ଚିତ୍ତାକର୍ଷକ ହେବ ପରିକ୍ରମା ପ୍ରକଳ୍ପ: ମୁଖ୍ୟମନ୍ତ୍ରୀ
ପୁରୀ (ବୁ୍ୟରୋ): ରଥଯାତ୍ରା ଅବସରରେ ପୁରୀ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ।
ସେ ପୁରୀରେ ଜାରି ରହିଥିବା ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଛନ୍ତି । ରଥଯାତ୍ରାରେ ଯୋଗଦେବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବ୍ୟାଟେରୀ ଗାଡ଼ିରେ ବସି ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ସମ୍ମୁଖରେ ପହଞ୍ଚିଥିଲେ । ପରେ ବ୍ୟାଟେରୀ ଗାଡ଼ିରୁ ଓହ୍ଲାଇ ଦକ୍ଷିଣଦ୍ୱାରରେ ଜାରି ରହିଥିବା ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଥିଲେ । ତତ୍ସହିତ ପ୍ରକଳ୍ପ ପରିସରରେ ରହିଥିବା ମାନଚିତ୍ରକୁ ଦେଖି କାର୍ଯ୍ୟ ସମ୍ପର୍କରେ ଅଧିକାରୀଙ୍କ ଠାରୁ ବୁଝିଥିଲେ । ତେବେ ଦକ୍ଷିଣଦ୍ୱାର ପ୍ରକଳ୍ପ କାର୍ଯ୍ୟ ଶେଷପର୍ଯ୍ୟାୟରେ ପହଞ୍ଚôଛି । ସେଲ୍ଟର ପାଭିଲିଅନ୍ ବୁଲି ଦେଖିବା ସହ ପ୍ରାୟ ୧୫ ମିନିଟ୍ ଧରି ନିର୍ମାଣ କାମର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ପରିକ୍ରମା ପ୍ରକଳ୍ପ କାମ ଜାରି ରହିଥିବାବେଳେ ଏବେଠୁ ଏହା ଆକର୍ଷଣୀୟ କେନ୍ଦ୍ର ପାଲଟିଛି । ତେବେ ଆସନ୍ତା ୯ ମାସରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ ଉକ୍ରଳୀୟ ଢାଞ୍ଚାରେ ଖଣ୍ଡାଲାଇଟ୍ ପଥରରେ କାମ ହେଉଛି । ଉକ୍ତ କାର୍ଯ୍ୟ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉଛି । ଏହି ସ୍ଥାନ ସମସ୍ତଙ୍କୁ ବିମୋହିତ କରୁଛି । ତେବେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ନିଶ୍ଚିତ ଭାବେ ଚିତ୍ତାକର୍ଷକ ହେବ ବୋଲି କହିଥିଲେ । ସେହିପରି ଉକ୍ତ କାର୍ଯ୍ୟକୁ ଦେଖି ସ୍ଥାନୀୟ ଲୋକେ ପ୍ରଶଂସା କରିବା ସହ ଖୁସିପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଚତୁଃପାଶ୍ୱର୍କୁ ନୂତନ ରୂପ ଦେଉଥିବାରୁ ସେବାୟତମାନେ ସ୍ୱାଗତ କରିଛନ୍ତି ।