋଇଛି । ଏହାବ୍ୟତୀତ ବଳରାମ ଯୋଜନାରେ ୧ଲକ୍ଷ ଜଏଣ୍ଟ ଲାଇବିଲିଟି ଗ୍ରୁପ୍ ମାଧ୍ୟମରେ ୫ଲକ୍ଷ କୃଷକଙ୍କୁ ଅନ୍ତର୍ଭୁକ୍ତ ଲକ୍ଷ୍ୟ ରଖାଯାଇଛି । ଚାଷୀଙ୍କୁ ୫୦ହଜାର ଟଙ୍କାରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ୨ ପ୍ରତିଶତ ରିହାତି ସୁଧରେ ଦିଆଯାଉଛି । ଏହି ଯୋଜନାରେ ୮୯୩ କୋଟି ବ୍ୟୟବରାଦ ପ୍ରସ୍ତାବ ରଖାଯାଇଛି । ସମବାୟ ସଂସ୍ଥାଙ୍କୁ ଆର୍ଥିକ ସହାୟତା ନିମନ୍ତେ ୩୭ କୋଟି ଏବଂ ସମବାୟ ବ୍ୟାଙ୍କଙ୍କୁ ସାଧାରଣ ଅଂଶ ସହାୟତା ପାଇଁ ୧୫୦ କୋଟି ଟଙ୍କା ପ୍ରସ୍ତାବ ରଖାଯାଇଛି । ଓଡିଶା ରାଜ୍ୟ ସମବାୟ ମାର୍କେଟିଂ ଫେଡେରେସନ୍ ଲିମିଟେଡ୍କୁ ସାର ଓ ବିହନ କିଣା ପାଇଁ ସୁଧମୁକ୍ତ ଋଣ ବାବଦକୁ ୨୦୦କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀଙ୍କୁ ତ୍ୱରିତ ସହାୟତା ଓ ପର୍ଯ୍ୟାପ୍ତ କ୍ଷତିପୂରଣ ନିମନ୍ତେ ୬୦୦କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି । ମିଲେଟ୍ମିଶନ୍ ନିମନ୍ତେ ୩୬୨ କୋଟି ଟଙ୍କାର ପ୍ରସ୍ତାବ ରହିଛି ।
ଅନ୍ୟପକ୍ଷରେ ମତ୍ସ୍ୟ ଚାଷ ଓ ପଶୁପାଳନ କ୍ଷେତ୍ରରେ ୧୬୫୮କୋଟି ଟଙ୍କାର ପ୍ରସ୍ତାବ ରହିଛି, ଯାହା ଗତବର୍ଷ ତୁଳନାରେ ୧୭ପ୍ରତିଶତ ଅଧିକ । ସଘନ ଓ ଆଭ୍ୟନ୍ତରୀଣ ମାଛ ଚାଷର ଉନ୍ନତି ନିମନ୍ତେ ୧୮୨ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ମାଛ ଚାଷ ପାଇଁ ନୂଆ ପୋଖରୀ ଖୋଳା ଯୋଜନାରେ ୯୮ କୋଟି, ମାଛ ଚାଷୀଙ୍କ ଦକ୍ଷତା ବିକାଶ, ପ୍ରଶିକ୍ଷଣ ଆଦି ପାଇଁ ୫ କୋଟି ଟଙ୍କାର ପ୍ରସ୍ତାବ ରହିଛି । ମତ୍ସ୍ୟଚାଷ ଭିତ୍ତିଭୂମି ସୁବିଧା ସୃଷ୍ଟି ଏବଂ ମାଛ ଉତ୍ପାଦନ ବୃଦ୍ଧି ଲାଗି ୨୫ କୋଟି ଟଙ୍କାର ପ୍ରସ୍ତାବ ରହିଛି । ଆଗୁଆ ଯାଅଁଳ ପ୍ରଜନନ ଓ ପାଳନ ପାଇଁ ୧୦୦କୋଟି ଟଙ୍କାର ପ୍ରସ୍ତାବ ରହିଥିବାବେଳେ ଏସ୍ଏଚ୍ଜିଙ୍କ ଦ୍ୱାରା ମାଛ ଚାଷ ପାଇଁ ଇନ୍ପୁଟ୍ ସହାୟତା ବାବଦକୁ ୩୮କୋଟି ଟଙ୍କାର ପ୍ରସ୍ତାବ ରହିଛି । ସେହିପରି ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ମାଛ ଧରା ନିଷିଦ୍ଧ ଥିବା ସମୟରେ ବିକଳ୍ପ ଜୀବିକା ପ୍ରଦାନ ନିମନ୍ତେ ୨୧ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି । ନୀଳବିପ୍ଳବ ଯୋଜନା ଅଧୀନରେ ୧୭୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କୁକୁଡା ଚାଷ ବିକାଶ ଅଧୀନରେ ୧୦୨କୋଟି, ରାଷ୍ଟ୍ରୀୟ ପଶୁଧନ ବିକାଶ ଯୋଜନାରେ ୧୧୨କୋଟି, ଓମ୍ଫେଡ୍ ମାଧ୍ୟମରେ ୫ଲକ୍ଷ ଏଲ୍ପିଡି ବିଶିଷ୍ଟ ଡାଏରୀ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆର୍ଆଇଡିଏଫ୍ ସହାୟତାରେ ୨୮ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି । ବୁଲା ଗୋରୁଗାଈଙ୍କ ଯତ୍ନ ପାଇଁ ନୂତନ ଗୋଶାଳାକୁ ୧୫ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ପଶୁ ସମ୍ପଦ, ସ୍ୱାସ୍ଥ୍ୟ ଏବଂ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ୨୪୧ କୋଟି ଟଙ୍କାର ପ୍ରସ୍ତାବ ରହିଛି ।
ସୂଚନାଯୋଗ୍ୟ ୨୦୧୩-୧୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପ୍ରଥମ ଥର ପାଇଁ କୃଷି ବଜେଟ୍ ସ୍ୱତନ୍ତ୍ର କୃଷି ବଜେଟ୍ ଆଗତ କରିଥିଲେ । ୭ହଜାର ୧୬୨ କୋଟି ଟଙ୍କା ବ୍ୟୟଅଟକଳରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର କୃଷି ବଜେଟ୍ ଚଳିତ ଆର୍ଥିକ ବର୍ଷରେ ୨୧ହଜାର ୧୬୬ କୋଟି ଟଙ୍କାରେ ପହଞ୍ଚôଛି ।