…ଆମେ ବି ମୁର୍ମୁଙ୍କୁ ସମର୍ଥନ କରିଥାନ୍ତୁ

ରାଷ୍ଟ୍ରପତି ପ୍ରାର୍ଥୀ ପ୍ରସଙ୍ଗରେ ମମତାଙ୍କ ୟୁ-ଟର୍ଣ୍ଣ
କୋଲକାତା, ୧ା୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ଶୁକ୍ରବାର ସେ କହିଛନ୍ତି, ଯଦି ଏନ୍ଡିଏ ପକ୍ଷରୁ ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥôତ୍ୱ ସମ୍ପର୍କରେ ଜଣାଇ ଦିଆଯାଇଥାନ୍ତା ଆମେ ମଧ୍ୟ ରାଜି ହୋଇଥାନ୍ତୁ ଏବଂ ଦ୍ରୌପଦୀ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥାନ୍ତେ । ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସମ୍ଭାବନା ଅଧିକ ବୋଲି ମଧ୍ୟ ମମତା ମାନିଛନ୍ତି । ସେ କହିଛନ୍ତି, ବିଜେପି ଆମ ପରାମର୍ଶ ନେଲା, କିନ୍ତୁ ନିଜ ପ୍ରାର୍ଥୀଙ୍କ ନାମ ଖୋଲି କହିଲା ନାହିଁ । ଆମେ ଯଦି ଜାଣିପାରିଥାନ୍ତୁ ଯେ ଜଣେ ଆଦିବାସୀ ମହିଳା କିମ୍ବା ସଂଖ୍ୟାଲଘୁ ସମ୍ପ୍ରଦାୟର କେହି ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଏନ୍ଡିଏ ଇଚ୍ଛୁକ, ସେ କ୍ଷେତ୍ରରେ ଆମେ ବିଚାର କରିଥାନ୍ତୁ । ଆମ ମନରେ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ପ୍ରତି ବହୁ ସମ୍ମାନ ଅଛି । ଏହାଛଡା ଏନ୍ଡିଏ ପ୍ରାର୍ଥୀ ଜଣେ ମହିଳା । ଏପିଜେ ଅବ୍ଦୁଲ କଲାମଙ୍କୁ ପ୍ରାର୍ଥୀ କରାଯିବା ସମୟରେ ସହମତି ସୃଷ୍ଟି ହୋଇଥିଲା । ଆମ ମେଣ୍ଟରେ ଅଛନ୍ତି ୧୭ ଦଳ । ଟିଏମ୍ସି ଏକୁଟିଆ ପଛକୁ ହଟିପାରିବ ନାହିଁ ।
ଉଲ୍ଲେଖଯୋଗ୍ୟ ଯେ ବିରୋଧୀ ଦଳଗୁଡିକ ପକ୍ଷରୁ ମିଳିତ ପ୍ରାର୍ଥୀ ହୋଇଥିବା ଯଶୋବନ୍ତ ସିହ୍ନା ଟିଏମ୍ସିରେ ଥିଲେ । ତାଙ୍କୁ ପ୍ରାର୍ଥୀ କରିବା ଲାଗି ମମତାହିଁ ପ୍ରସ୍ତାବ ଦେଇଥିଲେ । ଏବେ ମମତା ୟୁ-ଟର୍ଣ୍ଣ ନେବାରୁ କଂଗ୍ରେସ ପକ୍ଷରୁ ତାଙ୍କୁ ସମାଲୋଚନା କରାଯାଇଛି । କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି, ମମତାଙ୍କ ଉପରେ ବିଜେପି ପକ୍ଷରୁ ହୁଏତ ଚାପ ପକାଯାଇଛି । ମମତାହିଁ ତାଙ୍କ ନିଷ୍ପତ୍ତି ଉପରେ ସମସ୍ତେ ସହମତ ହେବା ଲାଗି କହିଥିଲେ । ଏବେ ସେ ନିଜ ଦାୟିତ୍ୱରୁ ହଟି ୟୁ-ଟର୍ଣ୍ଣ ନେଉଛନ୍ତି । ଆମ ପାଇଁ ବିଜେପିର ମୁକାବିଲା କରିବା ସିଦ୍ଧାନ୍ତର ଲଢେଇ ।
ଇତିମଧ୍ୟରେ ଶିରୋମଣି ଅକାଳୀ ଦଳ ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବକୁ ନିଷ୍ପତ୍ତି ନେଇଛି । ଦଳ ପକ୍ଷରୁ କୁହାଯାଇଛି, ଦ୍ରୌପଦୀ ପଛୁଆ ବର୍ଗର ଏବଂ ତା ସହିତ ସେ ଜଣେ ମହିଳା । ସେ ଦେଶର ଗରିବ ଓ ଆଦିବାସୀ ବର୍ଗଙ୍କ ପ୍ରତୀକ । ତେଣୁ ଅକାଳୀ ଦଳ ତାଙ୍କୁ ସମର୍ଥନ ଦେବ । ତାଛଡା ଶିଖ୍ ସମ୍ପ୍ରଦାୟ ଉପରେ ଅତ୍ୟାଚାର କାରଣରୁ ଦଳ କଂଗ୍ରେସ ସହ କେବେ ବି ରହିବ ନାହିଁ । ଅକାଳୀ ଦଳ ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ ଅନ୍ୟ ନେତାମାନଙ୍କ ଗହଣରେ ଶୁକ୍ରବାର ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଦଳର ସମର୍ଥନ ଜ୍ଞାପନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *