୩ ବର୍ଷ ହେଲା କାମକରୁନି ‘ବସୁଧା’ ପ୍ରକଳ୍ପ
ମାହାଙ୍ଗା (ଆପ୍ର): ମାହାଙ୍ଗା ବ୍ଲକ୍ରେ ବସୁଧା ଯୋଜନା ଦିଗହରା ହୋଇପଡ଼ିଛି । କାମରେ ଲାଗୁନି ୨୫ରୁ ଊଦ୍ଧ୍ୱର୍ ଓଭର୍ହେଡ୍ ପାଣିଟାଙ୍କି । ଏପଟେ ବିଭିନ୍ନ ପଞ୍ଚାୟତରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ବସୁଧା ହୋର୍ଡିଂରେ ‘ସମସ୍ତ ପାଇଁ ସ୍ୱଚ୍ଛ ପାଣି’ ନାରା ଥିବାବେଳେ ଏହାକୁ ନେଇ ଲୋକେ ଅସନ୍ତୋଷ ପ୍ରକଟ କରିଛନ୍ତି । ପ୍ରତି ରାଜସ୍ୱ ଗ୍ରାମରେ ଏକାଧିକ ହୋର୍ଡିଂ ଲଗାଇବା ବାବଦରେ ଲକ୍ଷାଧିକ ଟଙ୍କା କାହା ସ୍ୱାର୍ଥରେ ଖର୍ଚ୍ଚ କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନାହାଙ୍ଗ ପଞ୍ଚାୟତ ଡିହିଗୋପ ବରୁଣେଇ ଠାକୁରାଣୀ ପଛପଟେ ଥିବା ପାନୀୟଜଳ ପ୍ରକଳ୍ପ ଏହାର ସଦ୍ୟତମ ଉଦାହରଣ ।
ସ୍ଥାନୀୟ ଲୋକେ କହନ୍ତି ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଘର ଓ ବାଉଣ୍ଡରି କାର୍ଯ୍ୟ ନିର୍ମାଣ ଶେଷ ହୋଇଥିଲା । ବିଦୁ୍ୟତ୍ ଟ୍ରାନ୍ସଫର୍ମର ବି ବସିଛି । ଏଥିପାଇଁ ଆରଡବ୍ଲ୍ୟୁ ଏସ୍ ଆଣ୍ଡ ଏସ୍ କାର୍ଯ୍ୟାଳୟ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଭୂତଳ ପାଇପ୍ ବିଛା ଓ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ହେଲେ ନିର୍ମାଣର ୨ବର୍ଷରୁ ଊଦ୍ଧ୍ୱର୍ ଅତିକ୍ରମ କରି ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାନୀୟଜଳ ଯୋଗାଣ କରାଯାଇ ନାହିଁ । ଏହି ପ୍ରକଳ୍ପ ପରିସର ବେଣା ଜଙ୍ଗଲରେ ପରିପୂର୍ଣ୍ଣ । ଏପରିକି ପ୍ରତିବର୍ଷ ଉକ୍ତ ପ୍ରକଳ୍ପ ଘର ଗୁଡିକରରେ ରଙ୍ଗବୋଳା କାର୍ଯ୍ୟ ଚାଲିଛି । ପ୍ରାଚୀରର କିଛି ଅଂଶ ଭଙ୍ଗାଯାଇଥିବା ଦେଖିବାକୁ ମିଳୁଛି । ତେବେ ଏଠାରେ ପ୍ରଶ୍ନ ଉଠେ ପାନୀୟଜଳ ବିଭାଗ କେବଳ ଠିକାଦାରଙ୍କ ସ୍ୱାର୍ଥରେ କାର୍ଯ୍ୟ କରୁଛି । ସାଧାରଣ ଲୋକଙ୍କର ସମସ୍ୟା ଶୁଣିବାକୁ ବିଭାଗ ନିକଟରେ ସମୟ ନାହିଁ । କେଉଁ କାରଣ ପାଇଁ ଉକ୍ତ ପାନୀୟଜଳ ପ୍ରକଳ୍ପ ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଯାଇ ନାହିଁ ସେ ସଂପର୍କରେ ତଦନ୍ତ କାରାଯିବା ଜରୁରୀ ହୋଇପଡ଼ିଛି ।