ଦର୍ଜି ହତ୍ୟାକାଣ୍ଡରେ ୨୬/୧୧ ଲିଙ୍କ୍
ଅଭିଯୁକ୍ତର ବାଇକ୍ ନଂ-୨୬୧୧
ଜୟପୁର (ଏଜେନ୍ସି): ଉଦୟପୁର କହ୍ନେୟାଲାଲ ହତ୍ୟାକାଣ୍ଡ ମାମଲାରେ ତଦନ୍ତ ଜାରି ରହିଥିବା ବେଳେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସମ୍ପ୍ରତି ଏହି ଘଟଣାରେ ୨୬/୧୧ ଆତଙ୍କବାଦୀ ଆକ୍ରମଣ ଲିଙ୍କ୍ ମିଳିଥିବା କୁହାଯାଉଛି । ଗିରଫ ଦୁଇ ହତ୍ୟାକାରୀ ହତ୍ୟାକାଣ୍ଡ ଦିନ ବ୍ୟବହାର କରିଥିବା ବାଇକ୍ ନମ୍ବର ୨୬୧୧ ରହିଥିବା ବେଳେ ଏହି ନମ୍ବର ପାଇବା ପାଇଁ ଅନ୍ୟତମ ହତ୍ୟାକାରୀଜଣକ ୫ହଜାର ଟଙ୍କା ରାଜ୍ୟ ଆରଟିଓ ଅଫିସ୍ରେ ଜମା କରିଥିବା ଜାଣିବାକୁ ମିଳିଛି ।
୨ଠଠ୮, ନଭେମ୍ବର ୨୬ ତାରିଖରେ ମୁମ୍ବାଇରେ ହୋଇଥିବା ସିରିଜ୍ ବିସ୍ଫୋରଣ ଘଟଣାକୁ ସାଂକେତିକ ଭାବେ ୨୬/୧୧ ଭାବେ ବିବେଚନା କରାଯାଇଆସୁଛି । ଅନ୍ୟପକ୍ଷେ ୨ଠ୧୩ରେ ମାସିକ କିସ୍ତି ଆକାରରେ ଏକ ଗାଡ଼ି କିଣୁଥିବା ହତ୍ୟାକାରୀଜଣକ ଏହି ସଂଖ୍ୟାକୁ ଗାଡ଼ି ନମ୍ବର ଭାବେ ପାଇବା ପାଇଁ ୫ହଜାର ଟଙ୍କା ଅତିରିକ୍ତ ଭାବେ ଆରଟିଓ ଅଫିସ୍ରେ ଦାଖଲ କରିବା ତଦନ୍ତକାରୀ ଟିମ୍ ଜାଣିବାକୁ ପାଇଛନ୍ତି । ସୁତରାଂ ବାସ୍ତବରେ ଗିରଫ ହତ୍ୟାକାରୀଙ୍କ ମୁମ୍ବାଇ ଆତଙ୍କୀ ହମ୍ଲା ସହ ବାସ୍ତବରେ କୌଣସି ଲିଙ୍କ୍ ରହିଛି କି ନାହିଁ ସେସମ୍ପର୍କରେ ଅଧିକ ଛାନ୍ବିନ୍ ଆରମ୍ଭ ହୋଇଯାଇଛି । ତେବେ ଏଥିରୁ ଗୋଟିଏ କଥା ତ ସ୍ପଷ୍ଟ ହେଉଛି ଯେ, ସମଗ୍ର ଦେଶବାସୀଙ୍କ ପାଇଁ ୨୬/୧୧ ଯେଉଁଠି ଏକ କଳାଦିବସ ଭାବେ ବିବେଚନା କରାଯାଇଆସୁଛି, ସେଠାରେ ଏହି ଦୁଇ ଆତଙ୍କବାଦୀ ଏହାକୁ ଏକ ଶୁଭ ସଂଖ୍ୟା ଭାବେ ବିବେଚନା କରୁଥିଲେ । ସିଧାଅର୍ଥରେ କହିଲେ ମୁମ୍ବାଇ ଉପରେ ଆକ୍ରମଣକୁ ନେଇ ଏମାନେ ବେଶ୍ ଉତ୍ସାହିତ ଥିଲେ । ସେଥିପାଇଁ ମୁମ୍ବାଇ ଆକ୍ରମଣର ଠିକ୍ ୨ବର୍ଷ ପରେ ଏହି ତାରିଖ (୨୬/୧୧)କୁ ଗାଡ଼ି ନମ୍ବର ଭାବେ ପାଇବା ପାଇଁ ଅତିରିକ୍ତ ଅର୍ଥ ଆରଟିଓରେ ଜମା କରିଥିଲେ । ସୂଚନାଯୋଗ୍ୟ, କହ୍ନେୟାଲାଲଙ୍କ ହତ୍ୟା ଘଟଣାକୁ ନେଇ ୩୨ଜଣ ବରିଷ୍ଠ ପୁଲିସ ଅଧିକାରୀକୁ ରାଜ୍ୟ ସରକାର ଅନ୍ୟତ୍ର ବଦଳି କରିଥିବା ଜଣାପଡ଼ିଛି ।