ମହାରାଷ୍ଟ୍ର: ୩୦ରେ ଆସ୍ଥା ପ୍ରମାଣ

ମୁମ୍ବାଇ, ୨୮ା୬: ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ସରକାରଙ୍କ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିସ ବିଦ୍ରୋହୀ ଶିବସେନା ବିଧାୟକମାନଙ୍କ ସଂଖ୍ୟା ବଳ ଦେଖି ମଙ୍ଗଳବାର ପାର୍ଟି ହାଇକମାଣ୍ଡଙ୍କ ସହ ପରାମର୍ଶ ପରେ ଅପରାହ୍ଣରେ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ଭେଟିଛନ୍ତି । ଆସନ୍ତା ୩ଠ ତାରିଖ ପୂର୍ବାହ୍ନ ୧୧ଟା ବେଳେ ଫ୍ଲୋର ଟେଷ୍ଟ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି । ଅର୍ଥାତ ଉଦ୍ଧବ ସରକାର ସେଦିନ ଆସ୍ଥା ପ୍ରମାଣ ଦେବେ । ଆସାମର ଗୁଆହାଟୀ ଠାରେ ଥିବା ବିଦ୍ରୋହୀ ଶିବସେନା ବିଧାୟକମାନଙ୍କୁ ମୁମ୍ବାଇ ଫେରିଆସି ଫ୍ଲୋର ଟେଷ୍ଟରେ ଭାଗନେବା ପାଇଁ କୁହାଯାଇଛି । ବିଦ୍ରୋହୀ ବିଧାୟକମାନେ ନିଜ ନିଜ ସାମଗ୍ରୀ ପ୍ୟାକ୍ କରି ମୁମ୍ବାଇ ଆସିବା ପାଇଁ ପ୍ରସ୍ତୁତ ହେଉଥିବା ଖବର ମିଳିଛି ।
ଘୋର ସଙ୍କଟରେ ପଡ଼ିଥିବା ଉଦ୍ଧବ ସରକାରଙ୍କ ପାଇଁ ଏବେ ପ୍ରଥମ ବିକଳ୍ପ କୋର୍ଟଙ୍କ ଦ୍ୱାରସ୍ଥ ହେବା । ସୁପ୍ରିମକୋର୍ଟ ଜୁଲାଇ ୧୧ ପର୍ଯ୍ୟନ୍ତ ଯଥା ସ୍ଥିତି ବଜାୟ ରଖିବା ପାଇଁ ଆଦେଶ ଦେଇଛନ୍ତି । ଦ୍ୱିତୀୟ ପଦକ୍ଷେପ ସ୍ୱରୂପ ଉଦ୍ଧବ ଠାକରେ ଶିବସେନା ବିଧାୟକମାନଙ୍କୁ ସରକାରଙ୍କ ସପକ୍ଷରେ ମତଦାନ ପାଇଁ ହ୍ୱିପ ଜାରି କରିପାରିବେ । ସେପରି ସ୍ଥିତିରେ ବିଦ୍ରୋହୀ ବିଧାୟକଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ଉପୁଜିବ । ଅର୍ଥାତ ସେମାନଙ୍କ ସଦସ୍ୟତା ବିପନ୍ନ ହେବ । ତୃତୀୟ ବିକଳ୍ପ ସ୍ୱରୂପ ଏଭଳି ପଦକ୍ଷେପ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରିବେ ।
ବିଦ୍ରୋହୀ ଗୋଷ୍ଠୀର ନେତା ଏକନାଥ ଶିନେ୍ଦ ବିଜେପି ସହ ସହଭାଗିତା ସମ୍ପର୍କରେ ଆଲୋଚନା କରିସାରିଥିବା ଏବଂ ଏନେଇ ବିଜେପି ଏବଂ ତାଙ୍କ ମଧ୍ୟରେ ସନ୍ଧି ହୋଇଥିବା ଜାଣିବାକୁ ମିଳିଛି । ଶିନେ୍ଦ ନିଜକୁ ଉପମୁଖ୍ୟମନ୍ତ୍ରୀ କରିବା ସହ ତାଙ୍କ କ୍ୟାମ୍ପ୍ରୁ ଅତିକମ୍ରେ ୮ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ଏବଂ ୫ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେବାକୁ ବିଜେପି ସହ ସର୍ତ୍ତ କରିଛନ୍ତି । ବିଜେପି ମଧ୍ୟ ଏବେ ଶିନେ୍ଦଙ୍କୁ କୌଣସି ପରିସ୍ଥିତିରେ ମଧ୍ୟ ଅସନ୍ତୁଷ୍ଟ ନକରିବାକୁ ଚାହୁଁନଥିବାରୁ କିଛି ନହେଲେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ପଦ ସହ ୬ଜଣଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରିବା ଉପରେ ବିଚାରବିମର୍ଶ କରୁଥିବା ଜାଣିବାକୁ ମିଳିଛି ।
ପ୍ରକାଶ ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୧୪୫ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି । ସମ୍ପ୍ରତି ବିଜେପିର ୧ଠ୬ ବିଧାୟକ ରହିଥିବା ବେଳେ ଏନ୍ଡିଏ (ବିଜେପି-ଆରଏସ୍ପି-ଜେଏସ୍ଏସ୍-ସ୍ୱାଧୀନ) ମେଣ୍ଟ ପାଖରେ ମୋଟ୍ ୧୧୩ ଆସନ ରହିଛି । ସୁତରାଂ ବିଜେପିକୁ ସରକାର ଗଢ଼ିବା ପାଇଁ ଆଉ ୩୨ ବିଧାୟକଙ୍କ ଆବଶ୍ୟକତା ରହିଛି । ଅପରପକ୍ଷେ ଏକନାଥଙ୍କ କ୍ୟାମ୍ପରେ ଏବେ ୫ଠରୁ ଅଧିକ ବିଧାୟକ ରହିଥିବା କୁହାଯାଉଛି । ଯଦି ଏକନାଥଙ୍କ ପ୍ରସ୍ତାବରେ ରାଜି ହୁଏ ତେବେ ଆସନ୍ତା କିଛି ଦିନ ମଧ୍ୟରେ ବିଜେପି ମହାରାଷ୍ଟ୍ରରେ ସରକାର ଗଢ଼ିବା ନିଶ୍ଚିତ ହୋଇଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *