ଭକ୍ତ-ଭଗବାନଙ୍କ ମହାମିଳନ

ଶରଧାବାଲିରେ ତିନି ରଥ, ୫୦ ବର୍ଷର ରେକର୍ଡ ଭଙ୍ଗ
ଭୋର୍ ୬ରୁ ପହଣ୍ଡି ଆରମ୍ଭ, ସାଢ଼େ ୩ ଘଣ୍ଟା ପୂର୍ବରୁ ଶେଷ
ପ୍ରଚଣ୍ଡ ଗୁଳୁଗୁଳି ସତ୍ତ୍ୱେ ୧୦ ଲକ୍ଷରୁ ଅଧିକ ଭକ୍ତ
ପୁରୀ, ୧ା୭(ବୁ୍ୟରୋ): କରୋନା କଟକଣା ଯୋଗୁ ଦୁଇବର୍ଷ ପରେ ବଡଦାଣ୍ଡରେ ଭକ୍ତ-ଭଗବାନ ମିଳନ ଘଟିଛି । ଶ୍ରୀକ୍ଷେତ୍ର ହୋଇ ଉଠିଛି ଭକ୍ତମୟ । ପ୍ରଚଣ୍ଡ ଗୁଳୁଗୁଳି ସତ୍ତ୍ୱେ ଶ୍ରୀଜିଉଙ୍କ ଗୁଣ୍ଡିଚା ଯାତ୍ରା ଦେଖିବା ଲାଗି ଶୁକ୍ରବାର ବଡଦାଣ୍ଡରେ ୧୦ ଲକ୍ଷରୁ ଅଧିକ ଭକ୍ତ ସମବେତ ହୋଇଥିଲେ ।
ଚଳିତ ବର୍ଷ ରଥଯାତ୍ରା ରେକର୍ଡ କରିଛି । ଦୁଇବର୍ଷ ପରେ ଭକ୍ତ ଗହଣରେ ଶୃଙ୍ଖଳିତ ଭାବେ ଶ୍ରୀଗୁଣ୍ଡିଚା ଯାତ୍ରା ଶେଷ ହୋଇଛି । ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ପହଣ୍ଡି ଶେଷ ହୋଇ ରଥଟଣା ଯାଇଛି । ସନ୍ଧ୍ୟା ପୁର୍ବରୁ ଶରଧାବାଲିରେ ତିନି ରଥ ଲାଗିବା ସହିତ ବିଗତ ୫୦ ବର୍ଷର ରେକର୍ଡ ଭାଙ୍ଗିଛି ।
ରଥଯାତ୍ରା ପାଇଁ ପୁରୀରେ ପ୍ରବଳ ଜନସମାଗମ ଘଟିଛି । ଦୁଇବର୍ଷ ହେଲା ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେଇଥିଲା । ଏଥର ଜନସାଧାରଣଙ୍କୁ ଅନୁମତି ମିଳି ଥିବାରୁ ପ୍ରବଳ ଗୁଳୁଗୁଳି ସତ୍ତ୍ୱେ ପୁରୀରେ ପ୍ରାୟ ୧୦ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ରଥ ଉପରେ ମହାପ୍ରଭୁଙ୍କୁ ଦେଖିବା ନିମିତ୍ତ ପ୍ରାୟ ଏକ ସପ୍ତାହ ହେଲା ପର୍ଯ୍ୟଟକଙ୍କ ଆଗମନ ଘଟିଥିଲା । ଶୁକ୍ରବାର ସକାଳେ ବଡଦାଣ୍ଡ ଜନସମୁଦ୍ରରେ ପରିଣତ ହୋଇଥିଲା । ଟାଣଖରା ଓ ଗୁଳୁଗୁଳିକୁ ଖାତିର ନ କରି ରଥାରୁଢ ଠାକୁରଙ୍କୁ ଦର୍ଶନ କରିବା ଲାଗି ଅପେକ୍ଷା କରିଥିଲେ ଭକ୍ତ । ନିର୍ଦ୍ଧାରିତ ସମୟଠାରୁ ସାଢ଼େ ୩ ଘଣ୍ଟା ପୁର୍ବରୁ ସକାଳ ୬ଟାରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧା ବିଗ୍ରହଙ୍କ ପହଣ୍ଡି । ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟା ନାଦ ଓ ହରିନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହୋଇଥିଲା ସିଂହଦ୍ୱାର । ଧାଡି ପହଣ୍ଡିରେ ରନôସିଂହାସନରୁ ପ୍ରଥମେ ଓହ୍ଲାଇ ଆସିଥିଲେ ଚକ୍ରରାଜ ସୁଦର୍ଶନ । ଦଇତାପତି ସେବାୟତମାନେ ସୁଦର୍ଶନଙ୍କୁ ନେଇ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିଜେ କରିଥିଲେ । ପରେ ବଡଠାକୁର ବଳଭଦ୍ର ପହଣ୍ଡି କରିଥିଲେ । ଘଣ୍ଟାଏ ଧରି ଝୁଲି ଝୁଲି ସକାଳ ୭ଟାରେ ପ୍ରଭୁ ବଳଭଦ୍ର ତାଳଧ୍ୱଜ ରଥରେ ଆସୀନ ହୋଇଥିଲେ । ଏହାପରେ ଦେବୀ ସୁଭଦ୍ରାଙ୍କୁ ଦେବଦଳନ ରଥକୁ ନିଆଯାଇଥିଲା । ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନନ୍ଦିଘୋଷରେ ବିଜେ କରାଯାଇଥିଲା । ମଧ୍ୟାହ୍ନ୧୨ଟାରେ ପହଣ୍ଡି ଲାଗି ସମୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଏହାର ସାଢେ ୩ ଘଣ୍ଟା ପୂର୍ବରୁ ସୁରୁଖୁରୁରେ ପହଣ୍ଡି ଶେଷ କରାଯାଇ ମଦନମୋହନ ଓ ରାମକୃଷ୍ଣ ରଥରେ ବିଜେ କରିଥିଲେ । ମହାପ୍ରଭୁଙ୍କ ଚିତା ଲାଗି କରାଯାଇଥିଲା ଓ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଶିଷ୍ୟ ଓ ସାଧକଙ୍କ ଗହଣରେ ରଥ ଉପରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିଥିଲେ ।
ରଥ ଉପରେ ବେଶ ବଢିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରୁ ତାମଯାନରେ ଆସି ତିନି ରଥରେ ଛେରାପହଁରା କରିଥିଲେ । ଏହାପରେ ଚାରମାଳ ଫିଟା ଯାଇ ରଥଗୁଡ଼ିକରେ ଘୋଡା ଓ ସାରଥି ଯୋଚା ଯାଇଥିଲା । ଧାର୍ଯ୍ୟ ସମୟ ବହୁ ପୁର୍ବରୁ ୧୨.୩୦ରେ ରଥଟଣା ଯାଇଥିଲା । ପ୍ରଥମେ ତାଳଧ୍ୱଜ ଓ ଏହାପରେ ଦର୍ପଦଳନ ରଥ ଟଣା ଯାଇଥିଲା । ସର୍ବଶେଷରେ ଅପରାହ୍ଣ ୨.୩୦ରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଜନ୍ମବେଦୀ ଅଭିମୁଖେ ଯାତ୍ରା କରିଥିଲା । ସନ୍ଧ୍ୟା ସୁଧା ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଞ୍ଚିଥିଲା ତିନି ରଥ ।
ସୁରକ୍ଷିତ ଓ ଶୃଙ୍ଖଳିତ ରଥଯାତ୍ରା ନିମିତ୍ତ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଶ୍ରୀମନ୍ଦିର ସମେତ ପୁରୀରେ ୧୮୬ ପ୍ଲାଟୁନ୍ ଫୋର୍ସ ଓ ଏକ ହଜାରରୁ ଅଧିକ ବରିଷ୍ଠ ପୁଲିସ ଅଧିକାରୀ ମୁତୟନ ହୋଇଥିଲେ । ସହରକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିଲା । ପହଣ୍ଡି ଦର୍ଶନ ଓ ରଥ ଟାଣିବା ପାଇଁ ପୁରୀରେ ପହଞ୍ଚିଥିଲେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଗୁଡୁ, ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଆଇନ୍ ମନ୍ତ୍ରୀ ଜଗନ୍ନଥ ସାରକା, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ଗଣ ଶିକ୍ଷାମନ୍ତ୍ରୀ ସମୀରରଞ୍ଜନ ଦାସ, ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଳିକ, ତୁଷାରିକାନ୍ତି ବେହେରା, ପ୍ରମିଳା ମଲ୍ଲିକ, ଉଷା ଦେବୀ, ଟୁକୁନି ସାହୁ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରିତିରଞ୍ଜନ ଘଡାଇ । ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ ସମେତ ବରିଷ୍ଠନେତା, ବିଧାୟକ ଓ ଅଧିକାରୀମାନେ ରଥ ଉପରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ, କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି କନୱାର ବିଶାଲ ସିଂହ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଶୃଙ୍ଖଳିତ ଭାବେ ଶ୍ରୀଗୁଣ୍ଡିଚା ଯାତ୍ରା ସମାପନ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *