୯୩ ହଜାର ଟଙ୍କାର ହିସାବ ଦେଉନାହାନ୍ତି ବିଏଲ୍‌ସି

ଟ୍ରେନିଂ ନ କରି ୭ ଦିନର ଦସ୍ତଖତ
ରଘୁନାଥପୁର (ଆପ୍ର): ରାଜ୍ୟ ସରକାର ମହିଳାମାନଙ୍କୁ ସଶକ୍ତ ତଥା ସ୍ୱାବଲମ୍ବୀ କରିବା ପାଇଁ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘକୁ ବିଭିନ୍ନ ପ୍ରକାର ତାଲିମ ବାବଦରେ ଆର୍ଥିକ ଅନୁଦାନ ଯୋଗାଇ ଦେଉଛନ୍ତି । ବିଏଲସି ମାନେ (ବ୍ଲକସ୍ତରୀୟ ସଂଯୋଜକ) ଏହାର ତତ୍ୱବଧାନ ଦାଇତ୍ୱରେ ରହିଛନ୍ତି । ବାସ୍ତବ କ୍ଷେତ୍ରରେ ଏହା କେତେ ପରିମାଣରେ କାର୍ଯ୍ୟକାରୀ ହେଉଛି ସେଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷଙ୍କ ନଜର ରହୁନି । ଫଳରେ ମହିଳାଙ୍କୁ ତାଲିମ ଦେବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ଫ କରାଯାଉଥିବାର ସଙ୍ଗିନ ଅଭିଯୋଗ ହେଉଛି । ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି ରଘୁନାଥପୁର ବ୍ଲକ୍‌ ଜଇସୋଳ ପଞ୍ଚାୟତ ମହିଳା ମହାସଂଘ କ୍ଷେତ୍ରରେ । ଗୋଟିଏ ଦିନ ଟ୍ରେନିଂରେ ମହିଳାଙ୍କୁ ଟିଫିନ ଦେଇ କାଗଜପତ୍ରରେ ସାତଦିନର ଦସ୍ତଖତ କରାଇ ନିଆଯାଇଥିବାର ମହାସଂଘର ସଭାନେତ୍ରୀ ସବିତା ସାମନ୍ତରାୟ ଓ ସମ୍ପାଦିକା ମାନସୀ ପୃଷ୍ଠି ଜିଲ୍ଲାପାଳ, ପିଡି ଓ ସିଡିପିଓଙ୍କୁ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଏକ ମଡୁଲ ଟ୍ରେନିଂ ପାଇଁ ମହାସଂଘ ଆକାଉଣ୍ଟରୁ ୯୩ ହଜାର ୨୭୫ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା । ବିଏଲ୍‌ସି ତ୍ରିନାଥ ବେହେରା ଓ ଏମ୍‌ବିକେ ସୀତାରାଣୀ ବେହେରା ଏହି ଟ୍ରେନିଂ ଦାୟିତ୍ୱରେ ରହିଥିଲେ । ସଭାନେତ୍ରୀ ଓ ସମ୍ପାଦିକା ବିଏଲ୍‌ସିଙ୍କୁ ଏହି ଖର୍ଚ୍ଚର ହିସାବ ମାଗିବାରୁ ସେ ହିସାବ ଦେବାକୁ ମନା କରିଦେଇଥିଲେ । ପରେ ସଭାନେତ୍ରୀ ସାମନ୍ତରାୟଙ୍କୁ ୧୪ ଶହ ଟଙ୍କା ଲାଭ ପଇସା ରଖ ବୋଲି କହି ବିଏଲ୍‌ସି ବେହେରା ପଳାଇଥିଲେ । ମୋଟ ୩୦ ହଜାର ଟଙ୍କା ଚଳୁ କରିଦେଇଥିବାର ସଭ୍ୟା ବନିତା ପାଇଟାଲ, ଆରତୀ ଓଝା, ଝିଲି ବେହେରା, ମଧୁମିତା ବେହେରା, ସସ୍ମିତା ମହାନ୍ତି, ବନିତା ପାଲ,ପଦ୍ମାବତୀ ସାହୁଙ୍କ ସମେତ ଅନ୍ୟମାନେ ଅଭିଯୋଗ କରିଛନ୍ତି । ଏହାର ନିରପେକ୍ଷ ତଦନ୍ତ କରାଯାଇ ମହିଳା ମହାସଂଘକୁ ନ୍ୟାୟ ପ୍ରଦାନ ନିମନ୍ତେ ମହିଳାଙ୍କ ପକ୍ଷରୁ ଦାବି ହେଉଛି । ଏ ସମ୍ପର୍କରେ ସିଡିପିଓ ଜ୍ୟୋସ୍ନାରାଣୀ ମଲ୍ଲିକ ଜାଣି ନ ଥିବାର କହିଥିବା ବେଳେ ବ୍ଲକ୍‌ ଜୀବିକା ମିଶନର ବିପିଏମ୍‌ କଳ୍ପନା ଦଳେଇ ଅଭିଯୋଗ ପତ୍ରର କପି ପାଇଥିବା ପ୍ରକାଶ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *