ଭକ୍ତ ଗହଣରେ ଘୋଷଯାତ୍ରା
ପୁରୀ (ବୁ୍ୟରୋ): କରୋନା ସଂକ୍ରମଣ ପ୍ରକୋପରେ ଲଗାତାର ଦୁଇବର୍ଷ ଧରି ବିନା ଭକ୍ତରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷ ଭକ୍ତଙ୍କ ଗହଣରେ ହେବାକୁ ଯାଉଛି ଶ୍ରୀଜିଉଙ୍କ ଘୋଷଯାତ୍ରା । ସେଥିଲାଗି ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର । ଗୁରୁବାରଠାରୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି ଶ୍ରୀକ୍ଷେତ୍ରକୁ । ଭକ୍ତମାନେ ଟ୍ରେନ୍ ଓ ବସ୍ ଯୋଗେ ପୁରୀରେ ପହଞ୍ଚô ସାରିଲେଣି । କେବଳ ଅପେକ୍ଷା ରାତି ପାହିଲେ ମହାପ୍ରଭୁଙ୍କ ଘୋଷଯାତ୍ରାରେ ସାମିଲ ହେବେ । ଏହି ଅବସରରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ବିଶେଷ ଭାବରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଟ୍ରାଫିକ୍ କଟକଣା ଓ ରଥଟଣା ପୁଲିସ ଲାଗି ବଡ଼ ଚାଲେଞ୍ଜ । ଏହାକୁ ସୁରୁଖରୁରେ ସମ୍ପନ୍ନ କରିବା ଲାଗି ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏପରିକି ସହରରେ ୫ ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଶ୍ରୀମନ୍ଦିର ପରିସରଠାରୁ ଆରମ୍ଭ କରି ଠାକୁରଙ୍କ ପହଣ୍ଡି, କର୍ଡନ, ରଥଟଣା, ବେଳାଭୂମି, ଟ୍ରାଫିକ୍ ଓ ସହରକୁ ମୁଖ୍ୟ ପ୍ରବେଶ ପଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏନେଇ ବଛାବଛା ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି । ଯେଭଳି ଭକ୍ତଗଣ ଶୃଙ୍ଖଳିତ ମହାପ୍ରଭୁଙ୍କ ଘୋଷଯାତ୍ରାରେ ସାମିଲ ହୋଇ ଖୁସିରେ ଫେରିବେ ସେ ନେଇ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇସୂଚନା ଦେଇଛନ୍ତି ଏସ୍ପି କନୱାର ବିଶାଲ ସିଂହ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ଭକ୍ତଙ୍କ ସୁରକ୍ଷା ସହ ପୁରୀବାସୀ ଏବଂ ଶୃଙ୍ଖଳିତ ଦର୍ଶନ ଲାଗି ଟ୍ରାଫିକ୍ କଟକଣାକୁ କଡ଼ାକଡ଼ି କରାଯାଇଛି । ଗୁରୁବାର ରାତି ୧୨ଟାରୁ ଟ୍ରାଫିକ୍ କଟକଣା ଲାଗୁ ହୋଇ ରଥଟଣା ଶେଷ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ସେଥିଲାଗି ସହର ସମେତ ବିଭିନ୍ନ ସ୍ଥାନରେ ୧୮୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।