ବାଚସ୍ପତିଙ୍କ ମାରାଥାନ ଉଦ୍ଘାଟନ ଓ ଶିଳାନ୍ୟାସ
ଭଞ୍ଜନଗର (ଆପ୍ର): ଦିନିକିଆ ଗସ୍ତରେ ଆସି ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଭଞ୍ଜନଗର ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ପ୍ରଥମେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ନୂତନ ଏକାଡେମିକ୍ ବ୍ଲକର ଶିଳାନ୍ୟାସ ସହ ନବନିର୍ମିତ ଅତିରିକ୍ତ ଶ୍ରେଣୀ ଗୃହକୁ ଉଦ୍ଘାଟିତ କରିଥିଲେ ବାଚସ୍ପତି । ପରେ ବାଚସ୍ପତି ଆରୁଖ ଭଞ୍ଜନଗର ହାତୀବନ୍ଧ ପୋଖରୀ ନିକଟରେ ଏକ ସ୍ମାର୍ଟ ପାର୍କର ଶିଳାନ୍ୟାସ କରିଥିଲେ । ବଡ଼ତୋଟା ସାହିରେ ପରିଚୟ ଗୃହର ଉଦ୍ଘାଟନ କରିବା ସହ ଭଞ୍ଜନଗର ମେଡିକାଲ ନିକଟରେ ଏକ ଶୌଚାଳୟକୁ ଉଦ୍ଘାଟିତ କରିଥିଲେ । ପରେ ସେ ରେଡ୍କ୍ରସ ରୋଡସ୍ଥିତ ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ଉଦ୍ଘାଟନ କରିବା ସହ ଠାକୁରାଣୀ ମନ୍ଦିର ନିକଟରେ ଅତ୍ୟାଧୁନିକ ଶବଦାହ ଗୃହ, ଶ୍ରୀରାମ ମନ୍ଦିର ନିକଟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଭଞ୍ଜନଗର ବସ୍ଷ୍ଟାଣ୍ଡ ପଛପଟେ ମାର୍କେଟ କମ୍ପ୍ଲେକ୍ସକୁ ଜନସାଧାରଣଙ୍କ ଉଦେ୍ଦଶ୍ୟରେ ଉତ୍ସର୍ଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସହ ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ର, ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, ସମସ୍ତ କାଉନସିଲରଙ୍କ ସମେତ ସ୍ଥାନୀୟ ନେତୃମଣ୍ଡଳୀ ସାମିଲ୍ ହୋଇଥିଲେ । ଶେଷରେ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ବାଚସ୍ପତି ଆରୁଖ ହିତାଧିକାରୀଙ୍କୁ ବାର୍ଦ୍ଧ୍ୟକ, ବିଧବା ଭତ୍ତା ଓ ଘରବାରି ପଟ୍ଟା ବଣ୍ଟନ କରିଥିଲେ ।