ନୂପୁରଙ୍କୁ ସୁପ୍ରିମ୍ ଭର୍ତ୍ସନା
ନୂଆଦିଲ୍ଲୀ, ୧ା୭: ପୟଗମ୍ବର ମୋହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିବା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ସୁପ୍ରିମ୍କୋର୍ଟ କଡା ଭାଷାରେ ଭର୍ତ୍ସନା କରିଛନ୍ତି । ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ନୂପୁର ଟିଭି ମାଧ୍ୟମରେ ଦେଶବାସୀଙ୍କୁ କ୍ଷମା ମାଗିବାର ଥିଲା । ଆଜି ଦେଶରେ ଯାହା ସବୁ ଘଟୁଛି ସେଥିପାଇଁ ନୂପୁର ଶର୍ମା ହିଁ ଦାୟୀ । ତାଙ୍କ ଅସଂଯତ ଜିହ୍ୱା ସାରା ଦେଶରେ ନିଆଁ ଲଗାଇ ଦେଇଛି । ଏପରି ବ୍ୟକ୍ତି କ୍ଷମା ମାଗିବାରେ ମଧ୍ୟ ବିଳମ୍ବ କରିଛନ୍ତି । ସର୍ତ୍ତମୂଳକ କ୍ଷମା ମାଗିବା ଜିଦ୍ ଓ ଅହଙ୍କାରର ପରିଚାୟକ ।
ନୂପୁରଙ୍କ ବିରୋଧରେ ୪ ରାଜ୍ୟ ଯଥା ମହାରାଷ୍ଟ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ଦିଲ୍ଲୀରେ ରୁଜୁ ହୋଇଥିବା ୯ଟି ଏବଂ ଆଉ ୫ ରାଜ୍ୟରେ ଅନେକ ମାମଲାକୁ ଦିଲ୍ଲୀ ଟ୍ରାନ୍ସଫର କରିବା ପାଇଁ ସେ ଦେଇଥିବା ପିଟିସନ୍କୁ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜେ.ବି. ପାରଦିୱାଲାଙ୍କ ନ୍ୟାୟପୀଠ ଶୁକ୍ରବାର ଖାରଜ କରିଦେଇଛନ୍ତି । କୋର୍ଟଙ୍କ ଭର୍ତ୍ସନା ପରେ ନୂପୁରଙ୍କ ଓକିଲ ମନିନ୍ଦର ସିଂ କହିଲେ ଯେ, ନୂପୁର କ୍ଷମା ମାଗିବା ସହ ତାଙ୍କ ବୟାନ ପ୍ରତ୍ୟାହାର କରିଛନ୍ତି । ଏହା ଉପରେ କୋର୍ଟ କହିଲେ କ୍ଷମା ମାଗିବାରେ ବହୁ ବିଳମ୍ବ ହୋଇଥିଲା ।
ଶୁକ୍ରବାର ୧୧ଟା ୩ରୁ ସାଢେ ୧୧ ପର୍ଯ୍ୟନ୍ତ ଶୁଣାଣି ଚାଲିଥିଲା । ୨୭ମିନିଟ୍ ଶୁଣାଣି ପରେ ମାତ୍ର ୩ଧାଡିର ଆଦେଶ ବଳରେ ନୂପୁରଙ୍କ ପିଟିସନ୍କୁ ଅଗ୍ରାହ୍ୟ କରିଦିଆଯାଇଥିଲା ।
ତେବେ ନୂପୁରଙ୍କ ବିରୋଧରେ ନ୍ୟାୟପୀଠ ଯେଉଁ ୪ଟି କଡ୍ଡା ଟିପ୍ପଣୀ ଦେଇଥିଲେ, ତାହା ଉକ୍ତ ୩ଧାଡିର ରାୟରେ ନାହିଁ ।
ଶୁଣାଣି ମଧ୍ୟରେ ନ୍ୟାୟପୀଠ ଉଦୟପୁର ଟେଲର ହତ୍ୟାକାଣ୍ଡ ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଥିଲେ । ପୀଠ କହିଲେ, ପରିଣାମ ଚିନ୍ତା ନକରି ନୂପୁର ଅପଶବ୍ଦ ସହ ଦାୟିତ୍ୱହୀନ ଭାବେ ମନ୍ତବ୍ୟ ଦେଇଛନ୍ତି । ବିବାଦୀୟ ବିତର୍କର ଟେଲିକାଷ୍ଟ ଟିଭି ଚ୍ୟାନେଲ୍ ଓ ଦିଲ୍ଲୀ ପୁଲିସକୁ ମଧ୍ୟ ନ୍ୟାୟପୀଠ ଭର୍ତ୍ସନା କରିଛନ୍ତି । କୋର୍ଟ କହିଛନ୍ତି ଦିଲ୍ଲୀ ପୁଲିସ କଲା କ’ଣ? ଆମକୁ ମୁହଁ ଖୋଲିବାକୁ ବାଧ୍ୟ କରାନଯାଉ । କେଉଁ ବିଷୟରେ ଟିଭି ଡିବେଟ୍ ଚାଲିଥିଲା? ସେଥିରେ କେବଳ ଗୋଟିଏ ଏଜେଣ୍ଡା ସେଟ୍ କରାଯାଉଥିଲା । ଡିବେଟ୍ ପାଇଁ ଅଦାଲତରେ ବିଚାରାଧୀନ ପ୍ରସଙ୍ଗ କାହିଁକି ଚୟନ କରାଗଲା?
ସୁପ୍ରିମ୍କୋର୍ଟଙ୍କ ଭର୍ତ୍ସନା ପରେ ବିରୋଧୀ ଦଳମାନେ ବିଜେପି ସରକାର ବିରୋଧରେ ମୁଖର ହୋଇଉଠିଛନ୍ତି । ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦୀ ଓବେସି ନୂପୁରଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି । କଂଗ୍ରେସ ସେହିପରି ବିଜେପିର ନୀତିକୁ ସମାଲୋଚନା କରିଛନ୍ତି ।
ଅନ୍ୟ ଏକ ଘଟଣା କ୍ରମରେ ସାମାଜିକ କାର୍ଯ୍ୟକର୍ତ୍ତା ଅଜୟ ଗୌତମଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇ ନୂପୁର ଶର୍ମା ମାମଲାର ଶୁଣାଣି ମଧ୍ୟରେ ନ୍ୟାୟପୀଠଙ୍କ ପକ୍ଷରୁ ଦିଆଯାଇଥିବା ଟିପ୍ପଣୀଗୁଡିକର ପ୍ରତ୍ୟାହାର ଲାଗି ପ୍ରାର୍ଥନା କରାଯାଇଛି । ଏଥିରେ ତର୍କ ଦିଆଯାଇଛି ଯେ ସୁପ୍ରିମ୍କୋର୍ଟଙ୍କ ଭର୍ତ୍ସନା ଫଳରେ ନୂପୁରଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ତାଙ୍କୁ ଫେୟାର ଟ୍ରାଏଲ୍ ସୁଯୋଗ ମିଳିବା ଆବଶ୍ୟକ ।