୪ରେ ଲଘୁଚାପ!
ରାଜ୍ୟରେ ବଢ଼ିବ ବର୍ଷା ପରିମାଣ
ଭୁବନେଶ୍ୱର,୧ା୭(ବୁ୍ୟରୋ): ସମଗ୍ର ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ସକ୍ରିୟ ହୋଇ ଗତ ପ୍ରାୟ ୩ ଦିନ ଧରି ସମଗ୍ର ରାଜ୍ୟର ବିଭିନ୍ନ ଅଞ୍ଚଳରେ ମୌସୁମୀ ବର୍ଷା ଲାଗି ରହିଛି । ଏପରି ବର୍ଷା ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ । ତେବେ ଆସନ୍ତା ଜୁଲାଇ ୪ ତାରିଖ ବେଳକୁ ଉତ୍ତର ଓଡ଼ିଶା ଏବଂ ତତ୍ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ସମ୍ଭାବ୍ୟ ଲଘୁଚାପ ସଂପର୍କରେ ସବିଶେଷ ଭାବେ ଏବେ ଠାରୁ କିଛି ଆକଳନ କରିବା ସମ୍ଭବପର ନଥିଲେ ମଧ୍ୟ ଆସନ୍ତା ଦିନେରୁ ଦୁଇଦିନ ମଧ୍ୟରେ ସ୍ପଷ୍ଟ ଚିତ୍ର ମିଳିପାରିବ । ତେବେ ଏହି ଲଘୁଚାପ ଦକ୍ଷିଣ-ପଶ୍ଚିମ ମୌସୁମୀକୁ ଆହୁରି ସକ୍ରିୟ କରାଇବା ସହ ରାଜ୍ୟରେ ବର୍ଷାର ପରିମାଣକୁ ବଢ଼ାଇବ । ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ଯୋଗୁ ଆସନ୍ତା ୪ ତାରିଖରେ ଉତ୍ତର ଓଡ଼ିଶା ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ବଳୟ ଅଧିକ ଘନୀଭୂତ ହେବାପରେ ସମଗ୍ର ରାଜ୍ୟରେ ଅଧିକ ବର୍ଷା ହେବ ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ବଙ୍ଗୋପସାଗରରେ ୧୪ ତାରିଖ ମଧ୍ୟରେ ୨ଟି ଲଘୁଚାପ ବଳୟ କ୍ଷେତ୍ର ସୃଷ୍ଟି ହେବାର ପୂର୍ବାନୁମାନ କରାଯାଉଛି । ବଙ୍ଗୋପସାଗରରେ ଓଡ଼ିଶା ଉପକୂଳରେ ଗୋଟିଏ ଲଘୁଚାପ ବଳୟ କ୍ଷେତ୍ର ଜୁଲାଇ ୧ରୁ ୭ ତାରିଖ ଓ ଅନ୍ୟଟି ଜୁଲାଇ ୮ରୁ ୧୪ତାରିଖ ମଧ୍ୟରେ ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଯୋଗୁ ଓଡ଼ିଶାରେ ମୌସୁମୀ ବର୍ଷା ସକ୍ରିୟ ହେବ ବୋଲି ଆକଳନ କରାଯାଉଛି । ଆସନ୍ତା ୫ ଦିନ ପାଇଁ ରାଜ୍ୟର କିଛି ଜିଲ୍ଲାରେ ୟେଲା ୱାର୍ଣ୍ଣିଂ ଜାରି ହୋଇଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।