ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ଅନୁସୂଚିତ ଜନଜାତି ପିଲା

ଫୁଲବାଣୀ (ବୁ୍ୟରୋ) : ସରକାର ପ୍ରାଥମିକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବାବେଳେ ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଗୁମୁକିଆ ପଞ୍ଚାୟତରେ ଥିବା ସରକାରୀ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଶିକ୍ଷାଦାନର ଅଜବ ବ୍ୟବସ୍ଥା । ବିଦ୍ୟାଳୟକୁ ଶିକ୍ଷକମାନେ ପାଳି କରି ଆସୁଥିବା ସାଧାରଣରେ ଅଭିଯୋଗ ହେଉଛି । ଖାଲି ସେତିକି ନୁହେଁ ମାଧ୍ୟାନ୍ନ ଭୋଜନ ପରେ ବିଦ୍ୟାଳୟ ଛୁଟି ହେଇଯାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ଅଭିଭାବକ । ଏଠାରେ ସରକାରଙ୍କ ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ ନାରା ପ୍ରହସନ ପାଲଟିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ତଥା ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆ ବର୍ଗର ଶିକ୍ଷାର ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ସରକାରୀ ନିଦେ୍ର୍ଦଶକୁ ଅବମାନନା କରି ଦାରିଙ୍ଗବାଡି ବ୍ଲକ ଗୁମୁକିଆ ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷକମାନେ ପାଳି କରି ଆସୁଥିବା ଅଭିଯୋଗ ହେଉଛି ।
ଏହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୫ ଛାତ୍ର ଛାତ୍ରୀ ପାଠ ପଢ଼ୁଥିବା ବେଳେ ଦୁଇ ଜଣ ଶିକ୍ଷକ ବିଦ୍ୟାଳୟରେ ନିଯୁକ୍ତି ହୋଇଛନ୍ତି । ହେଲେ ସୋମବାର ଅପରାହ୍ଣ ୩ଟା ବେଳେ କୌଣସି ଶିକ୍ଷକ ଉପସ୍ଥିତ ନ ଥିବା ବେଳେ ପିଲା ସ୍କୁଲ ଆଗରେ ଖେଳୁଥିଲେ । ଏ ନେଇ ସ୍କୁଲ ସଭାପତିଙ୍କୁ ପଚାରିବାରି ସେ କହିଥିଲେ ପ୍ରଧାନ ଶିକ୍ଷକ ମିଥିରାମ ପ୍ରଧାନ ଅଫିସ କାମରେ ଦାରିଙ୍ଗବାଡି ଯାଇଥିବା ବେଳେ ସହକାରୀ ଶିକ୍ଷକ ମଧ୍ୟାହ୍ନ ଭୋଜନ ପିଲାଙ୍କୁ ଖାଇବାକୁ ଦେଇ ଚାଲି ଯାଇଛନ୍ତି । କେତେବେଳେ ସାର୍ମାନେ ଦିନ ୧୧ ବେଳେ ପହଞ୍ଚୁଛନ୍ତି ଆଉ ଦିନ ୨ଟା ବେଳକୁ ଛୁଟି କରିଦେଉଛନ୍ତି । ଏଭଳି ଅବ୍ୟବସ୍ଥାରେ ଚାଲିଛି ଉକ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ । ପଞ୍ଚମ ଶ୍ରେଣୀରେ ପଢୁ ଥିବା ଛାତ୍ର ଛାତ୍ରୀଙ୍କୁ ପଚାରିଲେ କହିପାରୁନାହାଁନ୍ତି ନିଜ ଶିକ୍ଷକଙ୍କ ନାମ । ଏଥିରୁ ଅନୁମେୟ ଦୁର୍ଗମ ଅଞ୍ଚଳରେ କିଭଳି ଚାଲିଛି ଶିକ୍ଷାଦାନ । ଏନେଇ ଦାରିଙ୍ଗବାଡି ବିଇଓ ରସାନନ୍ଦ କରଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି । ଯଦି ମଧ୍ୟାହ୍ନ ଭୋଜନ ପରେ ସ୍କୁଲ ଛୁଟି ହୋଇଥାଏ ତେବେ ସମ୍ପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଅନୁସୂଚିତ ଜନଜାତିର ଛାତ୍ର ଛାତ୍ରୀ ଯେଭଳି ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ନ ହେବେ ସେଥିପ୍ରତି ପ୍ରଶାସନ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *