ଆନ୍ତର୍ଜାତିକ କ୍ରିକେଟ୍ରୁ ମୋର୍ଗାନ୍ଙ୍କ ଅବସର
ଲଣ୍ଡନ, ୨୮ା୬ (ଏଜେନ୍ସି): ଇଂଲଣ୍ଡର ବିଶ୍ୱକପ୍ ବିଜେତା ଅଧିନାୟକ ଇଅନ୍ ମୋର୍ଗାନ୍ ମଙ୍ଗଳବାର ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି । ୧୬ ବର୍ଷର ଲମ୍ବା କ୍ୟାରିଅର ସମୟରେ ସେ ଦିନିକିଆ, ଟେଷ୍ଟ ଓ ଟି-୨୦କୁ ମିଶାଇ ୧୦,୦୦୦ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ଆୟରଲାଣ୍ଡର ଡବ୍ଲିନ୍ ଠାରେ ଜନ୍ମିତ ୩୫ ବର୍ଷୀୟ ମୋର୍ଗାନ୍ ଚଳିତ ବର୍ଷ ଅଷ୍ଟ୍ରେଲିଆ ଠାରେ ଟିମ୍ର ନେତୃତ୍ୱ ନେବାକୁ ଚାହୁଁଥିଲେ; କିନ୍ତୁ ବର୍ଷାଧିକ କାଳ ଫର୍ମ ଓ ଫିଟ୍ନେସ୍ ସହ ସଂଘର୍ଷ କରିବା ପରେ ସେ ମନ ପରିବର୍ତ୍ତନ କରି ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ।
୨୦୧୯ରେ ମୋର୍ଗାନ୍ଙ୍କ ନେତୃତ୍ୱାଧୀନ ଟିମ୍ ଦିନିକିଆ ବିଶ୍ୱକପ୍ ବିଜୟର ଗୌରବ ଅର୍ଜନ କରିଥିଲା । ସେ ରେକର୍ଡ ୧୨୬ ଦିନିକିଆ ଆନ୍ତର୍ଜାତିକ ଓ ୭୨ ଟି-୨୦ ଆନ୍ତର୍ଜାତିକରେ ଇଂଲଣ୍ଡ ଟିମ୍ର ଅଧିନାୟକତ୍ୱ କରିଥିଲେ । ଦୁଇଟିଯାକ ଫର୍ମାଟ୍ରେ ମିଶି ଅଧିନାୟକ ଭାବେ ସେ ୧୧୮ ମ୍ୟାଚ୍ରେ ବିଜୟ ହାସଲ କରିଛନ୍ତି, ଯାହାକି ଏକ ରେକର୍ଡ ।
ମୋର୍ଗାନ୍ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ଦିନିକିଆ ଆନ୍ତର୍ଜାତିକ ରନ୍ (୬,୯୫୭), ସର୍ବାଧିକ ଟି-୨୦ ଆନ୍ତର୍ଜାତିକ ରନ୍ (୨,୪୫୮) ଏବଂ ସର୍ବାଧିକ ଦିନିକିଆ (୨୦୨) ଓ ଟି-୨୦ (୧୨୦) ଛକା ରେକର୍ଡର ଅଧିକାରୀ । ସେ ମଧ୍ୟ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୨୨୫ ଦିନିକିଆ ଖେଳିଥିବା ବେଳେ ସର୍ବାଧିକ ୧୧୫ ଟି-୨୦ ମ୍ୟାଚ୍ ଖେଳିଛନ୍ତି ।
ମୋର୍ଗାନ୍ ୨୦୦୬ରେ ଆୟରଲାଣ୍ଡ ପକ୍ଷରୁ ପଦାର୍ପଣ କରିଥିଲେ । ତେବେ ତିନି ବର୍ଷ ପରେ ସେ ୨୦୦୯ରେ ଇଂଲଣ୍ଡ ପକ୍ଷରୁ ଖେଳିଥିଲେ । ମଧ୍ୟକ୍ରମର ଏହି ବାମହାତି ବ୍ୟାଟର୍ ୨୪୮ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ରୁ ମୋଟ୍ ୭,୭୦୧ ରନ୍ କରିଥିଲେ । ତେବେ ସେ ଟି-୨୦ ମ୍ୟାଚ୍ କେବଳ ଇଂଲଣ୍ଡ ପକ୍ଷରୁ ଖେଳିଥିଲେ । ଏହାଛଡ଼ା ସେ ୧୬ ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳିଥିଲେ, ଯେଉଁଥିରେ ସେ ମାତ୍ର ୭୦୦ ରନ୍ କରିଥିଲେ । ସେ ନିଜ ଶେଷ ଟେଷ୍ଟ ମ୍ୟାଚ୍ ୨୦୧୨ରେ ପାକିସ୍ତାନ ବିପକ୍ଷରେ ଖେଳିଥିଲେ ।
ମୋର୍ଗାନ୍ ସାଢ଼େ ସାତ ବର୍ଷ ଧରି ସୀମିତ ଓଭର୍ରେ ଇଂଲଣ୍ଡ ଟିମ୍ର ନେତୃତ୍ୱ ନେଇଥିଲେ । ତାଙ୍କ ଅଧିନାୟକତ୍ୱ ସମୟରେ ଇଂଲଣ୍ଡ ଟିମ୍ ଉଭୟ ଦିନିକିଆ ଓ ଟି-୨୦ରେ ଏକ ନମ୍ବର ସ୍ଥାନରେ ପହଞ୍ଚିଥିଲା । ସେ ୨୦୧୫ରେ ସାର୍ ଆଲଷ୍ଟର କୁକ୍ଙ୍କ ସ୍ଥାନରେ ଦିନିକିଆ ଟିମ୍ର ଅଧିନାୟକ ହୋଇଥିଲେ ।
ମୋର୍ଗାନ୍ ଚଳିତ ମାସରେ ନେଦରଲାଣ୍ଡ୍୍ସ ବିପକ୍ଷ ପ୍ରଥମ ଦୁଇ ଦିନିକିଆରେ ଇଂଲଣ୍ଡର ନେତୃତ୍ୱ ନେଇଥିଲେ । ତେବେ ଉଭୟ ମ୍ୟାଚ୍ରେ ସେ ଖାତା ଖୋଲି ପାରି ନ ଥିଲେ । ସେ ଗ୍ରୋଇନ୍ ଯନ୍ତ୍ରଣା ଯୋଗୁଁ ତୃତୀୟ ମ୍ୟାଚ୍ରେ ଖେଳି ନ ଥିଲେ । ଉପ-ଅଧିନାୟକ ଜୋସ୍ ବଟ୍ଲର୍ ତାଙ୍କ ସ୍ଥାନରେ ଇଂଲଣ୍ଡର ନୂଆ ଅଧିନାୟକ ହୋଇପାରନ୍ତି ।