ଉଦ୍ୟାନ ବିଭାଗର ତଥ୍ୟକୁ ନେଇ ଅସନ୍ତୋଷ

ମନରେଗାରେ କାଜୁ ଚାଷ ପ୍ରହସନ
ଶେରଗଡ଼ (ଆପ୍ର): ଶେରଗଡ଼ ବ୍ଲକ୍ରେ ୨୦୨୦-୨୧ ଆର୍ଥିକ ବର୍ଷରେ ମନରେଗାରେ ୬ ହେକ୍ଟର ଜମିରେ କାଜୁ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇଥିବା ତଥ୍ୟ ଉଦ୍ୟାନ ବିଭାଗ ପ୍ରଦାନ କରିଛି । ବ୍ଲକର ପ୍ରାୟ ୨୨ ଚାଷୀଙ୍କୁ ନେଇ ଏହି କାଜୁ ଚାଷ ଯୋଜନା ସଫଳ ହୋଇଥିବାରୁ ତଥ୍ୟ ପ୍ରଦାନ କରାଯାଇଛି । ମାତ୍ର ବିଡ଼ମ୍ବନାର ବିଷୟ ଶେରଗଡ ବ୍ଲକ କରଡ଼ାକଣା ପଞ୍ଚାୟତର ଆଦିବାସୀ ଗ୍ରାମ ଖୋଲ ଓ ଦାମଝୋଳାର ଚାଷୀ ସରକାରୀ ସହାୟତା ବିନା କାଜୁ ଚାଷ କରିଛନ୍ତି । ତେବେ ଆଦିବାସୀମାନେ ନିଜସ୍ୱ ଉଦ୍ୟମରେ କରିଥିବା କାଜୁ ବଗିଚାକୁ ଉଦ୍ୟାନ ବିଭାଗ ମନରେଗା ଯୋଜନାରେ ଚାଷ କରିଥିବା ତଥ୍ୟ ପ୍ରଦାନ କରି ବାହାବା ନେଉଛି । ୨୦୨୦-୨୧ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ଉଦ୍ୟାନ ବିଭାଗ ଶେରଗଡ଼ ବ୍ଲକର ୬ ହେକ୍ଟର କାକୁ ଚାଷ କରିଥିବା ସମୟରେ ୨୨ଜଣ ଉପକୃତ ହୋଇଥିବା ତଥ୍ୟ ଦେଇଛନ୍ତି ।
ପ୍ରକାଶ ଯୋଗ୍ୟ ଯେ, ଆଦିବାସୀ ଅଞ୍ଚଳରୁ ଜଙ୍ଗଲ କିସମ ଜମିରେ ଲୋକେ ଜବରଦଖଲ କରି କାଜୁ ଚାଷ କରିବା ପରମ୍ପରା ପ୍ରଚଳିତ ହୋଇଆସୁଛି । ଏହି କାଜୁ ଚାଷ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରାୟତଃ ଆଦିବାସୀ ସଂପ୍ରଦାୟର ଲୋକେ ଦଲାଲଙ୍କ ଠାରୁ ଆର୍ଥିକ ସହାୟତା ନେଇ ଚାଷ କରିଥାନ୍ତି । ମାତ୍ର ଉଦ୍ୟାନ ବିଭାଗ ୨୦୨୦-୨୧ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ଶେରଗଡ଼ ବ୍ଲକ୍ରେ ମୋଟ ୬ ହେକ୍ଟର ଜମିରେ କାଜୁ ଚାଷ ହୋଇଥିବା ତଥ୍ୟ ପ୍ରଦାନ କରିଛି । ତେବେ ଏଠି ପ୍ରଶ୍ନ ଉଠିଛି, ଉଦ୍ୟାନ ବିଭାଗ ଯେଉଁ ୨୨ ଚାଷୀଙ୍କ ନାମରେ ୬ ହେକ୍ଟର ଜମିରେ ଚାଷ ହୋଇଥିବା ତଥ୍ୟ ପ୍ରଦାନ କରୁଛି, ତଦନ୍ତ କରାଗଲେ ବାସ୍ତବ ତଥ୍ୟ ପଦାକୁ ଆସିପାରିବ । ଦାମଝୋଳାର ୧୨ କାଜୁ ଚାଷୀ-କାର୍ଜି ବଡ଼ରଇତ, ଶତୃ ରଇତ, ପ୍ରତାପ ଦଳବେହେରା, ଏଶ ଦଳବେହେରା, ସୁନ ଦଳ ବେହେରା, ବିରୁ ଦଳବେହେରା, ଲକ୍ଷ୍ମଣ ମଣ୍ଡଳ, କେଳାସ ମଣ୍ଡଳ, ଗଙ୍ଗା ରଇତ, ଏଲିଆ ଗମାଙ୍ଗ, ଜନତ ଦଳବେହେରା ଓ ଅଭି ଗମାଙ୍ଗଙ୍କ ଠାରୁ ବ୍ୟାଙ୍କ ଆକାଉଣ୍ଟ ସହ ସମସ୍ତ ଦସ୍ତାବିଜ ନେଇଥିଲେ ମଧ୍ୟ ସେମାନଙ୍କୁ ୨ ବର୍ଷରୁ ଊଦ୍ଧ୍ୱର୍ ସମୟ ହେବ ଆଦୌ ସରକାରୀ ସହାୟତା ମିଳିନାହିଁ । କାଜୁ ଚାଷ ପାହାଡିଆ ଅଞ୍ଚଳବାସୀଙ୍କ ପାଇଁ ଏକ ଲାଭଜନକ ବ୍ୟବସାୟ ହୋଇଥିବାରୁ ଆଦିବାସୀ ଭାଷାଭାଷୀ ଲୋକେ ଜଙ୍ଗଲରେ ବସତି ସ୍ଥାପନ କରି କାଜୁ ଦଲାଲଙ୍କ ଠାରୁ ଅଗ୍ରୀମ ସହାୟତା ରାଶି ନେଇ କାଜୁ ଯୋଗାଣ କରିବା ସହିତ ଚାଷ ବଜାୟ ରଖିଛନ୍ତି । ମାତ୍ର ଉଦ୍ୟାନ ବିଭାଗ କାଜୁ ଚାଷର ଯେଉଁ ସଫଳତାର ତଥ୍ୟ ପ୍ରଦାନ କରିଛି, ତାହାର ସଠିକ ତଦନ୍ତ କରାଗଲେ ବାସ୍ତବ ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *