ନିଷେଧ ହେଲା ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ

କେନ୍ଦୁଝର (ଆପ୍ର): ଆଜିଠାରୁ ସମଗ୍ର ଦେଶରେ ଥରେ ବ୍ୟବହୃତ ବା ସିଙ୍ଗଲ ୟୁଜ ପ୍ଲାଷ୍ଟିକ (ଏସୟୁପି) ପଲିଥିନ୍ ବ୍ୟବହାରକୁ ନିଷେଧ କରାଯାଇଛି । ଗୋଟିଏ ଥର ବ୍ୟବହୃତ ପ୍ଲାଷ୍ଟିକ୍ (ଏସ୍ୟୁପି) ବନ୍ଦ କରିବାକୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ କଡ଼ା ନିୟମ କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇଛି । କେବଳ ଥରେ ବ୍ୟବହାର ହେଉଥିବା ୧୯ଟି ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ନ କରିବାକୁ ନିଦେ୍ର୍ଦଶନାମା ଜାରି କରାଯାଇଛି । ପରିବେଶକୁ କ୍ଷତି ପହଞ୍ଚାଉଥିବା ପଲିଥିନ ବିକ୍ରି, ବ୍ୟବହାର, ଉତ୍ପାଦନ, ଆମଦାନୀ, ପରିବହନ, ଗଚ୍ଛିତ, ବ୍ୟବହାର କିମ୍ବା ବଣ୍ଟନ ଉପରେ ସଂପୂର୍ଣ୍ଣ କଟକଣା ରହିବ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଇଂ ପ୍ରଶାନ୍ତ କର ସୂଚନା ଦେଇଛନ୍ତି । ପ୍ଳାଷ୍ଟିକ ଷ୍ଟିକ୍ ଥିବା ଇୟର ବର୍ଡସ, ବେଲୁନର ପ୍ଲାଷ୍ଟିକ ଷ୍ଟିକ, ପ୍ଳାଷ୍ଟିକ ପତାକା, କ୍ୟାଣ୍ଡି ଷ୍ଟିକ୍, ଆଇସକ୍ରିମ ଷ୍ଟିକ, ଥର୍ମୋକଲ, ପ୍ଲାଷ୍ଟିକ ପ୍ଲେଟ, ପ୍ଲାଷ୍ଟିକ କପ, ଗ୍ଳାସ୍ ସମେତ ଅନ୍ୟାନ୍ୟ ପ୍ଲାଷ୍ଟିକ୍ ସାମଗ୍ରୀ ଉପରେ କଟକଣା ଜାରି କରାଯାଇଛି । ନିୟମ ଉଲ୍ଲଂଘନ କଲେ ବ୍ୟବସାୟ ପ୍ରତିଷ୍ଠାନର ଟ୍ରେଡ ଲାଇସେନ୍ସ ବାତିଲ କରାଯିବ ବୋଲି ନିଦେ୍ର୍ଦଶାବଳୀ ରହିଛି ।
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜଙ୍ଗଲ ଓ ପରିବେଶ ବିଭାଗ, କେନ୍ଦୁଝରଗଡ ପୌରପାଳିକା ମିଳିତ ଭାବେ ଏହାର ତଦାରଖ କରିବେ । ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ର ଅପକାରିତା ଉପରେ ଲୋକମାନଙ୍କୁ ସଚେତନତା କରାଯିବ । ପ୍ଲାଷ୍ଟିକ ବଦଳରେ ପରିବେଶ ଅନୁକୂଳ ଏବଂ ନଷ୍ଟ ହୋଇପାରୁଥିବା ସାମଗ୍ରୀ ବ୍ୟବହାର କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଯଦି କେହି ବର୍ତ୍ତମାନ ଏହି ଜିନିଷଗୁଡିକ ବ୍ୟବହାର କରନ୍ତି , ତେବେ ତାଙ୍କୁ ଏହି ଆଇନର ଧାରା ୧୫ ଅନୁଯାୟୀ ଜୋରିମାନା କିମ୍ବା ଜେଲ୍ ଦଣ୍ଡ କରାଯାଇପାରେ । ଧାରା ୧୫ ରେ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ । ଏକକ ବ୍ୟବହୃତ ପ୍ଲାଷ୍ଟିକର ବିକଳ୍ପ ଭାବେ ବଜାରରେ ଉପଲବ୍ଧ ହେଉଥିବା କପଡା, ଝୋଟ, ବିଘଟିତ ହୋଇପାରୁ ଥିବା ଅନ୍ୟ ପଦାର୍ଥ ବ୍ୟବହାର ନିମନ୍ତେ ସଚେତନତା ସୃଷ୍ଟି କରିବାକୁ ପୌରସଂସ୍ଥା ଗୁଡିକୁ ପରାମର୍ଶ ଦିଆଯାଇଛି । ସର୍ବସାଧାରଣ ଉତ୍ସବ, ସଭାରେ ଏଗୁଡିକୁ ବ୍ୟବହାର କରାଗଲେ ଏସ୍ୟୁପି ବ୍ୟାବହାର ଯଥେଷ୍ଟ ହ୍ରାସ ପାଇପାରିବ । ନିଷେଧ କରାଯାଇଥିବା ସାମଗ୍ରୀ ବ୍ୟବହାର କଲେ ୫୦୦ ରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ଘରେ କିମ୍ବା ବ୍ୟକ୍ତିଗତ ଭାବେ ବ୍ୟବହାର କରୁଥିଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ । ସେହିପରି ଯଦି କୌଣସି ସଂସ୍ଥାରୁ ନିଷେଧ ପ୍ଲାଷ୍ଟିକ ମିଳିବ ସଂପୃକ୍ତ ସଂସ୍ଥାକୁ ୫ହଜାର ଟଙ୍କା ଜରିମାନା ଦେବାକୁ ପଡିବ । ସ୍ଥାନୀୟ ପୌରସଂସ୍ଥା କିମ୍ବା ପଞ୍ଚାୟତ ପକ୍ଷରୁ ସ୍ୱତନ୍ତ୍ର ସ୍କାଡ୍ ଜରିଆରେ ଏଭଳି ଜରିମାନା ଆଦାୟ କରାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *