୧୯ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟାନ୍

ନୂଆଦିଲ୍ଲୀ, ୨୮ା୬: ପରିବେଶ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ମାସ ପହିଲାରୁ ୧୯ ପ୍ରକାର ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ (ଏସ୍ୟୁପି) ସାମଗ୍ରୀ ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ ହେବ । ଦେଶସାରା ଏହି ନିଷେଧାଦେଶ ଲାଗୁ ହେବ ବୋଲି ପରିବେଶ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି ।
ପରିବେଶ ସଂରକ୍ଷଣ ଅଧିନିୟମ (ଇପିଏ) ଅନୁଯାୟୀ ୧୯ ଏସ୍ୟୁପି ଉତ୍ପାଦର ଉତ୍ପାଦନ, ଉପଯୋଗ, ମହଜୁଦ୍ ରଖିବା, ବିତରଣ ବା ବିକ୍ରି ଏବଂ ଆମଦାନୀ ବନ୍ଦ କରିବା ସମ୍ପର୍କିତ ଅଧିସୂଚନା ଗତବର୍ଷ ଅଗଷ୍ଟ ୧୨ ତାରିଖ ଦିନ ଜାରି କରାଯାଇଥିଲା । ଏଥିରେ ଉଲ୍ଲଘଂନ ହେଲେ ଜରିମାନା ବା ଜେଲ୍ ସମେତ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ । ଦଣ୍ଡ ବିବରଣୀ ଇପିଏ ଧାରା ୧୫ରେ ରହିଛି ।
ନୂଆ ନିୟମ ଅନୁଯାୟୀ ପ୍ଲାଷ୍ଟିକ୍ ଷ୍ଟ୍ର, ଟଫିକୁ ଗୁଡ଼ାଇବାରେ ବ୍ୟବହୃତ ପ୍ଲାଷ୍ଟିକ୍ ପଲିଥିନ୍, ମିଷ୍ଟାନ୍ନ ବାକ୍ସ ଉପରେ ଲାଗୁଥିବା ପ୍ଲାଷ୍ଟିକ୍ ଫଏଲ୍, ଇୟରବର୍ଡ, ଥର୍ମୋକଲ୍, ପ୍ଲେଟ୍, କପ୍, ଗ୍ଲାସ୍, ଚାମଚ, ଛୁରୀ, ଟ୍ରେ, ନିମନ୍ତ୍ରଣପତ୍ର, ସିଗାରେଟ୍ ପ୍ୟାକେଟ୍ରେ ବ୍ୟବହୃତ ପ୍ଲାଷ୍ଟିକ୍ ରାପର, ୧୦୦ ମାଇକ୍ରୋନ୍ରୁ କମ୍ ବା ପିବିସି ବ୍ୟାନର ଆଦି ନିଷିଦ୍ଧ ହେବ । କିନ୍ତୁ ଏଫ୍ଏମ୍ସିଜି କ୍ଷେତ୍ରରେ ପ୍ୟାକେଜିଂରେ ବ୍ୟବହୃତ ପ୍ଲାଷ୍ଟିକ୍ ଉପରେ କଟକଣା ରହିବ ନାହିଁ ।
ବିଭାଗୀୟ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ୪ ବର୍ଷ ପୂର୍ବେ ଏସ୍ୟୁପି ବ୍ୟବହାର ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ଏହାଦ୍ୱାରା ପ୍ଲାଷ୍ଟିକ୍ ଉଦ୍ୟୋଗ ସହ ଜଡ଼ିତ ଲକ୍ଷ ଲକ୍ଷ ଶ୍ରମିକ ରୋଜଗାର ହରାଇବା ଆଶଙ୍କା ଥିବାରୁ ନିଷ୍ପତ୍ତିକୁ କିଛିବର୍ଷ ଟାଳି ଦେବାକୁ ପଡ଼ିଲା ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ରିପୋର୍ଟ ଅନୁଯାୟୀ ଭାରତରେ ପ୍ରତିବର୍ଷ ପ୍ରାୟ ୨.୪ ଲକ୍ଷ ଟନ୍ ଏସ୍ୟୁପି ଉତ୍ପାଦିତ ହେଉଛି । ପ୍ରତ୍ୟେକ ଭାରତୀୟ ବର୍ଷକରେ ୧୦ କେଜି ପ୍ଲାଷ୍ଟିକ୍ ବ୍ୟବହାର କରୁଛନ୍ତି । ଫଳତଃ ବର୍ଷକୁ ଦେଶରେ ପ୍ରାୟ ୩୫ ଲକ୍ଷ ଟନ୍ ଘରୋଇ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଉପଜାତ ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *