ଫୋକସ୍ରେ ଚାଷୀ, ମହିଳା
୨ ଲକ୍ଷ କୋଟିର ବଜେଟ୍
ପ୍ରଗତିଶୀଳ, ଲୋକାଭିମୁଖୀ
ବଜେଟ୍: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବିଧାନସଭରେ ଉପସ୍ଥାପିତ ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରଗତିଶୀଳ ଓ ଲୋକାଭିମୁଖୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ବଜେଟ୍ ଆକାର ୨ଲକ୍ଷ କୋଟିକୁ ବୃଦ୍ଧି ପାଇଥିବାବେଳେ କେବଳ କାର୍ଯ୍ୟକ୍ରମ ଖର୍ଚ୍ଚର ପରିମାଣ ୧ଲକ୍ଷ କୋଟି ରହିଛି । ବଜେଟ୍ରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁବିଧା, ଗୁଣାତ୍ମକ ଶିକ୍ଷା, ଜୀବନଜୀବିକା, ମହିଳା ସଶକ୍ତିକରଣ ଏବଂ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯାଇଛି । ପୁଞ୍ଜି ଖର୍ଚ୍ଚ ୫୬ ପ୍ରତିଶତରୁ ଅଧିକ ବୃଦ୍ଧି ପାଇବା ଦ୍ୱାରା ଅଭିବୃଦ୍ଧି ହାର ଆହୁରି ବଢିବ । ସ୍ୱତନ୍ତ୍ର ଭାବେ ମିଶନ ଶକ୍ତି ପାଇଁ ୨ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାରୁ ୭୦ଲକ୍ଷ ମହିଳା ଉପକୃତ ହେବେ । ବଜେଟ୍ ସ୍ଥିରୀକରଣ ପାଣ୍ଠି ଗଠନ ଦ୍ୱାରା ରାଜସ୍ୱ କ୍ଷତି ପ୍ରଶମନ ହୋଇପାରିବ । ବଜେଟ୍ ସମ୍ପୂର୍ଣ୍ଣ ଭାବେ ୫-ଟି ଏବଂ ମୋ ସରକାର ଆଧାରରେ ପ୍ରସ୍ତୁତ ହୋଇଛି । ଏହା ଜନସାଧାରଣଙ୍କ ଆଙ୍କାକ୍ଷା ପୂରଣ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।
ସ୍ୱାସ୍ଥ୍ୟ, ଶିକ୍ଷା, ପୁଞ୍ଜିନିବେଶ ଓ ଭିତ୍ତିଭୂମିକୁ ପ୍ରାଥମିକତା
ଭୁବନେଶ୍ୱର,୨ା୭(ବୁ୍ୟରୋ): ୨ଠ୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟ୍ରେ ଚାଷୀ ଏବଂ ମହିଳାଙ୍କୁ ସବୁଠୁ ଅଧିକ ଫୋକସ୍ କରାଯାଇଛି । ତା’ ସହ ସ୍ୱାସ୍ଥ୍ୟ ସେବା, ଶିକ୍ଷା, ପୁଞ୍ଜି ବିନିଯୋଗ ଏବଂ ଭିତ୍ତିଭୂମି କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଛି । ଏହି ବଜେଟ୍ ୨ଠ୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୧୭.୬% ଅଧିକ । ୨ଠ୨୧-୨୨ରେ ୧ ଲକ୍ଷ ୭ଠ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୨ ଲକ୍ଷ କୋଟିରେ ପହଞ୍ଚିଛି ।
ଏଥିରୁ ପ୍ରଶାସନିକ ଖର୍ଚ୍ଚ ବାବଦରେ ୮୯,୫୯ଠ କୋଟି ଟଙ୍କା ରହିଥିବାବେଳେ କାର୍ଯ୍ୟକ୍ରମ ଖର୍ଚ୍ଚର ପରିମାଣ ୧ ଲକ୍ଷ ଟଙ୍କା ରହିଛି । କାର୍ଯ୍ୟକ୍ରମ ବ୍ୟୟ ବଜେଟ୍ ଆକାରର ୫ଠ ପ୍ରତିଶତ । ଗତବର୍ଷ କାର୍ଯ୍ୟକ୍ରମ ବ୍ୟୟ ୭୫ ହଜାର କୋଟି ରହିଥିଲା । ସେହିପରି ବିପର୍ଯ୍ୟୟ ବିପଦ ପରିଚାଳନା ପାଣ୍ଠିରୁ ୩୨୧ଠ କୋଟି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତରିତ ହେଉଥିବା ଅର୍ଥରୁ ୭୨ଠଠ କୋଟି ଖର୍ଚ୍ଚ ହେବ । ବଜେଟ୍ରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ବ୍ୟୟ ଅଟକଳକୁ ଯଥେଷ୍ଟ ବୃଦ୍ଧି କରାଯାଇ ୨୧ ହଜାର ୧୬୬ କୋଟି ଟଙ୍କା ଆକଳନ କରାଯାଇଛି । କାଳିଆ ଯୋଜନାରେ ୧୮୭୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ଶିକ୍ଷା ଓ ଦକ୍ଷତା କ୍ଷେତ୍ର ପାଇଁ ୨୭,୨୩୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସ୍ୱାସ୍ଥ୍ୟକ୍ଷେତ୍ରରେ ୧୨ ହଜାର ୬୨୪ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରହିଛି ।
ବସୁଧା ଏବଂ ଜଳଜୀବନ ମିଶନ ଅଧୀନରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ୮,୩୮୯ କୋଟି ଟଙ୍କାର ପୁଞ୍ଜିବିନିଯୋଗ ଲକ୍ଷ ରଖାଯାଇଛି । ଅନୁସୂଚିତ ଜନଜାତି ଓ ଜାତିଙ୍କ ପାଇଁ ଚିହ୍ନିତ ଯୋଜନା ଦ୍ୱାରା କାର୍ଯ୍ୟକ୍ରମ ବ୍ୟୟ ମାଧ୍ୟମରେ ୩୨,୫୯୬ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖାଯାଇଛି ।
ସେହିପରି ଟିକସ ଓ ରାଜ୍ୟ ସାମଗ୍ରୀକ ଘରୋଇ ଉତ୍ପାଦର ଅନୁପାତ ୨୦୨୨-୨୩ରେ ୬.୪ ପ୍ରତିଶତ ହେବା ପାଇଁ ଅଟକଳ କରାଯାଇଛି ।
ଚଳିତ ବଜେଟ୍ରେ ରାଜ୍ୟର ମୋଟ୍ ଘରୋଇ ଉତ୍ପାଦର ପରିମାଣ ୭ ଲକ୍ଷ ୧୯ ହଜାର ୪୮୧ କୋଟି ଟଙ୍କା ଆକଳନ କରାଯାଇଥିବାବେଳେ ଅଭିବୃଦ୍ଧି ହାର ୮ରୁ ୮.୫% ରହିବ ବୋଲି ଦର୍ଶାଯାଇଛି । ୨ଠ୨୨-୨୩ ଆର୍ଥିକ ବର୍ଷରେ ମୋଟ୍ ରାଜସ୍ୱ ପ୍ରାପ୍ତି ୧ ଲକ୍ଷ ୬୩ ହଜାର ୯୬୭ କୋଟି ଟଙ୍କା ଏବଂ ରାଜସ୍ୱ ବ୍ୟୟ ୧ ଲକ୍ଷ ୪୫,୭୨୭ କୋଟି ଟଙ୍କା ହେବ ବୋଲି ଆକଳନ ହୋଇଛି । ଏହି ଦୃଷ୍ଟିରୁ ରାଜସ୍ୱ ବଳକା ୧୮୨୩୯ କୋଟି ଟଙ୍କା ରହିବ । ଯାହା ରାଜ୍ୟ ଘରୋଇ ଉତ୍ପାଦ (ଜିଡିପି)ର ପ୍ରାୟ ୨.୬% । ସେହିପରି ବିତ୍ତୀୟ ନିଅଣ୍ଟ ୨୧୫୮୮ କୋଟି ଟଙ୍କା ଆକଳନ ହୋଇଛି । ଯାହା ରାଜ୍ୟ ଘରୋଇ ଉତ୍ପାଦର ୩ ପ୍ରତିଶତ ।
ରାଜ୍ୟ ସରକାର ନିଜସ୍ୱ ଟିକସ ବାବଦରେ ମୋଟ୍ ୯୪ ହଜାର ୨ଠଠ କୋଟି, କେନ୍ଦ୍ରରୁ ଅନୁଦାନ ଆକରରେ ୩୨୭୮୮ କୋଟି, କେନ୍ଦ୍ରଠୁ ଟିକସ ବାବଦରେ ୩୬୯୭୭ କୋଟି ଟଙ୍କା ଏବଂ ଋଣ ବାବଦରେ ୨୪୫୮୯ କୋଟି ଟଙ୍କା ସହ ବିଭିନ୍ନ ପାଣ୍ଠିରୁ ୧୧ ହଜାର କୋଟି ଟଙ୍କା ମିଳିବ ବୋଲି ବଜେଟ୍ରେ ଆକଳନ କରିଛନ୍ତି । ୨ଠ୨୨ ମାର୍ଚ୍ଚ ସୁଦ୍ଧା ରାଜ୍ୟର ମୋଟ୍ ଋଣ ଭାର ୧ ଲକ୍ଷ ୮୧୩ କୋଟି ଟଙ୍କା ଥିବାବେଳେ ୨ଠ୨୨-୨୩ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ୍ ଋଣ ବୋଝ ୧ ଲକ୍ଷ ୧୨ ହଜାର ୪ଠ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସେହିପରି ଅପ୍ରତ୍ୟାଶିତ ଅର୍ଥ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ପ୍ରଥମ ଥର ପାଇଁ ସ୍ଥିରୀକୃତ ବଜେଟ୍ ପାଣ୍ଠି ନାଁରେ କର୍ପସ ଫଣ୍ଡ ସୃଷ୍ଟି କରିଛନ୍ତି । ଯେଉଁଥିରେ ୧ଠ ହଜାର କୋଟି ଟଙ୍କା ରଖାଯାଇଛି ।
ଚଳିତ ବଜେଟ୍ରେ ମହିଳାଙ୍କୁ ବିଶେଷ ଅଗ୍ରାଧିକାର ଦିଆଯାଇଛି । ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ୨ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ୧,୦୩୯ କୋଟି ଟଙ୍କାର ପ୍ରସ୍ତାବ ରହିଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସେମାନଙ୍କ ଫେଡେରେସନ୍କୁ ଆର୍ଥôକ ସହାୟତା ପାଇଁ ୭୭୩ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।
ସେହିପରି ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୧୭୬ କୋଟି ଟଙ୍କା ବ୍ୟବସ୍ଥା ରହିଛି । ବିଭିନ୍ନ ମହିଳା ଓ ଶିଶୁ କୈନ୍ଦ୍ରିକ ନୀତି ଏବଂ କଲ୍ୟାଣମୂଳକ ପଦକ୍ଷେପ ପାଇଁ ୩,୫୬୭ କୋଟି ଆବଣ୍ଟନ ହୋଇଛି । ମମତା ଯୋଜନା ଅଧୀନରେ ୨୪୭ କୋଟି, ସକ୍ଷମ ଅଙ୍ଗନବାଡି ଏବଂ ପୋଷଣ ୨.୦ ଅଧୀନରେ ୨,୩୯୭ କୋଟି ଏବଂ ଏସ୍ଏନ୍ପି-ପୋଷଣ୨.୦ ଅଧୀନରେ ୧୧୧୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟରେ ଆଇସିଡିଏସ୍ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସହାୟତା ଦିଗରେ ୪୧୬ କୋଟି, ସୋପାନ ଯୋଜନା ଅଧୀନରେ ୮୮ କୋଟି, ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଗ୍ରହଣ କରୁଥିବା ପିଲାଙ୍କ ୟୁନିଫର୍ମ ପାଇଁ ୭୮ କୋଟି, ଆଶୀର୍ବାଦ ଯୋଜନା ଅଧୀନରେ ୪୩ କୋଟି ଟଙ୍କା ଆବଣ୍ଟନ ହୋଇଛି ।
ସ୍ୱାସ୍ଥ୍ୟ କ୍ଷେତ୍ରକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ୧୨,୬୨୪ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଯାହା ଗତ ଆର୍ଥôକ ବର୍ଷ ତୁଳନାରେ ୩୮% ଅଧିକ । ରାଜ୍ୟରେ ୯୬ ଲକ୍ଷରୁ ଅଧିକ ପରିବାରଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ୨,୬୪୪ କୋଟି ଟଙ୍କା ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ ଏବଂ ସେବା ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ଅଧୀନରେ ୨,୩୨୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ସେହିପରି ପରିବାର କଲ୍ୟାଣ ଯୋଜନା ଅଧୀନରେ ୫୧୪ କୋଟି ଟଙ୍କା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆନୁସଙ୍ଗିକ ସେବାକୁ ସୁଦୃଢ କରିବା ପାଇଁ ୬୫୨ କୋଟି ଟଙ୍କା ବ୍ୟବସ୍ଥା ହୋଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୨,୧୫୬ କୋଟି ଏବଂ ସ୍ୱାସ୍ଥ୍ୟ ଓ ଚିକିତ୍ସା ଶିକ୍ଷା କ୍ଷେତ୍ରରେ ମାନବ ସମ୍ବଳ ବିକାଶ ପାଇଁ ୩୧୨ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଏହାଛଡା ଶିକ୍ଷା ଓ ଦକ୍ଷତା ବିକାଶର ରୂପାନ୍ତରୀକରଣକୁ ବଜେଟ୍ରେ ପ୍ରାଥମିକତା ଦିଆଯାଇଛି । ଏହି କ୍ଷେତ୍ରରେ ଲାଗି ୨୭,୩୨୪ କୋଟି ଟଙ୍କା ଆବଣ୍ଟନ ହୋଇଛି । ମୋ ସ୍କୁଲ୍ ଅଭିଯାନ ଅଧୀନରେ ୬୪୪ କୋଟି, ୧୦୦ଟି ଉକ୍ରର୍ଷ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍ ରୁମ୍ ପାଇଁ ୭୯ କୋଟି ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ୪୨୦ କୋଟି ଟଙ୍କା ବ୍ୟବସ୍ଥା ହୋଇଛି । ଅନୁଦାନ ବାବଦକୁ ବେସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ୧୧୦୯ କୋଟି ଏବଂ ବେସରକାରୀ କଲେଜଗୁଡିକ ପାଇଁ ୧୨୮୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ସମଗ୍ର ଶିକ୍ଷା ଅଧୀନରେ ୩,୫୮୧ କୋଟି, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଭିତ୍ତିଭୂମି ବିକାଶ ପାଇଁ ୧୬୫ କୋଟି, ବିଶ୍ୱବ୍ୟାଙ୍କ ପ୍ରକଳ୍ପ ଅଧୀନରେ ଉଚ୍ଚଶିକ୍ଷା ସୁଦୃଢ ପାଇଁ ୨୫୮ କୋଟି ଏବଂ ରୁଷା ଅଧୀନରେ ୧୭୮ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ଭୁବନେଶ୍ୱରରେ ବିଶ୍ୱ ଦକ୍ଷତା କେନ୍ଦ୍ର ପାଇଁ ଏସୀୟ ବିକାଶ ବ୍ୟାଙ୍କ ସହାୟତାରେ ୧୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଇଞ୍ଜିନିୟରିଂ କଲେଜ, ସ୍କୁଲ୍ ଏବଂ ପଲିଟେକ୍ନିକ୍ର ଭିତ୍ତିଭୂମି ବିକାଶ ପାଇଁ ୨୦୪ କୋଟି ଟଙ୍କା ଆବଣ୍ଟନ ହୋଇଛି । ଆଇଟିଆଇ ଓ ପଲିଟେକ୍ନିକ୍ ମାଧ୍ୟମରେ ଓଡିଶା ରାଜ୍ୟ ସ୍ୱୟଂ ନିଯୁକ୍ତି ମିଶନ ଏବଂ ଯୁବକଙ୍କ ଦକ୍ଷତା ବିକାଶ ପାଇଁ ୨୧ କୋଟି ଟଙ୍କା ପ୍ରଦାନ କରାଯାଇଛି ।
୨୦୨୨-୨୩ ବଜେଟ୍ର ୩୮,୭୩୨ କୋଟି ପୁଞ୍ଜି ବ୍ୟୟବରାଦ ନିମନ୍ତେ ଉଦ୍ଦିଷ୍ଟ । ଯାହା ଜିଏସ୍ଡିପିର ୫.୪ ପ୍ରତିଶତ । ବିଜୁ ଏକ୍ସପ୍ରେସ୍ ୱେ ଅଧୀନରେ ୩୦୦ କୋଟିର ବ୍ୟବସ୍ଥା ହୋଇଛି । ରାଜ୍ୟ କ୍ୟାପିଟାଲ୍ ପ୍ରକଳ୍ପ ଅଧୀନରେ ୧୭୮ କୋଟି, ଅବଢା ଯୋଜନାରେ ୧୩୨୫ କୋଟି, ଏକାମ୍ର ଯୋଜନା ଅଧୀନରେ ୨୦୦ କୋଟି, ସମଲେଇ ଯୋଜନା ଅଧୀନରେ ୨୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହାବାଦ୍ ଐତିହ୍ୟ, ସ୍ମାରକୀ ଏବଂ ପର୍ଯ୍ୟଟନସ୍ଥଳୀଗୁଡିକର ସମନ୍ୱିତ ବିକାଶ ପାଇଁ ୧୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ବିଜୁ ସେତୁ ଯୋଜନା ଅଧୀନରେ ୧୬୮୮ କୋଟି, ପିଏମ୍ଜିଏସ୍ୱାଇ ଅଧୀନରେ ୧୫୫୦ କୋଟି, ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଧୀନରେ ୬୭୪ କୋଟି ଟଙ୍କା ବ୍ୟବସ୍ଥା ହୋଇଛି । ପର୍ଯ୍ୟଟନର ବିକାଶ ନିମନ୍ତେ ବଜେଟ୍ରେ ୫୯୦ କୋଟିର ବ୍ୟୟବରାଦ ହୋଇଛି । ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଏବଂ ପରିଚାଳନା ପାଇଁ ୩୭୫ କୋଟି ଏବଂ ପର୍ଯ୍ୟଟନର ପ୍ରୋତ୍ସାହନ ପାଇଁ ୧୫୦ କୋଟି ଟଙ୍କା ବ୍ୟବହୃତ ହେବ । ପ୍ରସାଦ ଯୋଜନା ଅଧୀନରେ ୩୯ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଚଳିତ ଆର୍ଥôକ ବର୍ଷରେ କ୍ରୀଡା କ୍ଷେତ୍ର ପାଇଁ ୯୧୧ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଅନ୍ୟ କ୍ରୀଡା ଭିତ୍ତିଭୂମିର ବିକାଶ ଏବଂ ପରିଚାଳନା ପାଇଁ ୭୧୯ କୋଟି, କ୍ରୀଡା ଶିକ୍ଷାର ପ୍ରୋତ୍ସାହନ ପାଇଁ ୧୧୫ କୋଟି, ଖେଲୋ ଇଣ୍ଡିଆକୁ ରାଜ୍ୟର ସମର୍ଥନ ପାଇଁ ୧୧ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଗ୍ରାମୀଣ ଓ ସହରୀ ଜଳ ଯୋଗାଣ ପାଇଁ ବସୁଧା ଯୋଜନା ଅଧୀନରେ ୨,୩୮୯ କୋଟିର ବ୍ୟବସ୍ଥା ହୋଇଛି । ନିର୍ଭରଯୋଗ୍ୟ ବିଦୁ୍ୟତ୍ ଯୋଗାଣ ପାଇଁ ୩,୪୮୨ କୋଟି ଟଙ୍କାର ଆବଣ୍ଟନ ପ୍ରସ୍ତାବ ରହିଛି । ଏକ ଟଙ୍କିଆ ଚାଉଳ ଯୋଗାଇ ଦେବା ଲାଗି ୧,୦୨୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଏବଂ ବିଜୁ ପକ୍କାଘର ଯୋଜନା ସମନ୍ୱୟରେ ପକ୍କା ଘର ନିର୍ମାଣ ପାଇଁ ୫,୯୦୬ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ଏବଂ ସହରୀ ଗୃହ ଯୋଜନା ଅଧୀନରେ ବାସଗୃହ ନିର୍ମାଣ ପାଇଁ ୫୦୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ।