ଦୃଢ଼ ସ୍ଥିତିରେ ଟିମ୍ ଇଣ୍ଡିଆ

ପଞ୍ଚମ ଟେଷ୍ଟ, ପ୍ରଥମ ଦିବସ
ବର୍ମିଂହାମ୍, ୧ା୭ (ଏଜେନ୍ସି): ଇଂଲଣ୍ଡ ବିପକ୍ଷରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ପାଞ୍ଚ ଟେଷ୍ଟ ବିଶିଷ୍ଟ ଶୃଙ୍ଖଳାର ପଞ୍ଚମ ତଥା ଶେଷ ମ୍ୟାଚ୍ର ପ୍ରଥମ ଦିନ ରିଷଭ ପନ୍ତଙ୍କ ବ୍ୟକ୍ତିଗତ ଶତକ ଓ ରବୀନ୍ଦ୍ର ଜାଡ଼େଜାଙ୍କ ସହ ଦ୍ୱିଶତକୀୟ ଭାଗୀଦାରୀ ବଳରେ ଟିମ୍ ଇଣ୍ଡିଆ ବିପର୍ଯ୍ୟୟରୁ ମୁକୁଳି ଦୃଢ଼ ସ୍ଥିତିରେ ପହଞ୍ଚିଛି । ରିପୋର୍ଟ ଲେଖା ଶେଷ ହେବା ବେଳକୁ ଭ୍ରମଣକାରୀ ଟିମ୍ ୬୮ ଓଭର୍ରେ ୭ ୱିକେଟ୍ ହରାଇ ୩୨୩ ରନ୍ ସଂଗ୍ରହ କରିଛି । ଜାଡ଼େଜା ୬୮ ରନ୍ କରି ଅପରାଜିତ ଅଛନ୍ତି ।
ଇଂଲଣ୍ଡର ଅଧିନାୟକ ବେନ୍ ଷ୍ଟୋକ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତୀୟ ଟିମ୍ରେ ଅଫ୍ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ତୁଳନାରେ ପେସ୍ ବୋଲିଂ ଅଲ୍ରାଉଣ୍ଡର ଶାର୍ଦ୍ଦୂଳ ଠାକୁରଙ୍କୁ ଅଗ୍ରାଧିକାର ଦିଆଯାଇ ସାମିଲ୍ କରାଯାଇଥିଲା ।
ଭାରତୀୟ ଇନିଂସ୍ର ଆରମ୍ଭ ଭଲ ନ ଥିଲା । ୯୮ ରନ୍ରେ ଟିମ୍ ଇଣ୍ଡିଆର ଅଧା ଖେଳାଳି ପାଭିଲିଅନ୍ ଫେରିଥିଲେ । ଓପନର୍ ଶୁଭମନ ଗିଲ୍ (୧୭) ଓ ଚେତେଶ୍ୱର ପୂଜାରା (୧୩) ବିଫଳ ହୋଇଥିବା ବେଳେ ହନୁମା ବିହାରୀ (୨୦), ବିରାଟ କୋହଲି (୧୧) ଓ ଶ୍ରେୟାସ ଆୟର (୧୫) ବି ନିରାଶ କରିଥିଲେ ।
ପେସର୍ ଜେମ୍ସ ଆଣ୍ଡରସନ୍ ଇଂଲଣ୍ଡକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ । ସେ ଶୁଭମନ ଗିଲ୍ଙ୍କୁ ବ୍ୟାକ୍ ଅଫ୍ ଗୁଡ୍ ଲେନ୍ଥ ବଲ୍ ପକାଇଥିଲେ, ଯାହା ଅଫ୍ ଷ୍ଟମ୍ପ୍ ବାହାରେ ଥିଲା । ଗିଲ୍ ସେହି ବଲ୍କୁ ଠିକ୍ରେ ଖେଳି ନ ପାରି ଜ୍ୟାକ୍ କ୍ରାଉଲେଙ୍କୁ କ୍ୟାଚ୍ ଦେଇଥିଲେ । ସେ ତୃତୀୟ ଥର ଜିମ୍ମିଙ୍କ ଶିକାର ହୋଇଛନ୍ତି ।
ଏହି ୱିକେଟ୍ ସହ ୩୯ବର୍ଷୀୟ ପେସର୍ ଆଣ୍ଡରସନ୍ ଭାରତ ବିପକ୍ଷରେ ଇଂଲଣ୍ଡ ମାଟିରେ ନିଜର ୧୦୦ ୱିକେଟ୍ ପୂରଣ କରିଥିଲେ । ଗିଲ୍ ୨୪ ବଲ୍ରୁ ୧୭ ରନ୍ କରିଥିଲେ ଏବଂ ୨୭ ରନ୍ରେ ଓପନିଂ ଯୋଡ଼ି ଭାଙ୍ଗିଥିଲା । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଓପନିଂ କରିବାକୁ ଆସିଥିବା ପୂଜାରା ୪୬ ବଲ୍ ଖେଳିବା ପରେ ୧୩ ରନ୍ କରି ଆଣ୍ଡରସନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଅଫ୍ ଷ୍ଟମ୍ପ୍ ବାହାରକୁ ଯାଉଥିବା ବଲ୍କୁ ଛାଡ଼ିବାକୁ ଚାହୁଁଥିଲେ ଏବଂ ଏହି ପ୍ରୟାସ ବେଳେ କ୍ରାଉଲେଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଗଲେ । ଏହି ଶୃଙ୍ଖଳାରେ ଆଣ୍ଡରସନ୍ ପାଞ୍ଚ ଥର ପୂଜାରାଙ୍କୁ ଆଉଟ୍ କରିଛନ୍ତି ।
୪୬ ରନ୍ ମଧ୍ୟରେ ଦୁଇ ଓପନର୍ ପାଭିଲିଅନ୍ ଫେରିଥିଲେ । ଏହାପରେ ହନୁମା ବିହାରୀ ଓ ବିରାଟ କୋହଲିଙ୍କ ଯୋଡ଼ି କ୍ରିଜ୍ରେ ଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା । ସେତେବେଳକୁ ସ୍କୋର୍ ହୋଇଥିଲା ୫୩/୨ । ଏହାପରେ ଭୋଜନକାଳ ବିରତି ନିଆଯାଇଥିଲା ।
ବିରତି ପରେ ଏହି ଯୋଡ଼ି ବେଶୀ ବାଟ ଯାଇ ନ ଥିଲା । ବିହାରୀ ୨୦ ରନ୍ କରି ମାଥୁ୍ୟ ପଟ୍ସଙ୍କ ବଲ୍ରେ ଏଲ୍ବିଡବ୍ଲୁ୍ୟ ହୋଇଥିଲେ । ପଟ୍ସ ବ୍ୟାକ୍ ଅଫ୍ ଲେନ୍ଥ ବଲ୍ ପକାଇଥିଲେ, ଯାହା ଦ୍ରୁତ ଗତିରେ ଭିତର ଆଡ଼କୁ ଆସିଥିଲା ।
ଅନ୍ୟପଟେ, ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଫ୍ଲପ୍ ଶୋ’ ଜାରି ରହିଥିଲା । କୋହଲି ୧୯ ବଲ୍ ଖେଳି ମାତ୍ର ୧୧ ରନ୍ ସଂଗ୍ରହ କରିଥିଲେ । ସେ ପଟ୍ସଙ୍କ ଅଫ୍ ଷ୍ଟମ୍ପ୍ ବାହାରକୁ ଯାଉଥିବା ବଲ୍କୁ ଖେଳିବା ପ୍ରୟାସରେ ବୋଲ୍ଡ ହୋଇଥିଲେ । ଏହା ସହିତ ତାଙ୍କ ୭୧ତମ ଶତକର ପ୍ରତୀକ୍ଷା ଆହୁରି ବଢ଼ିଯାଇଛି ।
ଶ୍ରେୟାସ ଆୟର ୧୧ ବଲ୍ରୁ ୧୫ ରନ୍ କରି ଆଣ୍ଡରସନ୍ଙ୍କ ତୃତୀୟ ଶିକାର ହୋଇଥିଲେ । ଏହାପରେ ପନ୍ତ ନୂଆ ବ୍ୟାଟର୍ ଜାଡ଼େଜାଙ୍କ ସହ ମିଶି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ । ପନ୍ତ ୫୧ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଚା’ପାନ ବିରତି ସୁଦ୍ଧା ସ୍କୋର୍ ହୋଇଥିଲା ୧୭୪/୫ ।
ଏହାପରେ ବି ଉଭୟ ଦୃଢ଼ତାର ସହ ଖେଳି ଇନିଂସ୍କୁ ୨୦୦ ଅତିକ୍ରମ କରାଇଥିଲେ । ପନ୍ତ ୮୯ ବଲ୍ରୁ ଶତକ ପୂରଣ କରିଥିଲେ । ଏହା ତାଙ୍କ ଟେଷ୍ଟ କ୍ୟାରିଅରର ପଞ୍ଚମ ଶତକ ଥିଲା । ଏହାପରେ ଜାଡ଼େଜା ୧୦୯ ବଲ୍ ଖେଳି ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା ତାଙ୍କ କ୍ୟାରିଅରର ୧୮ତମ ଅର୍ଦ୍ଧଶତକ ଥିଲା ।
ଉଭୟଙ୍କ ମଧ୍ୟରେ ଷଷ୍ଠ ୱିକେଟ୍ରେ ୨୨୨ ରନ୍ର ଭାଗୀଦାରୀ ହୋଇଥିଲା । ପନ୍ତଙ୍କୁ ଆଉଟ୍ କରି ଜୋ’ ରୁଟ୍ ଏହି ଯୋଡ଼ି ଭାଙ୍ଗିଥିଲେ । ପନ୍ତ ୧୧୧ ବଲ୍ରୁ ୧୪୬ ରନ୍ର ଇନିଂସ୍ ଖେଳିଥିଲେ । ତାଙ୍କ ଚିତ୍ତାକର୍ଷକ ଇନିଂସ୍ରେ ୧୯ ଚୌକା ଓ ୪ ଛକା ରହିଥିଲା । ପରବର୍ତ୍ତୀ ବ୍ୟାଟର୍ ଶାର୍ଦ୍ଦୂଳ ଠାକୁର ମାତ୍ର ୧ ରନ୍ କରି ବେନ୍ ଷ୍ଟୋକ୍ସଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *