ବୁମ୍ରା ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍

ବର୍ମିଂହାମ୍ ଟେଷ୍ଟରେ ଖେଳିବେନି ରୋହିତ
ବର୍ମିଂହାମ୍, ୨୯ା୬ (ଏଜେନ୍ସି): ଇଂଲଣ୍ଡ ବିପକ୍ଷରେ ଜୁଲାଇ ୧ରୁ ଆରମ୍ଭ ହେବାକୁ ଥିବା ପୁନଃନିର୍ଦ୍ଧାରିତ ‘ପଞ୍ଚମ ଟେଷ୍ଟ’ ମ୍ୟାଚ୍ରେ କରୋନା ସଂକ୍ରମିତ ହୋଇଥିବା ରୋହିତ ଶର୍ମା ଖେଳିପାରିବେ ନାହିଁ । ତାଙ୍କ ସ୍ଥାନରେ ଦ୍ରୁତ ବୋଲର୍ ଯଶପ୍ରୀତ ବୁମ୍ରା ଭାରତୀୟ ଟିମ୍ର ଅଧିନାୟକ ହେବେ । ସେ କ୍ୟାରିଅରରେ ପ୍ରଥମ ଥର କୌଣସି ଟିମ୍ର ନେତୃତ୍ୱ ଦାୟିତ୍ୱ ନେବେ । ୩୫ ବର୍ଷ ପରେ କୌଣସି ଦ୍ରୁତ ବୋଲର୍ଙ୍କୁ ଟିମ୍ ଇଣ୍ଡିଆର ନେତୃତ୍ୱ ଦାୟିତ୍ୱ ଦିଆଯାଇଛି ।
ବୁଧବାର ରୋହିତଙ୍କ କରୋନା ରିପୋର୍ଟ ପୁଣି ଥରେ ପଜିଟିଭ୍ ଆସିଛି । ଗୁରୁବାର ତାଙ୍କର ଆଉ ଥରେ ଟେଷ୍ଟ ହେବ । ସେ ୱାର୍ମଅପ୍ ମ୍ୟାଚ୍ ସମୟରେ ସଂକ୍ରମିତ ହୋଇଥିଲେ ।
ବୁମ୍ରା କପିଳ ଦେବଙ୍କ ପରେ ଭାରତର ପ୍ରଥମ ଦ୍ରୁତ ବୋଲର୍ ଅଧିନାୟକ ହେବେ । କପିଳ ଶେଷ ଥର ୧୯୮୬ ସେପ୍ଟେମ୍ବରରେ ଟେଷ୍ଟ କ୍ରିକେଟ୍ରେ ଭାରତୀୟ ଟିମ୍ର ନେତୃତ୍ୱ ନେଇଥିଲେ ଏବଂ ୧୯୮୭ରେ ତାଙ୍କ ଠାରୁ ଅଧିନାୟକତ୍ୱ କାଢ଼ି ନିଆଯାଇଥିଲା । ସେବେଠାରୁ ପାରମ୍ପରିକ କ୍ରିକେଟ୍ରେ କୌଣସି ପେସର୍ ଟିମ୍ର ନେତୃତ୍ୱ ନେଇ ନାହାନ୍ତି ।
ଜନୈକ ବରିଷ୍ଠ ବିସିସିଆଇ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, “ରୋହିତ ଜୁଲାଇ ୧ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି । ସେ ଏବେ ଆଇସୋଲେସନ୍ରେ ଅଛନ୍ତି । ଲୋକେଶ ରାହୁଲଙ୍କ ଅନୁପସ୍ଥିତିରେ ଉପ-ଅଧିନାୟକ ଯଶପ୍ରୀତ ବୁମ୍ରା ଟିମ୍ର ନେତୃତ୍ୱ ନେବେ ।”
ବୁମ୍ରା ଲମ୍ବା ଫର୍ମାଟ୍ରେ ୩୬ତମ କ୍ରିକେଟର୍ ଭାବେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ । ଏହି ଗୁଜରାଟୀ ପେସର୍ ୨୯ ମ୍ୟାଚ୍ ଖେଳି ୧୨୩ ୱିକେଟ୍ ଅକ୍ତିଆର କରିଛନ୍ତି । ତାଙ୍କୁ ବିଶ୍ୱର ଶ୍ରେଷ୍ଠ ପେସର୍ଙ୍କ ମଧ୍ୟରେ ପରିଗଣିତ କରାଯାଉଛି । ଚୟନ କମିଟି ମୁଖ୍ୟ ଚେତନ ଶର୍ମା ମଧ୍ୟ କହିସାରିଛନ୍ତି ଯେ ତାଙ୍କୁ ଭବିଷ୍ୟତର ନେତା ଭାବେ ପ୍ରସ୍ତୁତ କରାଯାଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଶ୍ୱର ଏକ ନମ୍ବର ଖେଳାଳି ପେସର୍ ପାଟ୍ କମିନ୍ସ ଟେଷ୍ଟରେ ଅଷ୍ଟ୍ରେଲିଆ ଟିମ୍ର ନେତୃତ୍ୱ ନେଉଛନ୍ତି ।
ପୂଜାରା କିମ୍ବା ବିହାରୀ, ଗିଲ୍ଙ୍କ ସହ ଓପନିଂ କରିବେ
ଅଭିଜ୍ଞ ରୋହିତ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିବା ପରେ ଚେତେଶ୍ୱର ପୂଜାରାଙ୍କ ପାଖରେ ଯୁବ ଖେଳାଳି ଶୁଭମନ ଗିଲ୍ଙ୍କ ସହ ଇନିଂସ୍ ଓପନ୍ କରିବାର ଭଲ ସୁଯୋଗ ରହିଛି । ସୂତ୍ରରୁ ପ୍ରକାଶ ଯେ, ମୟଙ୍କ ଅଗ୍ରୱାଲଙ୍କୁ କେବଳ ‘କଭର୍’ ପାଇଁ ଅଣାଯାଇଛି । ତାଙ୍କର ଚୂଡ଼ାନ୍ତ ଏକାଦଶରେ ଖେଳିବାର ସମ୍ଭାବନା ନାହିଁ । ପୂଜାରା-ଗିଲ୍ ଇନିଂସ୍ ଓପନ୍ କରିପାରନ୍ତି । ହନୁମା ବିହାରୀ ବି ଓପନିଂ କରିବାର ସମ୍ଭାବନା ରହିଛି ।
ବିଶେଷଜ୍ଞ ବ୍ୟାଟର୍ ପୂଜାରା, ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର, ବିହାରୀ ଓ ରିଷଭ ପନ୍ତ ତ ଖେଳିବେ । କିନ୍ତୁ ଚତୁର୍ଥ ପେସ୍ ବୋଲିଂ ଅଲ୍ରାଉଣ୍ଡର୍ ଶାର୍ଦ୍ଦୂଳ ଠାକୁର ଖେଳାଯିବ ନା ରବୀନ୍ଦ୍ର ଜାଡ଼େଜାଙ୍କ ସହ ଦ୍ୱିତୀୟ ସ୍ପିନର୍ ଭାବେ ରବିଚନ୍ଦ୍ରନ୍ ଅଶ୍ୱିନ ରହିବେ, ତାହା ଏକମାତ୍ର ଆଲୋଚ୍ୟର ବିଷୟ । ଅନ୍ୟପଟେ, ବୋଲିଂ ଲାଇନ୍ରେ ବୁମ୍ରା, ମହମ୍ମଦ ସିରାଜ ଓ ମହମ୍ମଦ ଶାମୀ ସ୍ୱତଃ ମନୋନୀତ ହୋଇଛନ୍ତି ।
ଆୟରଲାଣ୍ଡରେ ଖେଳିଥିବା ଟିମ୍ ଇଂଲଣ୍ଡ ସହ ପ୍ରଥମ ଟି-୨୦ ଖେଳିବ
ଜୁଲାଇ ୫ରେ ପଞ୍ଚମ ଟେଷ୍ଟ ମ୍ୟାଚ୍ ଶେଷ ହେବାର କାର୍ଯ୍ୟକ୍ରମ ରହିଛି ଏବଂ ୭ରେ ସାଉଥାମ୍ପଟନ୍ ଠାରେ ପ୍ରଥମ ଟି-୨୦ ଖେଳାଯିବ । ଚୟନ କମିଟି ସ୍ଥିର କରିଛି ଯେ ତାରକା ଖେଳାଳିମାନଙ୍କୁ ଦ୍ୱିତୀୟ ମ୍ୟାଚ୍ ପାଇଁ ଚୟନ କରିବା ପୂର୍ବରୁ ତିନି ଦିନ ସମୟ ଦିଆଯିବ । ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ତିନିଟି ଟି-୨୦ ଓ ତିନିଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯିବ ।
ସୂତ୍ରରୁ ପ୍ରକାଶ, “ଆୟରଲାଣ୍ଡରେ ଟି-୨୦ ଶୃଙ୍ଖଳା ଖେଳିଥିବା ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ପାଇଁ ଅପରିବର୍ତ୍ତିତ ରଖାଯିବ ଏବଂ ଏହାପରେ ଦ୍ୱିତୀୟ ଟି-୨୦ରୁ ସମସ୍ତ ତାରକା – ରୋହିତ୍ (ଯଦି ଫିଟ୍ ଥିବେ), କୋହଲି, ବୁମ୍ରା, ପନ୍ତ, ଜାଡ଼େଜା ପ୍ରତ୍ୟାବର୍ତ୍ତନ କରିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *