ନିଗମର ପ୍ରଥମ ଦାୟିତ୍ୱ ଡ୍ରେନ୍ ସଫେଇ: ସାଂସଦ
କୃତି୍ରମ ବନ୍ୟାରୁ ବ୍ରହ୍ମପୁରକୁ ମିଳିବ ମୁକ୍ତି
ବ୍ରହ୍ମପୁର (ବୁ୍ୟରୋ): ବର୍ଷାଜଳ ନିଷ୍କାସନ ବ୍ରହ୍ମପୁର ସହରର ଏକ ପ୍ରମୁଖ ସମସ୍ୟା । ପ୍ରତିବର୍ଷ ବର୍ଷାରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ । ବିଶେଷକରି ଡ୍ରେନ୍ ସଫେଇ ହେଉନଥିବା ଯୋଗୁ ବର୍ଷା ହେଲେ ପରିସ୍ଥିତି ସାଙ୍ଘାତିକ ହୋଇପଡ଼ିଥାଏ । ଦୀର୍ଘବର୍ଷ ହେଲା ଲାଗି ରହିଥିବା ଏହି ସମସ୍ୟାର ସମାଧାନ ପାଇଁ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଉଦ୍ୟମ ଆରମ୍ଭ ହୋଇଛି । ଶନିବାର ଠାରୁ ନିଗମ ତରଫରୁ ସ୍ୱତନ୍ତ୍ର ଭାବେ ‘ଡ୍ରେନ୍ ସଫେଇ’ ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ଅଭିଯାନରେ ସହରର ପ୍ରମୁଖ ୨୦ଟି ସ୍ଥାନରେ ଡ୍ରେନ୍ଗୁଡିକର ସଫେଇ ସହ ପଙ୍କୋଦ୍ଧାର କରାଯିବ । ଏଥିପାଇଁ ସ୍ୱତନ୍ତ୍ର ଭାବେ ଅତିରିକ୍ତ ଶହେ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ନିୟୋଜିତ କର୍ମଚାରୀଙ୍କୁ ସୁରକ୍ଷା ଉପକରଣ ମଧ୍ୟ ଯୋଗାଇ ଦିଆଯାଇଛି । ପର୍ଯ୍ୟାୟକ୍ରମେ ଏହି ସଫେଇ ଅଭିଯାନ ଆୟୋଜିତ ହେବ । ଶନିବାର ଆସିକା ରୋଡ୍ର କର୍ପୋରେସନ ଛକ ଠାରୁ ଅଭିଯାନ ଆରମ୍ଭ ହୋଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ନିଗମ କମିଶନର ଜେ.ସୋନାଲ୍, ନିର୍ବାହୀ ଯନ୍ତ୍ରୀ ସୀମାଞ୍ଚଳ ଷଢ଼ଙ୍ଗୀଙ୍କ ସମେତ କର୍ପୋରେଟରମାନେ ଉପସ୍ଥିତ ଥିଲେ । ସାଂସଦ ଶ୍ରୀ ସାହୁ କହିଥିଲେ ଯେ, ନିଗମର ପ୍ରଥମ ଦାୟିତ୍ୱ ହେଲା ଡ୍ରେନ୍ ସଫେଇ । ବର୍ଷାଋତୁ ପୂର୍ବରୁ ଡ୍ରେନ୍ ସଫେଇ ହେବା ଉଚିତ୍ । ମେୟର ସଂଘମିତ୍ରା ଦଳେଇ କହିଥିଲେ ଯେ, କୃତି୍ରମ ବନ୍ୟାରୁ ସହରକୁ ମୁକ୍ତି ଦେବା ପାଇଁ ସହରବାସୀଙ୍କ ଦାବି ଥିଲା । ପ୍ରଥମେ ମୁଖ୍ୟରାସ୍ତା ଏବଂ ପରେ ଗଳିକନ୍ଦିରେ ମଧ୍ୟ ଡ୍ରେନ୍ ସଫା ହେବ । ସହରର ୨୦ଟି ଜାଗା ଚିହ୍ନଟ କରାଯାଇଛି । ନିଗମ କମିଶନର ଜେ ସୋନାଲ୍ କହିଥିଲେ ଯେ, ସହରର ପ୍ରମୁଖ ଡ୍ରେନ୍ଗୁଡିକ ମିଶନ ମୋଡ୍ରେ ସଫା କରାଯିବ । ଡ୍ରେନ୍ରୁ ଜବରଦଖଲ ଉଚ୍ଛେଦ ମଧ୍ୟ କରାଯିବ । ସାପୁଆ ନାଳ ଏବଂ ବାହାନା ନାଳକୁ ସଂଯୋଗ କରୁଥିବା ଡ୍ରେନ୍ଗୁଡିକୁ ଅଧିକ ଗୁରୁତ୍ୱ ଦିଆଯିବ । ଯାହା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ସେ କହିଛନ୍ତି ।
