ସମୟ ସୀମା ବୃଦ୍ଧି ନିଷ୍ପତ୍ତି ଟଳିଲା
ଜିଏସ୍ଟି କ୍ଷତିପୂରଣ
ଚଣ୍ଡୀଗଡ, ୨୯ା୬: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଚଣ୍ଡୀଗଡରେ ବୁଧବାର ଶେଷ ହୋଇଥିବା ବସ୍ତୁ ଓ ସେବାକର (ଜିଏସ୍ଟି) ପରିଷଦର ୪୭ତମ ବୈଠକରେ ରାଜ୍ୟମାନଙ୍କୁ ଜିଏସ୍ଟି କ୍ଷତିପୂରଣ ପ୍ରଦାନ ସମୟ ସୀମା ବଢାଇବା ନେଇ କୌଣସି ନିଷ୍ପତ୍ତି ନିଆଯାଇପାରି ନାହିଁ । ଅଗଷ୍ଟରେ ହେବାକୁ ଥିବା ପରବର୍ତ୍ତୀ ବୈଠକରେ ଏ ବିଷୟରେ ଫଇସଲା ହୋଇପାରେ ବୋଲି କୁହାଯାଉଛି । ୨୦୧୭ରେ କେନ୍ଦ୍ର ସରକାର ଜିଏସ୍ଟି ବ୍ୟବସ୍ଥା ଲାଗୁ କରିବାବେଳେ ପ୍ରତିଶ୍ରୁତି ଦେଇଥିଲେ ଯେ, ପରବର୍ତ୍ତୀ ୫ବର୍ଷ ପର୍ଯ୍ୟନ୍ତ ରାଜ୍ୟମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ । ଏହାର ସମୟସୀମା ଚଳିତ ମାସରେ ଶେଷ ହେଉଛି, କିନ୍ତୁ ରାଜ୍ୟ ସରକାରମାନେ ସମୟ ସୀମା ବଢାଇବା ପାଇଁ ଦାବି କରି ଆସୁଛନ୍ତି ।
ଚଣ୍ଡୀଗଡ ବୈଠକରେ ଅଧିକ ବସ୍ତୁକୁ ଜିଏସ୍ଟି ପରିସରଭୁକ୍ତ କରିବା ନିଷ୍ପତ୍ତି ନିଆଯାଇଛି । ଫଳତଃ ସମ୍ପୃକ୍ତ ବସ୍ତୁଗୁଡିକର ଦର ବଢିବା ଫଳରେ ସାଧାରଣ ଜନତାଙ୍କ ଉପରେ ଆର୍ଥିକ ବୋଝ ବଢିବ ।
ରାଜସ୍ୱ ସଚିବ ତରୁଣ ବଜାଜ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜିଏସ୍ଟି ପରିଷଦ ଦ୍ୱାରା ରିହାତି ଓ ଟ୍ୟାକ୍ସ ସ୍ଲାବ୍ରେ ସୁଧାର ସମ୍ବନ୍ଧୀୟ ନିଷ୍ପତ୍ତି ଆସନ୍ତା ମାସ ୧୮ ତାରିଖରୁ ଲାଗୁ ହେବ । ପ୍ୟାକ୍ କରାଯାଇଥିବା ଖାଦ୍ୟ ସାମଗ୍ରୀ ଉପରେ ଜିଏସ୍ଟି ଲଗାଇବା ପାଇଁ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା । ଏବେ ଜିଏସ୍ଟି ପ୍ୟାନେଲ୍ଙ୍କ ସୁପାରିସଗୁଡିକୁ ପରିଷଦ ଗ୍ରହଣ କରିନେବା ଫଳରେ ପ୍ୟାକେଜ୍ଡ ଫୁଡ୍ ମହଙ୍ଗା ହେବ । ପ୍ୟାକ୍ ହୋଇଥିବା ଦହି, ଲସି, ବଟର ମିଲ୍କୀ ଦରର ଦାମ୍ ବଢିବ । ସେହିପରି ବ୍ୟାଙ୍କ ଚେକ୍ ବୁକ୍ ଉପରେ ୧୮ ପ୍ରତିଶତ ଜିଏସ୍ଟି ଲାଗୁ ହେବ । ଦୈନିକ ୧ହାଜର ଟଙ୍କାର କମ୍ ଭଡା ପଡୁଥିବା ହୋଟେଲ ପାଇଁ ଗ୍ରାହକଙ୍କୁ ୧୨ ପ୍ରତିଶତ କର ଦେବାକୁ ପଡିବ । ଏପର୍ଯ୍ୟନ୍ତ ଏହା ଉପରେ କର ଲାଗୁ ନଥିଲା । ହସ୍ପିଟାଲ୍ରେ ଆଇସିୟୁକୁ ଛାଡି ପାଞ୍ଚ ହଜାର ଟଙ୍କାରୁ ଅଧିକ ଭଡା ପଡୁଥିବା ପ୍ରକୋଷ୍ଠ ଉପରେ ଲାଗୁ ହେବ ୫ ପ୍ରତିଶତ ଜିଏସ୍ଟି । ଏଲ୍ଇଡି ଲାଇଟ୍ ଏବଂ ଲ୍ୟାମ୍ପ୍ ମଧ୍ୟ ମହଙ୍ଗା ହେବ । ବ୍ଲେଡ୍ ଓ ଚାକୁ, ଚାମଚ, କଣ୍ଟା, କେକ୍-ସର୍ଭର ଇତ୍ୟାଦିକୁ ୧୨ ପରିବର୍ତ୍ତେ ୧୮ ପର୍ସେଣ୍ଟ ଜିଏସ୍ଟି ସ୍ଲାବ୍ରେ ରଖାଯାଇଛି । ଡିପ୍ ଟୁ୍ୟବ୍ୱେଲ୍ ଟର୍ବାଇନ୍ ପମ୍ପ, ସାଇକେଲ୍ ପମ୍ପ ଇତ୍ୟାଦି ଉପରେ ୧୨ ପରିବର୍ତ୍ତେ ୧୮ ପ୍ରତିଶତ ଜିଏସ୍ଟି ଲାଗୁ ହେବ ।
ନୂଆ ସୁପାରିଶ ଅନୁଯାୟୀ ଅର୍ଥପେଡିକ୍ ଉପକରଣ, ଘରୋଇ ସଂସ୍ଥା ବା ଭେଣ୍ଡରଙ୍କ ଦ୍ୱାରା ସ୍ୱତନ୍ତ୍ର ଇମ୍ପୋଡେଟ୍ ଉପକରଣ ଉପରେ ଜିଏସ୍ଟି ରିହାତି ମିଳିବ ।
ଜିଏସ୍ଟି କାଉନ୍ସିଲ୍ ଇନ୍ଭର୍ଟେଡ୍ ଡୁ୍ୟଟି ଷ୍ଟ୍ରକ୍ଚର୍ରେ ୧୨ ରୁ ୧୮ ପ୍ରତିଶତ ପର୍ଯ୍ୟନ୍ତ ପରିବର୍ତ୍ତନ ପାଇଁ ସୁପାରିସ କରିଛନ୍ତି । କାସିନୋ, ଅନ୍ଲାଇନ୍ ଗେମିଂ, ଘୋଡା ଦୌଡ ଓ ଲଟେରୀ ଉପରେ ୨୮ ପ୍ରତିଶତ କର ଲଗାଇବା ନିଷ୍ପତ୍ତିକୁ ମଧ୍ୟ ବର୍ତ୍ତମାନ ପାଇଁ କାଢି ଦିଆଯାଇଛି । ମନ୍ତ୍ରୀ ଗୋଷ୍ଠୀଙ୍କ ରିପୋର୍ଟ ମିଳିବା ପରେ ଅଗଷ୍ଟ ପ୍ରଥମ ସପ୍ତାହରେ ପୁଣି ବୈଠକ ବସି ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।