ଜନ୍ମବେଦୀକୁ ଯିବେ ମହାପ୍ରଭୁ

ପୁରୀ, ୩୦ା୬ (ବୁ୍ୟରୋ): ରଥଯାତ୍ରା ପାଇଁ ସିଂହଦ୍ୱାରରେ ଦାରୁବ୍ରହ୍ମଙ୍କ ଅପେକ୍ଷାରେ ୩ ରଥ । ସେବାୟତ, ରଥ, ପଥ ପ୍ରସ୍ତୁତ, ଭକ୍ତ ବି ପ୍ରସ୍ତୁତ । ବଡ଼ ସାଆନ୍ତ ବଳଭଦ୍ର, ବଳିଆରଭୁଜ ଜଗନ୍ନାଥ ଓ ମାତା ସୁଭଦ୍ରାଙ୍କୁ ରଥାରୁଢ଼ କରି ବଡ଼ଦାଣ୍ଡରେ ରଥ ଟାଣିବା ପାଇଁ ବ୍ୟାକୁଳିତ ଶ୍ରଦ୍ଧାଳୁ । ଗୁଣ୍ଡିଚା ଯାତ୍ରା ସବୁ ପ୍ରସ୍ତୁତି ଶେଷ ହୋଇଛି । ଶ୍ରୀକ୍ଷେତ୍ରକୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଛି । ଭକ୍ତମୟ ହୋଇପଡିଛି ଶ୍ରୀକ୍ଷେତ୍ର । ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଛାତିରେ ଧରିବାକୁ ଅପେକ୍ଷା କରିଛି ବଡଦାଣ୍ଡ । ରଥ ଟାଣିବାକୁ ଉତ୍କଣ୍ଠିତ ହୋଇପଡିଛନ୍ତି ଭକ୍ତ ।
ନବ ଦିନାତ୍ମକ ଯାତ୍ରାରେ ମହାପ୍ରଭୁ ରଥାରୁଢ ହୋଇ ଯିବେ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ । ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମିଳନ । ଆବଶ୍ୟକ ନୀତିକାନ୍ତି ସମାପନ କରାଯାଇ ରଥଖଳାରୁ ତିନି ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଛି । ଗୁରୁବାର ସକାଳେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସକାଳ ଧୂପ ନୀତିକାନ୍ତି ସମ୍ପନ୍ନ ହେଲା ପରେ ପୁଜାପଣ୍ଡା ସାମନ୍ତ ସେବାୟତମାନେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ରଥଖଳାକୁ ଯାଇଥିଲେ । ତିନି ରଥରେ ମହାପ୍ରଭୁଙ୍କ ଆଜ୍ଞାମାଳ ଲାଗି କରିବାପରେ ରଥଟଣାପର୍ବ ଆରମ୍ଭ ହୋଇଥିଲା ।
ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ପ୍ରଥମେ ପୁଲିସ ବାହିନୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟାଣି ସିଂହଦ୍ୱାରକୁ ନେଇଥିଲେ । ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଟଣାଯାଇ ସିଂହଦ୍ୱାରରେ ପହଞ୍ଚାଯାଇଥିଲା । ରଥଗୁଡ଼ିକୁ ବଡ଼ ଦେଉଳ ଆଗକୁ ନିଆଯିବା ସମୟରେ ରଥଖଳାଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ହଜାର ହଜାର ଶ୍ରଦ୍ଧାଳୁ ସମବେତ ହୋଇଥିଲେ ।
ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଚତୁର୍ଦ୍ଦିଗ । ସିଂହଦ୍ୱାରରେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ ।
ସିଂହଦ୍ୱାରରେ ତିନ ରଥ ଲାଗିଲା ପରେ ଚାରମାଳ ବନ୍ଧା ଯାଇଛି ଓ ଘୋଡା ଯୋଚାଯାଇ ପ୍ରସ୍ତୁତ ରଖାଯାଇଛି । ଶୁକ୍ରବାର ଭୋର ୬ଟାରେ ମଙ୍ଗଳ ଆଳତି ଓ ୯ଟାରେ ରଥ ପ୍ରତିଷ୍ଠା ହୋଇ ୯.୩୦ରେ ପହଣ୍ଡି ଆରମ୍ଭ ହେବ । ଅପରାହ୍ଣ ୨.୩୦ରେ ଗଜପତିଙ୍କ ଛେରାପହଁରା ନୀତି ବଢି ରଥ ଟାଣିବାକୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ପହଣ୍ଡି ସମୟରେ ଜଗମୋହନ ଏବଂ ନାଟମଣ୍ଡପ ମଧ୍ୟକୁ କାହାକୁ ଛଡାଯିବ ନାହିଁ । ଏପରିକି ଭିଭିଆଇପିମାନଙ୍କୁ ମଧ୍ୟ ଛଡାଯିବ ନାହିଁ । ପହଣ୍ଡି ଟିକେଟଧାରୀମାନେ ଦକ୍ଷିଣ ଦ୍ୱାରଦେଇ ଶ୍ରୀମନ୍ଦିର ପରିସରକୁ ପ୍ରବେଶକରି କୀର୍ତ୍ତନଚକଡା ବ୍ୟାରିକେଡ୍ ମଧ୍ୟରେ ରହି ପହଣ୍ଡି ଦର୍ଶନ କରିବେ । ସେହିପରି ପହଣ୍ଡିଟିକେଟ୍ଧାରୀମାନେ ପଶ୍ମିମଦ୍ୱାର ଦେଇ ଭିତରକୁ ଯାଇ ବ୍ୟାରିକେଡ୍ ଭିତରେ ରହି ଦର୍ଶନ କରିବେ । ପହଣ୍ଡି ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ନିରାପତ୍ତାରେ ଅଭିଜ୍ଞ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି । ପହଣ୍ଡି ଏବଂ ରଥ ଉପରେ ଶ୍ରୀବିଗ୍ରହଙ୍କୁ କେହି ସ୍ପର୍ଶ କରିବେ ନାହିଁ । ତାହା ଉପରେ କଡା ନଜର ରଖାଯିବ ବୋଲି ସୂଚନା ମିଳିଛି ।
ଅଣସର ଘରୁ ବାହାରିବା ପରେ ବୁଧ ଓ ଗୁରୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ପାଇଛନ୍ତି ଅଗଣିତ ଶ୍ରଦ୍ଧାଳୁ । ୧୪ ଦିନର ଅଣସର ପରେ ଚତୁର୍ଦ୍ଧାବିଗ୍ରହ ଭକ୍ତଙ୍କୁ ନବଯୌବନ ଓ ଉଭା ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କର ଏହି ଦୁଲର୍ଭ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *