ଶୃଙ୍ଖଳା ପୋଛିଲା ଟିମ୍ ଇଣ୍ଡିଆ
ରୋମାଞ୍ଚକର ମ୍ୟାଚ୍ରେ ହାରିଲା ଆୟରଲାଣ୍ଡ
ଡବ୍ଲିନ୍, ୨୯ା୬ (ଏଜେନ୍ସି): ଟିମ୍ ଇଣ୍ଡିଆ ମଙ୍ଗଳବାର ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଆୟରଲାଣ୍ଡକୁ ୪ ରନ୍ରେ ହରାଇ ୨-୦ରେ ଶୃଙ୍ଖଳା ମୂଳପୋଛ କରିଛି । ମ୍ୟାଚ୍ରେ ଶତକୀୟ ଇନିଂସ୍ ଖେଳିବା ସହ ଶୃଙ୍ଖଳାରେ ସର୍ବାଧିକ ସ୍କୋର୍ କରିଥିବା ଭାରତୀୟ ବ୍ୟାଟର୍ ଦୀପକ ହୁଡ଼ା ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଓ ପ୍ଲେୟାର୍ ଅଫ୍ ଦ ସିରିଜ୍ ବିବେଚିତ ହୋଇଛନ୍ତି ।
ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରି ଦୀପକ ହୁଡ଼ା (୫୭ ବଲ୍ରୁ ୧୦୪ ରନ୍) ଶତକ ଓ ସଞ୍ଜୁ ସାମ୍ସନ୍ (୪୨ ବଲ୍ରୁ ୭୭)ଙ୍କ ଅର୍ଦ୍ଧଶତକ ସହାୟତାରେ ୭ ୱିକେଟ୍ ହରାଇ ୨୨୫ ରନ୍ ସଂଗ୍ରହ କରିଥିଲା । ଜବାବରେ ଆୟରଲାଣ୍ଡ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୫ ୱିକେଟ୍ ହରାଇ ୨୨୧ ରନ୍ କରିବାକୁ ସମର୍ଥ ହୋଇଥିଲା । ମ୍ୟାଚ୍ର ଶେଷ ଓଭର୍ରେ ଆୟରଲାଣ୍ଡକୁ ଜିତିବା ପାଇଁ ୧୭ ରନ୍ ଆବଶ୍ୟକ ଥିଲା, ତେବେ ଉମରାନ ମଲିକ ୧୨ ରନ୍ ଦେଇଥିଲେ ।
ବଡ଼ ଟାର୍ଗେଟ୍ର ପିଛା କରିଥିବା ଆୟରଲାଣ୍ଡ ଟିମ୍ ମ୍ୟାଚ୍ ହାରିଯାଇଥିଲେହେଁ ଶେଷ ଯାଏଁ ଲଢ଼େଇ କରିଥିଲା । ଟିମ୍ ପକ୍ଷରୁ ଅଧିନାୟକ ଆଣ୍ଡି ବଲବିର୍ନି ୬୦, ହାରୀ ଟେକ୍ଟର ୩୯ ଓ ଜର୍ଜ ଡକରେଲ୍ ୩୪ ରନ୍ର ଇନିଂସ୍ ଖେଳିଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ହର୍ଷଲ ପଟେଲ୍, ରବି ବିଷ୍ଣୋଇ ଓ ଉମରାନ ମଲିକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଟିମ୍ ଇଣ୍ଡିଆ ଚଳିତ ବର୍ଷ ଟି-୨୦ ଫର୍ମାଟ୍ରେ ତୃତୀୟ ଶୃଙ୍ଖଳା ବିଜୟ ହାସଲ କରିଛି । ଏହା ପୂର୍ବରୁ ଭାରତୀୟ ଟିମ୍ ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍କୁ ମାତ୍ ଦେଇଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ୨-୨ରେ ବରାବର ରହିଥିଲା ।