ହକି ଅଲିମ୍ପିଆନ୍ ବରିନ୍ଦର ସିଂହଙ୍କ ଦେହାନ୍ତ

ଅଲିମ୍ପିକ୍ ଓ ବିଶ୍ୱକପ୍ ପଦକ-ବିଜେତା ଟିମ୍ର ସଦସ୍ୟ ଥିଲେ
ଜଳନ୍ଧର, ୨୮ା୬ (ଏଜେନ୍ସି): ସତୁରୀ ଦଶକରେ ଭାରତର ଅଲିମ୍ପିକ୍ ଓ ବିଶ୍ୱକପ୍ ପଦକ ବିଜୟ ଭଳି ସ୍ମରଣୀୟ ସଫଳତାର ଅଂଶବିଶେଷ ଥିବା ବରିନ୍ଦର ସିଂହ ଆଉ ନାହାନ୍ତି । ମଙ୍ଗଳବାର ସକାଳେ ୭୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ସେ କିଛି ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ବିୟୋଗରେ ଭାରତୀୟ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି ।
ବରିନ୍ଦର କୁଆଲାଲମ୍ପୁର ଠାରେ ଖେଳାଯାଇଥିବା ୧୯୭୫ ପୁରୁଷ ହକି ବିଶ୍ୱକପ୍ରେ ସ୍ୱର୍ଣ୍ଣ ପଦକ-ବିଜେତା ଭାରତୀୟ ଟିମ୍ର ସଦସ୍ୟ ଥିଲେ । ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ଭାରତର ଏହା ଏକମାତ୍ର ସ୍ୱର୍ଣ୍ଣ ପଦକ । ଭାରତ ସେତେବେଳେ ଫାଇନାଲ୍ରେ ପାକିସ୍ତାନକୁ ୨-୧ରେ ହରାଇଥିଲା ।
ବରିନ୍ଦର ମଧ୍ୟ ୧୯୭୨ ମୁ୍ୟନିକ୍ ଅଲିମ୍ପିକ୍ସରେ କାଂସ୍ୟ ଓ ଆମ୍ଷ୍ଟରଡାମ୍ ଠାରେ ୧୯୭୩ ବିଶ୍ୱକପ୍ରେ ରୌପ୍ୟ ପଦକ ବିଜେତା ଟିମ୍ର ଅଂଶବିଶେଷ ଥିଲେ । ଫର୍ୱାର୍ଡ ବରିନ୍ଦର ମୁ୍ୟନିକ୍ ଠାରେ ଭାରତକୁ ଅଲିମ୍ପିକ୍ ପଦକ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ୧୯୭୪ ଓ ୧୯୭୮ ଏସିଆଡ୍ରେ ରୌପ୍ୟ ପଦକ ଜିତିଥିବା ଟିମ୍ର ବି ସେ ସଦସ୍ୟ ଥିଲେ । ସେ ମଧ୍ୟ ୧୯୭୫ ମଣ୍ଟ୍ରିଲ୍ ଅଲିମ୍ପିକ୍ସରେ ଭାରତୀୟ ଟିମ୍ ପକ୍ଷରୁ ଖେଳିଥିଲେ ।
୧୯୪୭ ମେ’ ୧୬ର ଜନ୍ମଗ୍ରହଣ କରିଥିବା ବରିନ୍ଦରଙ୍କୁ ୨୦୦୭ରେ ସମ୍ମାନଜନକ ଧ୍ୟାନ ଚାନ୍ଦ ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡ ମିଳିଥିଲା । ସେ ୧୯୮୫ରୁ ୧୯୯୩ ଯାଏଁ ପଞ୍ଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କ୍ରେ ହକି କୋଚ୍ ଥିଲେ । ଏହାପରେ ସେ ୨୦୦୮ ଯାଏଁ ପଞ୍ଜାବ ରାଜ୍ୟର କ୍ରୀଡ଼ା ବିଭାଗରେ କୋଚ୍ ଦାୟିତ୍ୱ ତୁଲାଇଥିଲେ ।
ହକି ଇଣ୍ଡିଆ ତାଙ୍କ ବିୟୋଗରେ ଶୋକପ୍ରକଟ କରି କହିଛି ଯେ ବରିନ୍ଦର ସିଂହଙ୍କ ଉପଲବ୍ଧି ବିଶ୍ୱବ୍ୟାପୀ ହକି ସମୁଦାୟଙ୍କ ମଧ୍ୟରେ ସ୍ମରଣୀୟ ହୋଇ ରହିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *