ଫଟୋ ସାମ୍ବାଦିକ ଅଶୋକଙ୍କ ଅକାଳ ବିୟୋଗ
ଗଣମାଧ୍ୟମ ଜଗତରେ ଶୋକର ଛାୟା
ଭୁବନେଶ୍ୱର/ପିପିଲି(ବୁ୍ୟରୋ): ରାଜ୍ୟର ଆଗଧାଡିର ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ କୁମାର ପଣ୍ଡାଙ୍କର ଶୁକ୍ରବାର ପ୍ରତୁ୍ୟଷରେ ଏକ ସଡକ ଦୁର୍ଘଟଣାରେ ପରଲୋକ ଘଟିଛି । ପୁରୀ ରଥଯାତ୍ରାର ଫଟୋ ସଂଗ୍ରହ ପାଇଁ ବାଇକ୍ ଯୋଗେ ପୁରୀ ଯାଉଥିବାବେଳେ ଏକ ଅଜଣା ଗାଡି ଧକ୍କାରେ ତାଙ୍କର ଦୁଃଖଦ ମୃତୁ୍ୟ ଘଟିଛି । ସାତଶଙ୍ଖ ଠାରେ ଏକ ଅଜଣା ଗାଡି ଶ୍ରୀ ପଣ୍ଡାଙ୍କୁ ଧକ୍କା ଦେବା ଫଳରେ ସେ ତାଙ୍କ ବାଇକ୍ରୁ ଛିଟିକି ପଡିଥିଲେ ଏବଂ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ସାକ୍ଷୀଗୋପାଳ ଡାକ୍ତରଖାନାକୁ ନିଆଯାଇଥିଲା । ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତୁ୍ୟବେଳେକୁ ତାଙ୍କୁ ୫୧ବର୍ଷ ହୋଇଥିଲା । ତାଙ୍କର ପତ୍ନୀ ଏବଂ ଗୋଟିଏ ଝିଅ ଅଛନ୍ତି । ଶ୍ରୀ ପଣ୍ଡାଙ୍କର ପରଲୋକ ଖବର ପ୍ରଚାରିତ ହେବା ପରେ ସମଗ୍ର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।
ଶତାଧିକ ସାମ୍ବାଦିକ, ରାଜନେତା, ବୃଦ୍ଧିଜୀବୀ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ । ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଉକ୍ରଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ‘ସମୟ’ର ଅଧ୍ୟକ୍ଷ ଚିରଞ୍ଜୀବ ବିଶ୍ୱାଳ, ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି, ‘ପ୍ରମେୟ’ର ବାର୍ତ୍ତା ସଂପାଦକ ଧୀରେନ୍ଦ୍ର ମିଶ୍ର, ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ସଂପାଦକ ବିରୁପାକ୍ଷ ତ୍ରିପାଠୀ, ପିଟିଆଇର ଅରବିନ୍ଦ ମିଶ୍ର, କନକ ନୁ୍ୟଜ୍ର ସଂପାଦକ ମନୋରଞ୍ଜନ ମିଶ୍ର, ପିସିସି ସଭାପତିଙ୍କ ପକ୍ଷରୁ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର, ଫର୍ୱାର୍ଡ ବ୍ଲକ୍ ରାଜ୍ୟ ସଭାପତି ଜ୍ୟୋତି ମହାପାତ୍ର, କମୁ୍ୟନିଷ୍ଟ୍ ନେତା ସୁର ଜେନା, ରାମକୃଷ୍ଣ ପଣ୍ଡା, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କୁଳପତି କିଶୋର ବାସା, ମୟୁରଭଞ୍ଜ ସାଂସ୍କତିକ ପରିଷଦର ସାଧାରଣ ସଂପାଦକ ଗୋକୁଳ ଦାସ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ହସ୍ପିଟାଲରେ ପହଞ୍ଚିଥିଲେ ।
ହସ୍ପିଟାଲରୁ ଶ୍ରୀ ପଣ୍ଡାଙ୍କର ମରଶରୀରକୁ ଏକ ଶୋଭାଯାତ୍ରାରେ ଜୟଦେବ ଭବନ ନିକଟସ୍ଥ ଫଟୋ ସାମ୍ବାଦିକଙ୍କ ଅନୁଷ୍ଠାନ “ଡଟ୍କମ୍’କୁ ଅଣାଯାଇଥିଲା । ସେଠାରେ ଶତାଧିକ ସାମ୍ବାଦିକ, ସ୍ତମ୍ଭକାର ଓ ପ୍ରଶଂସକ ଶ୍ରୀ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେଠାରୁ ମରଶରୀରକୁ ତାଙ୍କ କର୍ମଭୂମି ‘ସମୟ’ ପରିସରକୁ ଅଣାଯାଇଥିଲା । “ସମୟ’ର ପରିଚାଳନା ନିଦେ୍ର୍ଦଶିକା ତେଜଲ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଶୋକସଭାରେ “ସମୟ’ର ସମସ୍ତ ଅଧିକାରୀ ଓ କର୍ମଚାରୀ ଏକ ମିନିଟ୍ ନିରବ ପ୍ରାର୍ଥନା କରିବା ସହ ସ୍ୱର୍ଗତ ପଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅପରାହ୍ନରେ ଭୁବନେଶ୍ୱର ସତ୍ୟନଗର ଶ୍ମଶାନ ଠାରେ ବହୁ ସାମ୍ବାଦିକଙ୍କ ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଅଶୋକଙ୍କ ଏକମାତ୍ର କନ୍ୟା ସିମରନ ପଣ୍ଡା ମୁଖାଗ୍ନି ଦେଇଥିଲେ ।
ଅଶୋକ ପଣ୍ଡାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, “ସମୟ’ର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ପୂର୍ବତନ ସାଂସଦ ତଥା ସମୟର ପରି·ଳନା ସଂପାଦକ ରଞ୍ଜୀବ ବିଶ୍ୱାଳ, ପରି·ଳନା ନିଦେ୍ର୍ଦଶିକା ତେଜଲ ବିଶ୍ୱାଳ, ନିଦେ୍ର୍ଦଶିକା ଅନିତା ମହାନ୍ତି, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ପଣ୍ଡା “ସମୟ’ ଖବରକାଗଜର ପ୍ରତିଷ୍ଠା ଦିବସ ଠାରୁ ଅଦ୍ୟାବଧି ଦୀର୍ଘ ୨୬ବର୍ଷ ଧରି ଜଡିତ ଥିଲେ । ଜଣେ ଆଗଧାଡିର ତଥା କୁଶଳୀ ଫଟୋ ସାମ୍ବାଦିକ ଭାବେ ଖ୍ୟାତି ଲାଭ କରିଥିଲେ । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳଙ୍କ ପ୍ରେରଣାରେ ସେ ୧୯୯୯ ମହାବାତ୍ୟା “ସମୟ’ରେ ବହୁ ଦୁଃସାହସର ସହ ଅଗମ୍ୟ ଅଞ୍ଚଳକୁ ଯାଇ ଚିତ୍ର ଉତ୍ତୋଳନ କରି ଖ୍ୟାତି ଅର୍ଜନ କରିଥିଲେ । ତାଙ୍କ ଦ୍ୱାରା ଆୟୋଜିତ ମହାବାତ୍ୟା ସଂପର୍କିତ ଫଟୋ ପ୍ରଦର୍ଶନୀ ମଧ୍ୟ ଆନ୍ତର୍ଜାତିକ ମିଡିଆରେ ଉଚ୍ଚ ପ୍ରଶଂସିତ ହୋଇଥିଲା ।
