ମହିଳା ସମେତ ୪ ଲୁଟେରା ଗିରଫ

ପୁରୀ (ବୁ୍ୟରୋ): ଦିନକ ପରେ ରଥଯାତ୍ରା । ଆଜିଠାରୁ ଚଳଚଞ୍ଚଳ ହୋଇପଡ଼ିଲାଣି ଶ୍ରୀକ୍ଷେତ୍ର । ଏପରିକି ବୁଧବାର ନବଯୌବନ ଦର୍ଶନ ଥିବାରୁ ସହରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଗହଳିର ସୁଯୋଗ ନେଇ ଗଞ୍ଜାମରୁ ଏକ ଲୁଟେରା ଟିମ୍ ପୁରୀରେ ପହଞ୍ଚିଛନ୍ତି । ସେମାନେ ପ୍ରଥମ ଦିନରୁ ଲୁଟ୍ ଆରମ୍ଭ କରିଛନ୍ତି । ହେଲେ ଲୁଟ୍ କରିବା ମହଙ୍ଗା ପଡ଼ିଛି । ଉକ୍ତ ଘଟଣାରେ ସୁମଦ୍ରକୂଳ ଥାନା ପୁଲିସ ଜଣେ ମହିଳାଙ୍କ ସମେତ ୪ ଜଣ ଲୁଟେରାକୁ ଗିରଫ କରି କୋର୍ଟଚାଲାଣ କରିଛି । ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଯାଇଛି । ସେମାନେ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଟାଉନ୍ ଥାନା ଅନ୍ତର୍ଗତ କଳାଶ୍ରଦ୍ଧାପୁର ଗ୍ରାମର ଦାସ ଅନିଲ, ଗଣ୍ଡପଲି ଗ୍ରାମର ଏସ୍ ହରି, ତେଙ୍ଗାପାଲିର ଏ. ଅଙ୍କେତେଶ ଓ ଏ ସାମିନୀ । ଏମାନଙ୍କ ଠାରୁ ପୁଲିସ ୭ଟି ମୋବାଇଲ୍, ୩୦ ହଜାର ଟଙ୍କା, ବାଇକ୍ ଓ ଡିକି ଭଙ୍ଗା ଚାବି ଜବତ କରିଛି ।
ଥାନାଧିକାରୀ ଚିନ୍ମୟ ରାଉତଙ୍କ ସୂଚନାନୁଯାୟୀ, ସଦର ଥାନା ଅନ୍ତର୍ଗତ ଗଇଣ୍ଡଳ ଗ୍ରାମର ବନମାଳି ମଲ୍ଲିକ ବୁଧବାର ଅପରାହ୍ଣରେ ବେଳା ମାର୍ଗରେ ପୁରୀ ଅଭିମୁଖେ ଯାଉଥିବା ବେଳେ ତାଙ୍କ ହାତରୁ ଦୁଇଜଣ ଲୁଟେରା ମୋବାଇଲ ଓ ବ୍ୟାଗ୍ରେ ଥିବା ୧୦ହଜାର ଟଙ୍କା ଲୁଟି ନେଇ ଚୈତନ୍ୟ ଛକ ସମ୍ମୁଖ ବେଳାଭୂମିରେ ସ୍ନାନ କରୁଥିଲେ । ଏନେଇ ବନମାଳୀ ସଙ୍ଗେ ସଙ୍ଗେ ସମୁଦ୍ରକୂଳ ଥାନାରେ ପହଞ୍ଚି ଅଭିଯୋଗ କରିବା ପରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ସେମାନଙ୍କୁ ଜେରା କରିବା ପରେ ଅନ୍ୟ ଦୁଇଜଣ ଥିବା ଜଣାପଡ଼ିଥିଲା । ପୁଲିସ ଅନ୍ୟ ଦୁଇଜଣଙ୍କୁ ମଧ୍ୟ ଗିରଫ କରିଛି । ସେମାନେ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପକେଟ୍ ମାର, ବାଇକ୍ ଲୁଟ୍, ଡିକିରୁ ଟଙ୍କା ସହ ଅନ୍ୟ ସାମଗ୍ରୀ ଲୁଟ୍ କରିବା ଲାଗି ରଖିଥିବା ବିଭିନ୍ନ ଆନୁଷଙ୍ଗିକ ସାମଗ୍ରୀ ପୁଲିସ ଜବତ କରିଛି । ଏନେଇ ପୁଲିସ ୧୫୩/୨୨ରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *