ଅସରାଏ ବର୍ଷାରେ ଦୋକାନରେ ପଶୁଛି ପାଣି

କୁଜଙ୍ଗ (ଆପ୍ର): ଅସରାଏ ବର୍ଷାରେ କୁଜଙ୍ଗ ବଜାରରେ ଜଳବନ୍ଦୀ ଅବସ୍ଥା ଦେଖିବାକୁ ମିଳିଛି । କୁଜଙ୍ଗ ବଜାରର ମୁଖ୍ୟ ରାସ୍ତା ତଥା ଥାନା ନିକଟରେ ଥିବା ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖ ଡ୍ରେନ୍ ବନ୍ଦ ହୋଇ ପଡିଥିବାରୁ ସାମାନ୍ୟ ବର୍ଷାରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଦୋକାନ ସମ୍ମୁଖରେ ଜମି ରହିବା ସାଙ୍ଗକୁ ଦୋକାନ ଭିତରେ ପାଣି ଜମି ରହିଛି । କୁଜଙ୍ଗ ବଜାରର ମୁଖ୍ୟ ସମସ୍ୟା ଜଳ ନିଷ୍କାସନ ନିମନ୍ତେ ନେତା, ପ୍ରଶାସକମାନେ ବିଭିନ୍ନ ପ୍ରକାରର ପ୍ରତିଶ୍ରୁତି ଦେବା ସାଙ୍ଗକୁ ଅନେକ ବିକାଶମୂଳକ କାର୍ଯ୍ୟ କରୁଥିଲେ ମଧ୍ୟ ଡ୍ରେନେଜ ବ୍ୟବସ୍ଥାର ସ୍ଥାୟୀ ସମାଧାନ ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି । ଯାହାଫଳରେ କୁଜଙ୍ଗ ବଜାରର ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ରାସ୍ତାରେ ଜମି ରହିବା ସାଙ୍ଗକୁ ଅନେକ ଦୋକାନ ଗୁଡିକରେ ଏହି ବର୍ଷା ଜଳ ଜମି ରହୁଛି ।
ଏ ନେଇ ଥାନା ନିକଟସ୍ଥ ବ୍ୟବସାୟୀ ବୃନ୍ଦ ନବକୁମାର ସାହୁ, ଉଷ୍ମରଶ୍ମି ବିଶ୍ୱାଳ, ଶିବ ସାହୁ, ତରୁ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ଦାସ, ଶିବ ପରିଡା ପ୍ରମୁଖ ବିଡିଓଙ୍କ ସହିତ ଯୋଗାଯୋଗ କରିଥିଲେ । ବିଡିଓ ବିଭାଗୀୟ ଯନ୍ତ୍ରୀଙ୍କୁ ପଠାଇ ଅନୁଧ୍ୟାନ କରି ବର୍ଷା ଜଳ ନିଷ୍କାସନ ନିମନ୍ତେ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଣୁ ତୁରନ୍ତ କୁଜଙ୍ଗ ବଜାରରୁ ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା ନିମନ୍ତେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *