ଭୁବନେଶ୍ୱର ଲାଇଟ୍ ହାଉସ୍ ଉଦ୍ଘାଟିତ
ଭୁବନେଶ୍ୱର (ବୁ୍ୟରୋ): ବିଏମ୍ସି, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସ୍ସିଏଲ୍) ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଲାଇଟ୍ ହାଉସ୍ କମୁ୍ୟନିଟିଜ୍ ଫାଉଣ୍ଡେସନ୍ ଏବଂ ଜେଏସ୍ପିଏଲ୍ ଫାଉଣ୍ଡେସନ୍ର ସହଯୋଗରେ ଭୁବନେଶ୍ୱର ଲାଇଟ୍ ହାଉସ୍ ଏବଂ ଜାଗା ଦକ୍ଷତା ହବ୍ ଉଦ୍ଘାଟିତ ହୋଇଯାଇଛି । ସହିଦ୍ ନଗର ଆପିଏସ୍ସି ବିଲ୍ଡିଂର ପଥମ ମହଲାରେ ବିଏମ୍ସି ଏବଂ ସ୍ମାର୍ଟ ସିଟି ଦ୍ୱାରା ଏଥିପାଇଁ ୩ ହଜାର ବର୍ଗଫୁଟ୍ ଅଞ୍ଚଳ ପ୍ରଦାନ କରାଯାଇଛି ।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏହି ପ୍ରଥମ ଭୁବନେଶ୍ୱର ଲାଇଟ୍ ହାଉସ୍କୁ ଉଦ୍ଘାଟନ କରିଥିଲେ । ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ, ବିଧାୟକ ଅନନ୍ତ ନାରାୟଣ ଜେନା, ଜେଏସ୍ପିଏଲ୍ର ଜେନେରାଲ୍ ସେକ୍ରେଟାରୀ ପ୍ରଶାନ୍ତ ହୋତା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାଥାନନ୍, ବିଏସ୍ସିଏଲ୍ର ସିଏମ୍ଡି ସଞ୍ଜୟ ସିଂହ, ବିଏମ୍ସି ମେୟର ସୁଲୋଚନା ଦାସ, ଲାଇଟ୍ ହାଉସ୍ କମୁ୍ୟନିଟି ଫାଉଣ୍ଡେସନ୍ ଅଧ୍ୟକ୍ଷ ଡ. ଗଣେଶ ନଟରାଜନ, ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିଶନର ସୂର୍ଯ୍ୟଂବଶୀ ମୟୂର ବିକାଶ, କମଲଜିତ୍ ଦାସ ପ୍ରମୁଖ ସାମିଲ୍ ରହିଥିଲେ ।
ଏହି ପଦକ୍ଷେପ ଦ୍ୱାରା ଏକ ହଜାରରୁ ଅଧିକ ଯୁବକଯୁବତୀ ପ୍ରାରମ୍ଭିକ ବର୍ଷରେ ଉପକୃତ ହେବେ । ୧୮ରୁ ୩୫ ବର୍ଷୀୟ ଯୁବପିଢ଼ି ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇପାରିବେ । ଲାଇଟ୍ ହାଉସ୍ ଦକ୍ଷତା ବିକାଶ କେନ୍ଦ୍ରରେ ୪ଟି ପ୍ରଶିକ୍ଷଣ ଗୃହ, ଗୋଟିଏ କାଉନସେଲିଂ ରୁମ୍, ଗୋଟିଏ ବ୍ରଡ୍କାଷ୍ଟିଂ ୟୁନିଟ୍, ଭିଡିଓ କନ୍ଫରେନ୍ସିଂ ପାଇଁ ସ୍ଥାନ ଆଦି ଉପଲବ୍ଧ ରହିଛି । ସ୍ୱଳ୍ପ ଆୟ ସମୁଦାୟର ପ୍ରାୟ ଏକ ହଜାର ଯୁବକ-ଯୁବତୀ ଏଠାରେ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ପାଇବା ସହ ପ୍ରତିବର୍ଷ ନିଯୁକ୍ତି ସମ୍ଭାବନା ରହିଛି । ଆଗାମୀ ଦିନରେ ରାଜ୍ୟର ଅନ୍ୟ ସହରାଞ୍ଚଳକୁ ଏହି ସୁବିଧା ସମ୍ପ୍ରସାରିତ କରାଯିବା ଲକ୍ଷ୍ୟ ରଖାଯାଇଛି ।