୧୯ଠ୨ରେ ବନ୍ଦ ହୋଇଥିଲା ନବଯୌବନ ଦର୍ଶନ

ପୁରୀ (ବୁ୍ୟରୋ): ୧୯୦୨ ମସିହାର ଘୋଷଯାତ୍ରା । ଗୁରୁତ୍ୱପୂର୍ଣ୍ଣ ତଥା ଅଧିକ ଅବଧିର ଥିବା ଏହି ଯାତ୍ରା ବେଶ୍ ଘଟଣାବହୁଳ ଥିଲା । ଶ୍ରୀମନ୍ଦିରରେ ଅନବସର ପରେ ଚତୁର୍ଦ୍ଧାବିଗ୍ରହଙ୍କ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତ । ବାହୁଡ଼ା ଯାତ୍ରା ପାଇଁ ମହାପ୍ରଭୁ ଆଡ଼ପମଣ୍ଡପରୁ ଓହ୍ଲାଇ ଜଗମୋହନରେ ଚିତାଉ ଅମାବାସ୍ୟ ପର୍ଯ୍ୟନ୍ତ ରହିଥିଲେ । ଶ୍ରୀମନ୍ଦିରରେ ଚିତାଲାଗି ନୀତି ହୋଇପାରି ନ ଥିଲା । ଶ୍ରୀମନ୍ଦିରକୁ ଫେରିବା ନିମନ୍ତେ ଦକ୍ଷିଣ ମୋଡ୍ବେଳେ ନନ୍ଦିଘୋଷ ରଥର ଦୁଇଟି ଚକ ଭାଙ୍ଗି ବାଲିରେ ପୋତି ହୋଇଯାଇଥିଲା । ବର୍ଷା ଜଳରେ ଭିଜି ରଥ ଦଉଡ଼ି ଛିଣ୍ଡି ଯାଇଥିଲା । ଜୁଲାଇ ୬ରୁ ରଥଯାତ୍ରା ଆରମ୍ଭ ହୋଇଥିଲେ ହେଁ ଅଗଷ୍ଟ ୯ ସୁଦ୍ଧା ନୀଳାଦି୍ରବିଜେ ସମ୍ଭବ ହୋଇ ନ ଥିଲା । ମୋଟାମୋଟି ଭାବେ ରଥଟଣା ଏବଂ ଯାତ୍ରା ଶେଷ ନିମନ୍ତେ ପୁଲିସ ଓ ରାଜ କର୍ମଚାରୀଙ୍କ ମନଯୋଗର ଅଭାବ ପରିଲକ୍ଷିତ ହୋଇଥିଲା ।
ଜୁଲାଇ ୫ରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ରହିଥିଲା । ପୂର୍ବବର୍ଷ ଅପେକ୍ଷା ଉକ୍ତବର୍ଷ ଯାତ୍ରୀଙ୍କ ଭିଡ଼ ଅଧିକ ଥିଲା । ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ ଲାଗି ଭକ୍ତ ବ୍ୟାକୁଳ ଥିଲେ । ମାତ୍ରାଧିକ ଲୋକ ଦେଖି ମାଜିଷ୍ଟ୍ରେଟ୍ ସାହେବ ପୁଲିସ ମୁତୟନ କରି ନବଯୌବନ ଦର୍ଶନ ବନ୍ଦ କରିଦେଲେ । ଶ୍ରୀମନ୍ଦିରର ତିନିଦ୍ୱାରକୁ ବନ୍ଦ କରି ଉତ୍ତରଦ୍ୱାର ବାଟେ ପୁଲିସ କେବଳ ସେବକ ଏବଂ ବୋଝିଆମାନଙ୍କ ଛଡ଼ା ଆଉ କାହାରିକୁ ଛାଡ଼ି ନ ଥିଲେ । ମହାପ୍ରସାଦ ଶ୍ରୀମନ୍ଦିର ବାହାରେ ବିକି୍ର ହୋଇଥିଲା । କେହି କେହି ନିକଟ ଶିବ ମନ୍ଦିରରେ ଅନ୍ନ ବ୍ୟଞ୍ଜନ ରାନ୍ଧି ମହାପ୍ରସାଦ କହି ବିକ୍ରି କରିଥିଲେ । ୮ତାରିଖ ସୁଦ୍ଧା ଭକ୍ତମାନେ ରଥ ଉପରେ ଠାକୁରଙ୍କୁ ଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିଥିଲେ । ଜୁଲାଇ ୧୪ରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଥିଲା । ଜୁଲାଇ ୨୭ ପର୍ଯ୍ୟନ୍ତ ପୁରୀ ମାଜିଷ୍ଟ୍ରେଟ୍, ରାଜାପ୍ରମୁଖ ରଥଯାତ୍ରା ଜନିତ ବିଭିନ୍ନ ମାମଲାରେ ବ୍ୟସ୍ତ ହେତୁ ତିନିରଥ ଦକ୍ଷିଣମୋଡ ହୋଇପାରି ନ ଥିଲା । ଠାକୁରମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଜଗମୋହନରେ ରୁନ୍ଧା ହୋଇ ରହିଥିଲେ । ଏପରି ଅବସ୍ଥାରେ ଚିତାଲାଗି ନୀତି ବାଦ୍ ପଡ଼ିଥିଲା । ପୂର୍ବରୁ ଚିତାଲାଗି ପର୍ଯ୍ୟନ୍ତ ଚତୁର୍ଦ୍ଧାବିଗ୍ରହ ଶ୍ରୀଗୁଣ୍ଡିଚା ମନ୍ଦିର ଜଗମୋହନରେ ରୁନ୍ଧା ହୋଇଥିବାର ନଜିର ନ ଥିଲା । ଏହିପରି ଚକ୍ରବୁଲା ଏକାଦଶୀ ମଧ୍ୟରେ କେବଳ ଦୁଇରଥ ଦକ୍ଷିଣମୋଡ଼ ହୋଇପାରିଥିଲା । ମାତ୍ର ବିଳମ୍ବର କାରଣ ପାଲଟିଥିଲା ନନ୍ଦିଘୋଷ ରଥର ଦକ୍ଷିଣମୋଡ଼ । ଦକ୍ଷିଣମୋଡ଼ ସମୟରେ ନନ୍ଦିଘୋଷ ରଥର ଦୁଇଟି ଚକ ଭାଙ୍ଗି ଯାଇଥିଲା । ତାହା ସଜଡ଼ାଯାଇ ରଥଟଣା ହେବାବେଳକୁ ୨ରୁ ୩ଦିନ ସମୟ ଲାଗିଥିଲା । ରଥଟଣା ସମୟରେ ସଜଡ଼ାଯାଇଥିବା ସେହି ଚକଦ୍ୱୟ ପୁଣି ଶରଧାବାଲିରେ ମୋଡ଼ି ହୋଇ ପୋତି ହୋଇ ଯାଇଥିଲା । ବାହୁଡ଼ା ଦଶମୀ ପରଠାରୁ ରାଜାଙ୍କ ପକ୍ଷରୁ ପ୍ରାୟ ୫ଶହ ବେଠିଆ ୩ଟଙ୍କା ଖୋରାକି ଖାଇ ରଥଟଣାରେ ନିୟୋଜିତ ହୋଇଥିଲେ । ବର୍ଷାଜଳରେ ଭିଜି ରଥ ଦଉଡ଼ିଗୁଡ଼ିକ ଛିଣ୍ଡି ଯିବାରୁ ନୂଆଁଦଉଡି ପ୍ରସ୍ତୁତ ହୋଇ ରଥଟଣା ଯାଇଥିଲା । ଏହାମଧ୍ୟ ବିଳମ୍ବର ଏକ ଅନ୍ୟ କାରଣ ଥିଲା । ପୂର୍ବବର୍ଷ ପରି ପୁଲିସ, ରାଜକର୍ମଚାରୀଙ୍କ ଆନ୍ତରିକ ମନଯୋଗ ଅଭାବରୁ ଏହି ଯାତ୍ରା ଅଗଷ୍ଟ ୯ ତାରିଖ ସୁଦ୍ଧା ଶେଷ ହୋଇପାରି ନ ଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *