ଆଜି ନବଯୌବନ ଦର୍ଶନ

ପୁରୀ, ୨୮ା୬(ବୁ୍ୟରୋ): ମହାପ୍ରଭୁଙ୍କ ୧୪ ଦିନର ଅନବସର ମଙ୍ଗଳବାର ଶେଷ ହୋଇଛି । ଚତୁର୍ଦ୍ଧାବିଗ୍ରହ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରସ୍ତୁତ ହୋଇସାରିଛନ୍ତି । ବୁଧବାର ଭୋରରୁ କେତେକ ନୀତି ସମ୍ପନ୍ନ ହେଲା ପରେ ଚତୁର୍ଦ୍ଧାବିଗ୍ରହଙ୍କ ନବଯୌବନ ଦର୍ଶନ ମିଳିବ । ଭିଭିଆଇପିଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁମାନେ ବାହାରକାଠ ନିକଟରୁ ମହାପ୍ରଭୁ ନବଯୌବନ ଦର୍ଶନ କରିବେ । ଏହି ସମୟରେ କୌଣସି ବ୍ୟକ୍ତି ସେବାୟତ ବେଶରେ ଗର୍ଭଗୃହରେ ପ୍ରବେଶ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିରର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ନବଯୌବନ ଦର୍ଶନ ପାଇଁ ଶ୍ରୀମନ୍ଦିର ଓ ଚତୁଃପାଶ୍ୱର୍ରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।
ଅନ୍ୟପକ୍ଷରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରଥ ନିର୍ମାଣ । ଗୁରୁବାର ମହାପ୍ରଭୁଙ୍କ ଆଜ୍ଞାମାଳ ମିଳିବା ପରେ ରଥଖଳାରୁ ସିଂହଦ୍ୱାର ଅଭିମୁଖେ ଗଡିବ ତିନିରଥ ଏବଂ ଶୁକ୍ରବାର ହେବ ଘୋଷଯାତ୍ରା । ଚତୁର୍ଦ୍ଧାବିଗ୍ରହ ରଥରେ ବିଜେ ହୋଇ ଯିବେ ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀକୁ ।
ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରି ଚତୁର୍ଦ୍ଧାବିଗ୍ରହ ଅସୁସ୍ଥ ହୋଇପଡିଥିଲେ । ଜ୍ୱରରେ ପୀଡିତ ଠାକୁରଙ୍କ ଅଣସରରେ ଉପଚାର କରାଯାଉଥିଲା । ମହାପ୍ରଭୁ ସୁସ୍ଥ ହେବା ପରେ ସୋମବାର ଓ ମଙ୍ଗଳବାର ମହାପ୍ରଭୁଙ୍କ ଶ୍ରୀମୁଖ ଶୁଙ୍ଗାର ତଥା ବନକଲାଗି କରାଯାଇଛି । ବୁଧବାର ସକାଳେ ଅଣସର ଗୁହରେ ମହାପ୍ରଭୁଙ୍କ ଆସ୍ଥାନ ଚକା ଅପସାରଣ କରାଯିବ । ଦଶାବତର ତଥା ପଟିଦିଅଁଙ୍କ ନିକଟରେ ମଙ୍ଗଳଆଳତୀ,ମଇଲମ ଏବଂ ଅବକାଶ ନୀତି ବଢିବ । ପଟି ଠାକୁରମଣ୍ଡଳୀ ଘରକୁ ଏବଂ ଅନ୍ୟ ୭ ଠାକୁର ଦକ୍ଷିଣୀ ଘରକୁ ବିଜେ କରିବା ପରେ ଅଣସର ତାଟି ଫିଟିବ ।
ସକାଳୁ ସକାଳୁ ଶ୍ରୀଜୀଉଙ୍କ ଅନାନ୍ୟ ନୀତି ସମ୍ପନ୍ନ ହେଲା ପରେ ପ୍ରଥମେ ସକାଳ ୮ଟାରେ ପରିମାଣିକ ଟିକେଟ ଦର୍ଶନ ଆରମ୍ଭ ହେବ । ଟିକେଟଧାରୀ ଭକ୍ତମାନେ ଶ୍ରୀମନ୍ଦିରର ଦକ୍ଷିଣଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବେ । ଭିଭିଆଇପିମାନେ ପଶ୍ଚିମଦ୍ୱାର ଦେଇ ଦର୍ଶନ ଲାଗି ଯିବେ । ଏକଘଣ୍ଟା ଧରି ପରିମାଣିକ ଦର୍ଶନ ଜାରି ରହିବ ।
ପରେ ସକାଳ୯ଟାରୁ ସାଢେ ୧୦ ପର୍ଯ୍ୟନ୍ତ ସର୍ବସାଧାରଣ ସାହାଣମେଲା ଦର୍ଶନ ବାହାରକାଠ ନିକଟରୁ କରିବେ । ସେହିପରି ଅପରାହ୍ନ୨ଟାରୁ ୩ଟା, ସନ୍ଧ୍ୟା୬ରୁ ସାଢେ୬, ରାତି ୯ରୁ୧୦ଟା୩୦ ଓ ରାତି ୧୧ଟା୩୦ରୁ ୧୨ଟା୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ । ବିଶେଷ ନୀତି ପାଇଁ ସକାଳ ସାଢେ ୧୦ଟାରୁ ଅପରାହ୍ନ ୨ଟା, ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ଓ ସନ୍ଧ୍ୟା ୬ଟା୩୦ରୁ ରାତି୯ଟା ଏବଂ ରାତି୧୦ଟା୩୦ରୁ ୧୧ଟା୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ଗୁରୁବାର ଅନୁଷ୍ଠିତ ହେବ ଉଭାଯାତ୍ରା । ସକାଳ ୪ରୁ ୬ଟା୩୦, ମଧ୍ୟାହ୍ନ୧୨ଟା୩୦ରୁ ଅପରାହ୍ନ ୧ଟା୩୦ଓ ଅପରାହ୍ନ ୩ଟା୩୦ରୁ ସନ୍ଧ୍ୟା୫ଟା ପର୍ଯ୍ୟନ୍ତ ଜଗାଦର୍ଶନ କରିପାରିବେ ଭକ୍ତ । ଅନ୍ୟପକ୍ଷରେ ସକାଳ୬ଟା୩୦ରୁ ଦିନ୧୨ଟା୩୦, ଅପରାହ୍ନ ୧ଟା୩୦ରୁ ୩ଟା୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବିଶେଷ ଭାବରେ ଶୁକ୍ରବାର ଶ୍ରୀଗୁଣ୍ଡିଚା ରହିଥିବାରୁ ଯାତ୍ରାର ନୀତିକାନ୍ତି ନିମନ୍ତେ ନିର୍ଦ୍ଧାରଣ ସମୟରେ ପହଣ୍ଡି ପ୍ରସ୍ତୁତି ସମ୍ପାଦନ ପାଇଁ ଗୁରୁବାର ୫ଟାରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ସମୟରେ ଶ୍ରଦ୍ଧାଳୁମାନେ ବଡଦାଣ୍ଡରୁ ସିଂହଦ୍ୱାର ମଧ୍ୟରେ ପ୍ରବେଶ କରି ଶ୍ରୀମନ୍ଦିରର ଅନ୍ୟ ତିନି ଦ୍ୱାର ଦେଇ ବାହାରକୁ ଆସିବେ । ଦର୍ଶନ ଶେଷ ହେଲା ପରେ ଶ୍ରୀଜୀଉଙ୍କ ଅନାନ୍ୟ ନୀତି ବଢିବ ।
ନବଯୌବନ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏନେଇ ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳା ଓ ଟ୍ରାଫିକ୍ ଲାଗି ପୁଲିସ୍ ପକ୍ଷରୁ ୪ ଜଣ କମାଣ୍ଡାଣ୍ଟ, ୧୦ ଜଣ ଅତିରିକ୍ତ ଏସ୍ପି ଓ ଡେପୁଟି କମାଣ୍ଡାଣ୍ଟ, ୫୦ ଅଫିସର୍ଙ୍କ ସମେତ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *