ଜୁଲାଇ ୨ରୁ ଶହେ ସଫେଇ କର୍ମଚାରୀଙ୍କ ସ୍ୱତନ୍ତ୍ର ଅଭିଯାନ

ବର୍ଷା ଜଳ ନିଷ୍କାସନ ପାଇଁ ବିଏମ୍ସିର ଜରୁରି ବୈଠକ
ବ୍ରହ୍ମପୁର (ବୁ୍ୟରୋ): ଦୀର୍ଘ ବର୍ଷ ପରେ ମହାନଗର ନିଗମ କର୍ତ୍ତୃପକ୍ଷ ସହରର ମୁଖ୍ୟ ସମସ୍ୟା ଡ୍ରେନେଜ ବ୍ୟବସ୍ଥାରେ ଦୀର୍ଘ ମିଆଦି ଯୋଜନା କରିବାକୁ ଯାଉଛନ୍ତି । ଆସନ୍ତା ୨ତାରିଖରୁ ୧୦୦ ସଫେଇ କର୍ମଚାରୀଙ୍କୁ ନେଇ ବର୍ଷାଜଳ ନିଷ୍କାସନ ଓ ଏହାର ମୁକାବିଲା ଅଭିଯାନ ଆରମ୍ଭ ହେବ । ଦୀର୍ଘଦିନ ଧରି ସହରର ନାଳନର୍ଦ୍ଦମାରୁ ମାଟି ଉଠାଇ ବର୍ଷା ଜଳ ନିଷ୍କାସନ ଉପରେ ଗୁରୁତ୍ୱ ଦେବାକୁ କର୍ପୋରେଟରମାନେ କାଉନ୍ସିଲ ବୈଠକରେ ଦାବି କରି ଆସୁଥିଲେ । ଏହାକୁ ଦୃଷ୍ଟିରେ ରଖି ଗତ ୨ଦିନ ହେଲା ମେୟର, ଡେପୁଟି ମେୟର, କମିଶନର ଓ ନିଗମର ଯନ୍ତ୍ରୀ ବର୍ଷା ଜଳ ଜମି ରହୁଥିବା ସ୍ଥାନ ଓ ଡ୍ରେନ୍ରେ ବର୍ଷା ଜଳ ନିଷ୍କାସନ ହେଉ ନ ଥିବା ସ୍ଥାନ ପରିଦର୍ଶନ କରି ଏକ ଦୀର୍ଘମିଆଦି ଯୋଜନା ପାଇଁ ରୂପରେଖ ପ୍ରସ୍ତୁତ କରିଛନ୍ତି ।
ମଙ୍ଗଳବାର ପୂର୍ବାହ୍ନରେ ସ୍ୱାସ୍ଥ୍ୟ ବିଭାଗର ଷ୍ଟାଣ୍ଡିଂ କମିଟିରେ ଆଲୋଚନା ହୋଇ ପାରିତ ହୋଇଥିବା କାର୍ଯ୍ୟପନ୍ଥାକୁ ନେଇ ସନ୍ଧ୍ୟାରେ ଏକ ଜରୁରିକାଳୀନ କାଉନ୍ସିଲ ବୈଠକ ନିଗମ ସମ୍ମିଳନୀ କକ୍ଷରେ ମେୟରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, କମିଶନର ଜେ.ସୋନାଲ୍, ଅତିରିକ୍ତ କମିଶନର ନୀଳମାଧବ ଭୋଇ, ନିର୍ବାହୀଯନ୍ତ୍ରୀ ବସନ୍ତ କୁମାର ପାଢ଼ୀ ଓ ସୀମାଞ୍ଚଳ ଷଢ଼ଙ୍ଗୀଙ୍କ ସମେତ ସମସ୍ତ କର୍ପୋରେଟର ଓ ନିଗମର ଅଧିକାରୀ ଉପସ୍ଥିତ ଥିଲେ । ପୂର୍ବାହ୍ନରେ ଷ୍ଟାଣ୍ଡିଂ କମିଟିରେ ନିଷ୍ପତ୍ତି ହୋଇଥିବା ବିଷୟବସ୍ତୁକୁ ଉପସ୍ଥାପନା କରାଯାଇଥିଲା । ଯେଉଁ ସ୍ଥାନରେ ବର୍ଷାଜଳ ଜମି ରହି କୃତି୍ରମ ବନ୍ୟା ସୃଷ୍ଟି ହେଉଛି ସେ ଉପରେ ମଧ୍ୟ କର୍ପୋରେଟରଙ୍କ ମତାମତ ସଂଗ୍ରହ କରାଯାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ସହରର ସମସ୍ତ ଜଳବନ୍ଦୀ ଅଞ୍ଚଳରେ ଥିବା ନାଳ ଓ ନର୍ଦ୍ଦମାକୁ ସଫା କରିବା ସହ ସହରର ଦୁଇ ପାଶ୍ୱର୍ରେ ଥିବା ବାହାନା ନାଳ ଓ ସାପୁଆ ନାଳକୁ କିପରି ବର୍ଷା ଜଳ ସୁରକ୍ଷିତ ଭାବେ ନିଷ୍କାସିତ ହେବ ସେ ନେଇ ଏକ ଖସଡ଼ା ପ୍ରସ୍ତୁତ କରାଯାଇଥିଲା । ଏହାଛଡା ଗେଟ୍ ବଜାର ଛକ ଠାରୁ ଜ୍ୟୋତିନଗର ଛକ, ଗଜପତି ନଗର ମୁଖ୍ୟନାଳ, ନିଳାଞ୍ଚଳ ନଗର, ଅଳକାପୁରୀ, କଳିଙ୍ଗନଗର, ଖୋଡାସିଂ ମୁଖ୍ୟରାସ୍ତା ନାଳ ଓ ଗୋପାଳପୁର ଛକ ଠାରୁ ଡୁରା ଯିବା ମୁଖ୍ୟନାଳକୁ ତୁରନ୍ତ ସଫା କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥିପାଇଁ ୧୦୦ ସଫେଇ କର୍ମଚାରୀ ସହିତ ୧୫ଟି ଟ୍ରାକ୍ଟର ଓ ୨ଟି ଜେସିବି ଦ୍ୱାରା କାର୍ଯ୍ୟ ପରିଚାଳିତ ହେବ ବୋଲି କମିଶନର ଜେ.ସୋନାଲ୍ ସୂଚନା ଦେଇଥିଲେ । କର୍ପୋରେଟର ମାନେ ନିଜ ନିଜ ଅଞ୍ଚଳର ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ପର୍ଯ୍ୟାୟକ୍ରମେ ସହରର ବର୍ଷା ଜଳ ନିଷ୍କାସନ ଓ ନାଳନର୍ଦ୍ଦମା ସଫେଇ କାମ କର୍ପୋରେଟରଙ୍କ ସହ ମିଶି ସହରବାସୀଙ୍କ ସହଯୋଗରେ କରାଯିବ ବୋଲି ମେୟର ଓ କମିଶନର କହିଥିଲେ । ଡ୍ରେନ୍ ନିର୍ମାଣ ଓ ସହରକୁ କୃତ୍ରିମ ବନ୍ୟାରୁ ରକ୍ଷା କରିବା ନେଇ ନିଗମ ପକ୍ଷରୁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି । ପ୍ରଥମେ ଜଳବନ୍ଦୀ ଅଞ୍ଚଳରେ ଥିବା ସମସ୍ୟାର ସମାଧାନ ପରେ ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱଦେଇ ସବୁ ବିଭାଗ ସହ ଆଲୋଚନା କରି ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିବା ସହ ଡ୍ରେନ୍ଗୁଡିକୁ ଇନ୍ଟିଗ୍ରେଟେଡ୍ ଡ୍ରେନେଜ୍ ସିଷ୍ଟମରେ ପରିଣତ କରିବା ନେଇ ଯୋଜନା ଥିବା ମେୟର ଓ କମିଶନର କହିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *