ଶ୍ରମ ବିଭାଗର ତଦନ୍ତ

ଶ୍ରମିକଙ୍କୁ ମିଳୁନି ସର୍ବନିମ୍ନ ମଜୁରି
କେନ୍ଦୁଝର (ଆପ୍ର): କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ପଳାଶପଙ୍ଗା ପଞ୍ଚାୟତର ମୁରୁସୁଆଁ ଗ୍ରାମରେ ଥିବା ବ୍ରାଣ୍ଡ ଷ୍ଟିଲ୍ ଆଣ୍ଡ ପାୱାର ପ୍ରାଇଭେଟ ଲିମିଟେଡ କାରଖାନା ଶ୍ରମିକଙ୍କୁ ସର୍ବନିମ୍ନ ମଜୁରି ଦେଉ ନ ଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ ଦାବିରେ କାରଖାନା ପରିସରରେ ଗତ ୨୩ ତାରିଖ ଦିନ ଶ୍ରମିକମାନେ ଆନେ୍ଦାଳନରେ କରିଥିଲେ । ଏହାପରେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଶ୍ରମକଙ୍କ ଦାବିକୁ ଅଣଦେଖା କରିଥିଲା ।
ଶ୍ରମ ବିଭାଗ ପକ୍ଷରୁ କାରଖାନା ପରିଦର୍ଶନ ସମୟରେ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ମିଳୁ ନ ଥିବା ଜଣାପଡ଼ିବା ପରେ ବିଭାଗ ପକ୍ଷରୁ ୪ ଜଣ ଠିକାଦାରଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯିବ ବୋଲି ସହକାରୀ ଶ୍ରମ ଅଧିକାର ଭରତ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି । ଦୀର୍ଘ ୩ ବର୍ଷ ହେବ କମ୍ପାନୀ ସର୍ବନିମ୍ନ ମଜୁରି ପ୍ରଦାନ କରୁ ନ ଥିବା ଶ୍ରମିକମାନେ ଅଭିଯୋଗ କରି ଆସୁଛନ୍ତି । କାରଖାନାରେ ୯୦ରୁ ଅଧିକ ସପ୍ଲାଇ ଲେବର କାମ କରୁଥିବା ବେଳେ ସେମାନଙ୍କୁ ମଜୁରି ୩୨୬ ଟଙ୍କା ବଦଳରେ ୨୮୦ ଟଙ୍କା ଦିଆଯାଉଥିବା ପ୍ରକାଶ କରିଥିଲେ । ଶ୍ରମିକମାନେ ଦୈନିକ ୪୬ ଟଙ୍କା କମ ପାଉଥିବା କହିଛନ୍ତି । କାରଖାନରେ ଶ୍ରମ ଆଇନ ଉଲ୍ଲଙ୍ଗନ ହୋଇ ଶ୍ରମିକଙ୍କୁ ଶୋଷଣ କରାଯାଉଛି । ଠିକାଦାର ଲଲିତ ମହାନ୍ତ, ପ୍ରତାପ ମହାନ୍ତ, ମନୋଜ ମହାନ୍ତ ଏବଂ ସୁଶିଲ ପ୍ରଧାନଙ୍କ ଅଧୀନରେ ଏହି ଶ୍ରମିକମାନେ କାର୍ଯ୍ୟ କରୁଛନ୍ତି । ଫାକ୍ଟ୍ରି ଆକ୍ଟ ଅନୁଯାୟୀ କାର୍ଯ୍ୟରତ ଶ୍ରମିକମଙ୍କ ବର୍ଷକୁ ଥରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ବାଧ୍ୟତାମୂଳକ ଥିଲେ ମଧ୍ୟ କେବଳ କାଗଜକଲମରେ ସ୍ୱାସ୍ଥ୍ୟ ପରୀକ୍ଷା ହେଉଥିବା ଦର୍ଶାଯାଉଛି । କାରଖାନାରେ ଜଣେ କାର୍ଯ୍ୟରେ ଯୋଗଦାନ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା ସହ ଫିଏଫ୍ ଏବଂ ଇଏସ୍ଆଇସି କାଟିବା ବାଧ୍ୟତାମୂଳକ । ମାତ୍ର ଏହି କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କର ପିଏଫ୍ ଏବଂ ଇଏସ୍ଆଇସି କଟା ଯାଉ ନ ଥିବା ଶ୍ରମିକମାନେ କହିଛନ୍ତି । ଫଳରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ସହ କମ୍ପାନୀ ଖେଳ ଖେଳୁଥିବା ଅଭିଯୋଗ ହୋଇଛି । ବହୁ ଶ୍ରମିକଙ୍କର ଇଏସ୍ଆଇସି ବୀମା ଭୁକ୍ତ ହୋଇ ନ ଥିବାରୁ ଉତ୍ତମ ସ୍ୱାସ୍ଥ୍ୟ ସେବାକୁ ବଞ୍ଚିତ ହେଉଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *