ଦୁବାଇରୁ ନିବେଶ ବର୍ଷା

ଆସିବ ୨୧ ହଜାର କୋଟିରୁ ଅଧିକ ପୁଞ୍ଜି
ଭୁବନେଶ୍ୱର,୨୯ା୬(ବୁ୍ୟରୋ): ଗତ ଦୁଇବର୍ଷରେ ୫ଠ ବିଲିଅନ୍ ଆମେରିକୀୟ ଡଲାରର ପୁଞ୍ଜିନିବେଶକୁ ଓଡ଼ିଶା ସରକାର ମଞ୍ଜୁରୀ ଦେଇଛନ୍ତି । ତେବେ ମେଟାଲ, ମେଟାଲ ଡାଉନଷ୍ଟ୍ରିମ, କେମିକାଲ, ପେଟ୍ରୋକେମିକାଲ, ଟେକ୍ସଟାଇଲ ଆଦି ବିଭିନ୍ନ କ୍ଷେତ୍ରରେ ସିଧାସଳଖ ବିଦେଶୀ ପୁଞ୍ଜି ଆକୃଷ୍ଟ କରିବା ଲାଗି ଦୁବାଇରେ ଆୟୋଜିତ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ ବା ନିବେଶକ ସମ୍ମିଳନୀ ସଫଳ ହୋଇଛି । ନିବେଶକମାନେ ଓଡ଼ିଶାରେ ପୁଞ୍ଜି ଖଟାଇବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ପ୍ରାକୃତିକ ସମ୍ପଦ ଭରା ରାଜ୍ୟରେ ନିବେଶ ପାଇଁ ମନ ବଳାଇଛନ୍ତି ବହୁ ପୁଞ୍ଜିପତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦୁବାଇ ଠାରେ ଅନୁଷ୍ଠିତ ନିବେଶକ ସମ୍ମିଳନୀରୁ ପ୍ରାୟ ୨୧ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ଗ୍ରହଣ କରିଛି ଓଡ଼ିଶା । ଯାହାଦ୍ୱାରା ୧୯ ହଜାର ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ଭିତ୍ତିଭୂମି, ହସ୍ପିଟାଲିଟି, ଲଜିଷ୍ଟିକ୍, କେମିକାଲ, ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରୁ ଏହି ନିବେଶ ପ୍ରସ୍ତାବ ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିବେଶକମାନଙ୍କୁ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କରିବା ସହ ସମସ୍ତ ପ୍ରକାର ସହାୟତା କମ୍ପାନୀଗୁଡ଼ିକୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।
ଫିକ୍କି ଏବଂ ୟୁଏଇରେ ଭାରତୀୟ ଦୂତାବାସ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭର ତୃତୀୟ ସଂସ୍କରଣ ଆୟୋଜନ ବିଷୟରେ ଘୋଷଣା କରିଛନ୍ତି । ସେ କହିଛନ୍ତି, ଆସନ୍ତା ନଭେମ୍ବର ୩ଠ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ବିଶ୍ୱସ୍ତରୀୟ ନିବେଶକ ସମ୍ମିଳନୀ- ‘ମେକ୍ ଇନ୍ ଓଡ଼ିଶା’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ । ଏଥିରେ ସାମିଲ୍ ହେବା ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟପ୍ରାଚ୍ୟ ଓ ଉତ୍ତର ଆଫ୍ରିକାର ନିବେଶକମାନଙ୍କୁ ଆମନ୍ତ୍ରଣ କରିଛନ୍ତି । ଓଡ଼ିଶାରେ ବ୍ୟବସାୟର ସୁଯୋଗ ନେବାକୁ ଆହ୍ୱାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ମେଟାଲ ଓ ମେଟାଲ ଡାଉନ୍ଷ୍ଟ୍ରିମ୍, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ୍ ଓ ଆପେରାଲ୍ ସମେତ ଟେକ୍ନିକାଲ ଟେକ୍ସଟାଇଲ୍, ସି-ଫୁଡ୍ ସମେତ ଫୁଡ୍ ପ୍ରୋସେସିଂ, ଲଜିଷ୍ଟି୍ ଓ କ୍ଲିନ୍ ଏନର୍ଜୀ ଆଦେି କ୍ଷେତ୍ରକୁ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ଗୁରୁତ୍ୱ ଦିଆଯିବ ।
ବୁଧବାର ଦୁବାଇରେ ଆୟୋଜିତ ନିବେଶକ ସମ୍ମିଳନୀରେ ୧୫ଠରୁ ଅଧିକ କମ୍ପାନୀ ସାମିଲ୍ ହୋଇଥିଲେ । ଇଣ୍ଡିଆନ୍ ବିଜିନେସ୍ ଆଣ୍ଡ ପ୍ରଫେସନାଲ୍ କାଉନ୍ସିଲ୍ରୁ ମଧ୍ୟ ବହୁ କମ୍ପାନୀ ଯୋଡ଼ି ହୋଇଥିଲେ । ଏହି ଅବସରରେ ଓଡ଼ିଶାରେ ବିପୁଳ ପୁଞ୍ଜିନିବେଶ ସୁଯୋଗକୁ ଗୁରୁତ୍ୱ ଦେଇ ‘ଓଡ଼ିଶାର ଶିଳ୍ପାୟନ ପରିଦୃଶ୍ୟ’ ଉପରେ ଏକ ପେଜେଣ୍ଟେସନ୍ ଉପସ୍ଥାପନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଉଦ୍ବୋଧନରେ ଓଡ଼ିଶାରେ ଶିଳ୍ପ ପାଇଁ ରହିଥିବା ସୁବିଧାସୁଯୋଗ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ଭାରତର ଖଣି ସଂରକ୍ଷଣ ସିଂହଭାଗ ଓଡ଼ିଶାରେ ରହିଛି । ଦେଶର ୯୬% କ୍ରୋମାଇଟ୍, ୯୨ ନିକେଲ, ୫୩% ବକ୍ସାଇଟ୍, ୪୫% ମାଙ୍ଗାନିଜ, ୩୫ ପ୍ରତିଶତ ଲୁହାପଥର ଏବଂ ୨୩% କୋଇଲା ସଂରକ୍ଷଣ ଥିବାରୁ ଓଡ଼ିଶା ଇସ୍ପାତ୍, କଳଙ୍କିବିହିନ ଇସ୍ପାତ, ଆଲୁମିନା, ଫେରୋ ଆଲଏଜ୍, ଆଲୁମିନିୟମ କ୍ଷେତ୍ରରେ ସର୍ବବୃହତ୍ ଉତ୍ପାଦକ । ଏହାଛଡ଼ା ଓଡ଼ିଶାରେ ଭାରତର ୧୧ ପ୍ରତିଶତ ଜଳସମ୍ପଦ ରହିଛି । ୪୮ଠ କିମି ଦୀର୍ଘ କୋଷ୍ଟଲାଇନ୍ ବନ୍ଦର ଏବଂ ଆନ୍ତର୍ଜାତିକ ବାଣିଜ୍ୟ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି । ଏହାଛଡ଼ା ଓଡ଼ିଶା ହେଉଛି ଅତିକୁଶଳୀ କାର୍ଯ୍ୟବଳର ଗନ୍ତାଘର । ଆଇଟିଆଇ, ପଲିଟେକନିକ୍, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ କଲେଜ ଆଦି ସମସ୍ତ ଦକ୍ଷତା କ୍ଷେତ୍ରରେ ବୈଷୟିକ ଏବଂ ବୃତ୍ତିଗତ ପ୍ରତିଷ୍ଠାନ ସ୍ଥାପନ କରିବା ପାଇଁ ବହୁତ ଖର୍ଚ୍ଚ କରାଯାଉଛି । ଭାରତର ୧ଠଠ ଶିଳ୍ପ ତାଲିମ୍ ଅନୁଷ୍ଠାନ ମଧ୍ୟରୁ ୧୧ଟି ଓଡ଼ିଶାରେ ରହିଛି । ଅତ୍ୟାଧୁନିକ ଶିଳ୍ପ ପାଇଁ ଓଡ଼ିଆ କାର୍ଯ୍ୟବଳ ପ୍ରସ୍ତୁତ କରିବାକୁ ନିକଟରେ ଭୁବନେଶ୍ୱର ଠାରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିବେଶକଙ୍କ ପାଇଁ ରାଜ୍ୟର ସିଙ୍ଗଲ ୱିଣ୍ଡୋ ପୋର୍ଟାଲ, ଗୋ-ସ୍ୱିପ୍ଟ ଆଦିର ସୁଫଳ ଏବଂ କାର୍ଯ୍ୟକାରିତା ସମ୍ପର୍କରେ କହିଥିଲେ । ଏହାସହ ଓଡ଼ିଶାର ପ୍ରଗତିଶୀଳ ନୀତି, ପ୍ରଶାସନିକ ସୁବିଧା ଏବଂ ୫-ଟିକୁ ଗୁରୁତ୍ୱ ଦେଇ ଶିଳ୍ପ ଏବଂ ଭିତ୍ତିଭୂମିର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ । ମୁଖ୍ୟମନ୍ତ୍ରୀ କେତେକ କମ୍ପାନୀର ମୁଖ୍ୟମାନଙ୍କ ସହ ୱାନ୍ ଟୁ ୱାନ୍ ମଧ୍ୟ ଆଲୋଚନା କରିଥିଲେ ।
ଏହି ନିବେଶକ ସମ୍ମିଳନୀରେ ଓଡ଼ିଶାରେ ପୁଞ୍ଜିନିବେଶ କରିଥିବା ପ୍ରମୁଖ କମ୍ପାନୀଗୁଡ଼ିକର ଉଚ୍ଚସ୍ତରୀୟ ପ୍ରତିନିଧି ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରେ ରହିଛନ୍ତି, ପାର୍ଥ ଜିନ୍ଦଲର ଏମ୍ଡି, ଜେଏସ୍ଡବ୍ଲୁ୍ୟ ସିମେଣ୍ଟ, ପାରାଦୀପ ଫସଫେଟ୍ ଚେୟାରମ୍ୟାନ୍, ହିଣ୍ଡାଲକୋ, ଆର୍ସେଲର ମିତ୍ତଲ/ନିପ୍ପନ ଷ୍ଟିଲ, ବେଦାନ୍ତ, ଇମ୍ଫା, ଆଇଓସିଏଲ, ଟାଟା ଷ୍ଟିଲ୍ ଆଦିର ପ୍ରତିନିଧି ଓ ମୁଖ୍ୟ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *